କନକ ବ୍ୟୁରୋ: ସ୍କୁଲ ଛାତରୁ ଖସିପିଡ଼ି ଛାତ୍ର ଗୁରୁତର । ବାରିପଦାରୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର । ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଆଡ଼ଶୀଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଳାସ୍ ଚାଲିଥିବା ସମୟରେ ଘଟିଛି ଏହି ଅଘଟଣ । ଗୁରୁତର ଛାତ୍ର ଜଣଙ୍କ ହେଲେ ଉକ୍ତ ସ୍କୁଲର ଚତୁର୍ଥ ଶ୍ରେଣୀର ଛାତ୍ର ତୋଫାନ ଡାଙ୍ଗୁଆ ।

Advertisment

ସୂଚନା ମୁତାବକ ,ଗତକାଲି ମଧ୍ୟାହ୍ନ ଭୋଜନ ପରେ କ୍ଲାସ ଆରମ୍ଭ ହୋଇଥିଲା । ଚତୁର୍ଥ ଶ୍ରେଣୀ ଗୃହରେ ପାଠପଢା ଚାଲିଥିବା ସମୟରେ ହଠାତ୍ ଛାତରୁ ସିଲିଂ ଫ୍ୟାନଟି ଖସିପଡିଥିଲା ।ଏଥିରେ ଜଣେ ଛାତ୍ର ଗୁରୁତର ହୋଇଥିବା ବେଳେ ଅନ୍ୟ କିଛି ଛାତ୍ରଛାତ୍ରୀ ସାମାନ୍ୟ ଆହତ ହୋଇଥିଲେ । ଗୁରୁତର ଆହତ ହୋଇଥିବା ଛାତ୍ର ଜଣକ ହେଲେ ନିକଟସ୍ଥ "ବଡହଳଦୀଆକନ୍ଦ" ଗ୍ରାମର 'ମିଥୁନ ଡାଙ୍ଗୁଆ' ଙ୍କ ପୁଅ "ତଫାନ ଡାଙ୍ଗୁଆ" । ପ୍ରଥମେ ସାମାନ୍ୟ ଆଘାତଲାଗିଛି ଭାବି ପାଠ ପଢାଉଥିବା ଶିକ୍ଷୟିତ୍ରୀ ଜଣକ ଘଟଣାକୁ ଗୁରୁତ୍ୱ ନଦେଇ ଛାତ୍ର ଜଣଙ୍କୁ ଘରକୁ ପଠାଇ ଦେଇଥିଲେ । ଛାତ୍ର ଜଣକ ଘରେ ପହଞ୍ଚିବା ପରେ ତାଙ୍କୁ ବାନ୍ତି ହେବାରୁ 'ମା' ଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ନିକଟସ୍ଥ 'କୁଚେଇ ସ୍ୱାସ୍ଥ୍ୟକେନ୍ଦ୍ର' କୁ ନେଇ ଭର୍ତ୍ତି କରିଥିଲେ । ସେଠାରେ ସେ ବାରମ୍ବାର ବାନ୍ତି କରିବାରୁ ତାଙ୍କୁ ତୁରନ୍ତ ବାରିପଦା ସ୍ଥିତ 'ପିଆରଏମ୍ ମେଡ଼ିକାଲ କଲେଜ ଏଣ୍ଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ବାରିପଦା ଡାକ୍ଟରଖାନାରେ ମଧ୍ୟ ଛାତ୍ର ଜଣଙ୍କର ସ୍ଥିତି ଗମ୍ଭୀର ରହିଥିବା ଜାଣି ତାଙ୍କୁ ଆଜି କଟକ ବଡମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।