କନକ ବ୍ୟୁରୋ : ୨୦୧୫ ମସିହାରେ ନୂଆପଲ୍ଲୀ ମମତାଜ୍ ଅଲ୍ଲୀ ହାଇସ୍କୁଲ୍ ନିକଟରେ ମୁକୁଳା ଡ୍ରେନ୍ରେ ଭାସି ଯିବାରୁ ନାବାଳକ ପୁପୁନ୍ ବିଶ୍ବାଳଙ୍କର ମୃତ୍ୟୁ ଘଟିଥିଲା । ଏହା ଭିତରେ ୬ବର୍ଷ ବିତିଗଲା ସିନା ମୁକୁଳା ଡ୍ରେନ୍ ସଜଡ଼ା ହୋଇପାରିଲାନି । ବାବୁମାନଙ୍କ ମୁଣ୍ଡରେ ବୁଦ୍ଧି ପଶିଲାନି । ଏହା ଭିତରେ ଅନୁରୂପ ଭାବେ ୫ଜଣ କୃତ୍ରିମ ବନ୍ୟାରେ ପ୍ରାଣ ହରାଇଛନ୍ତି । ବାବୁମାନଙ୍କ ଅପାରଗତା ଓ ଉଦାସୀନତା ପାଇଁ ପୁଣି ଆଜି ଜଣେ ୧୫ବର୍ଷୀୟ ଛାତ୍ରର ଜୀବନ ଦୀପ ଲିଭିଯାଇଛି ବୋଲି ଅଭିଯୋଗ ହୋଇଛି ।
ବରମୁଣ୍ଡା ଶତାବ୍ଦୀନଗର ଦେଇ ଯାଇଥିବା ବିଏମ୍ସିର ୮ନମ୍ବର ନାଳରେ ଭାସିଯାଇ ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ ବେହେରା ଓରଫ୍ ରାଜା ନିଖୋଜ ହେବା ପରେ ଏଭଳି ଆଶଙ୍କା କରାଯାଇଛି । ଆଜି ଏହି ଅଘଟଣ ସମଗ୍ର ରାଜଧାନୀରେ ଗଭୀର ଆଲୋଡନ ସୃଷ୍ଟି କରିଛି ଓ ବିଭିନ୍ନ ମହଲରୁ ବିଏମ୍ସିକୁ ଦାୟୀ କରାଯାଇଛି । ବିଏମ୍ସି କେବେ ଆଉ ଚେତିବ ବୋଲି ପ୍ରଶ୍ନ କରାଯାଇଛି । ଏଭଳି ଅଘଟଣର ଶେଷ କେଉଁଠି ବୋଲି ରାଜଧାନୀବାସୀ ପ୍ରଶ୍ନ କରିଛନ୍ତି ।
ସୂଚନାଯୋଗ୍ୟ ରବିବାର ଅପରାହ୍ଣ ପ୍ରାୟ ସାଢ଼େ ୨ଟା ବେଳେ ବରମୁଣ୍ଡା ଢିପସାହିର ହୃଷୀକେଶ ବେହେରାଙ୍କ ପୁଅ ରାଜା ଟ୍ୟୁସନ୍ ଯିବା ପାଇଁ ସାଇକେଲ ଧରି ସୌଭାଗ୍ୟନଗର ଅଭିମୁଖେ ବାହାରିଥିଲା । ମାତ୍ର କେଇ ମିନିଟ୍ ପୂର୍ବରୁ ବର୍ଷା ଛାଡ଼ିଥିବାରୁ ରାସ୍ତାଘାଟ ବୁଡ଼ି ରହିଥିଲା। ଡ୍ରେନ୍ ଓ ରାସ୍ତା ଜଳାର୍ଣ୍ଣବ ହୋଇଯାଇଥିଲା । ଫଳରେ ରାଜା ବାଟ ଜାଣିନପାରି ଡ୍ରେନ୍ ଭିତରକୁ ପଶି ଯାଇଥିଲା । ପ୍ରଖର ସ୍ରୋତରେ ରାଜା ବୁଡ଼ି ଯାଇଥିଲା ଓ ଭାସି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ସେଠାରେ ପ୍ରାୟ ୧୦ କିମି ଦୈର୍ଘ୍ୟର ଡ୍ରେନ୍ରେ ପଶି ୮ଘଣ୍ଟା କାଳ ଖୋଜାଖୋଜି କରିଥିଲେ ବି ରାଜାର ପତ୍ତା ମିଳିନଥିଲା । ଆଜି ସକାଳ ୬ଟାରୁ ପୁଣି ଖୋଜାଖୋଜି ଆରମ୍ଭ ହୋଇଛି ।
ରାଜାର ମୃତ୍ୟୁ ଖବର ବରମୁଣ୍ଡା ଢିପସାହିରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସମଗ୍ର ଢିପସାହିରେ ଶୋକର ଛାୟା ଖେଳିଯାଇଥିଲା । ଛୋଟ ବେଳୁ ରାଜାକୁ ବରମୁଣ୍ଡା ଗାଁ ଦାଣ୍ଡରେ ଖେଳାବୁଲା କରିବା ଦେଖିଥିବାରୁ ଲୋକେ କାନ୍ଦି ପକାଉଥିଲେ । ମା’ ପାଗଳ ପ୍ରାୟ ପ୍ରଳାପ କରୁଥିଲେ ଓ ରାଜାକୁ ଟ୍ୟୁସନ୍ରୁ ଘରକୁ ଆଣ ବୋଲି କହୁଥିଲେ । ସେ ବାରମ୍ବାର ଚେତା ହରାଉଥିଲେ । ଅପରପକ୍ଷରେ ରାଜା ବ୍ୟବହାର କରୁଥିବା ଫୋଟନ୍ ଏକ୍ସ ସାଇକେଲ୍କୁ ଦେଖିବା ପରେ ରାଜା କାହିଁ କାହିଁ ବୋଲି ସେ ଚିତ୍କାର କରି କାନ୍ଦୁଥିଲେ । ତାଙ୍କ ହୃଦୟବିଦାରକ କ୍ରନ୍ଦନରେ ଅନ୍ୟମାନେ ମଧ୍ୟ ବାହୁନି ବାହୁନି କାନ୍ଦୁଥିଲେ । ସୂଚନାଯୋଗ୍ୟ ରାଜା ଘରର ବଡ଼ପୁଅ ହୋଇଥିବାରୁ ଖୁବ୍ ଗେହ୍ଲା ଥିଲା ।