ପରୀକ୍ଷା ଦେବାକୁ ପିଲା ଯାଉଛନ୍ତି ପିକଅପ୍ ଭ୍ୟାନରେ । ପ୍ରଧାନ ଶିକ୍ଷକ କହିଲେ, ବାହାଘର ସିଜିନ ଚାଲିଛି, ଗାଡି ମିଳୁନି । କେମିତି ପିଲାଙ୍କୁ ନେବୁ?

449

କନକ ବ୍ୟୁରୋ : ପିକଅପ୍ ଭ୍ୟାନ ଡାଲାରେ ଖୁନ୍ଦାଖୁନ୍ଦି ହୋଇ ପରୀକ୍ଷା ହଲକୁ ବୁହା ହେଉଛନ୍ତି ଛାତ୍ରଛାତ୍ରୀ । ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି । ଛାତ୍ର ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଟ୍ରିକ୍ ପରୀକ୍ଷା ଦେବା ପାଇଁ ଘରଠାରୁ ଅନେକ ଦୂର ପରୀକ୍ଷା କେନ୍ଦ୍ରକୁ ପିକଅପରେ ଯାଉଛନ୍ତି ଛାତ୍ରମାନେ । ଜମନକିରା ବ୍ଲକ ଟାଙ୍ଗରାଣି ସ୍କୁଲରୁ ଭୋଜପୁର ଆଶ୍ରମ ସ୍କୁଲକୁ ପ୍ରତିଦିନ ପରୀକ୍ଷା ଦେବାକୁ ଏମିତି ଡାଲାରେ ଠିଆ ହୋଇ ଆସୁଛନ୍ତି ଛାତ୍ରଛାତ୍ରୀ ।

ପ୍ରତିଟି ବିଷୟରେ ପରୀକ୍ଷା ଦେବା ପାଇଁ ଏମିତି ପିକଅପ୍ ଗାଡି ଡାଲାରେ ଠିଆ ହୋଇ ଯାଉଛନ୍ତି ସେମାନେ । ତାରି ଭିତରେ ପୁଅ, ତାରି ଭିତରେ ଝିଅ । ଡ୍ରାଇଭର କହୁଛି ପ୍ରଧାନ ଶିକ୍ଷକ ଡାଲାରେ ପିଲାଙ୍କୁ ନେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ପ୍ରଧାନ ଶିକ୍ଷକଙ୍କ ଯୁକ୍ତି ବି ବିଚିତ୍ର । କହିଛନ୍ତି ଏବେ ବାହାଘର ସିଜିନ ଚାଲିଛି । ଗାଡି ମିଳୁନି । ତେଣୁ ବାଧ୍ୟ ହୋଇ ପିକଅପ ଭ୍ୟାନରେ ନେବା ଆଣିବା କରୁଛୁ । ସ୍କୁଲର ଛାତ୍ରଛାତ୍ରୀ ଗରୀବ ଶ୍ରେଣୀର ହୋଇଥିବାରୁ ଅନ୍ୟ ଉପାୟ ବି ନାହିଁ ।

ପରୀକ୍ଷା କେନ୍ଦ୍ରକୁ ବିପଦପୂର୍ଣ ଭାବରେ ଯିବା ବେଳେ ଅନେକ ଥର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ଛାତ୍ରଛାତ୍ରୀ ମୃତାହାତ ହେଉଥିବାର ନଜିର ଆସୁଛି । ହେଲେ କୁଚିଣ୍ଡା ଅଂଚଳର ଏ ବିପଦପୂର୍ଣ ପରୀକ୍ଷାଯାତ୍ରାକୁ ଅଭିଭାବକମାନେ ବି କେମିତି ପ୍ରଶୟ ଦେଉଛନ୍ତି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ସଭିଏଁ ପଢିବେ ସଭିଏଁ ବଢିବେ ହେଉଛି ଆମ ସର୍ବଶିକ୍ଷା ଅଭିଯାନର ମୂଳଲକ୍ଷ୍ୟ । ହେଲେ ଆଗାମୀ ଦିନର ଭବିଷ୍ୟତମାନେ ନିଜ ଭବିଷ୍ୟତ ଗଢିବା ପାଇଁ ଯେ ନିଜ ନିଜ ଜୀବନକୁ ଯେ ବାଜି ଲଗାଇବାପାଇଁ ବାଧ୍ୟ ହେଉଛନ୍ତି ଏକଥା କିଏ ଆଉ କେବେ ବୁଝିବ ।