ନେତା ବାଛିବେ ଛାତ୍ରଛାତ୍ରୀ ! ଆଜି ୩୭୫ଟି କଲେଜରେ ହେବ ଛାତ୍ର ସଂସଦ ନିର୍ବାଚନ

30

କନକ ବ୍ୟୁରୋ: ଆଜି (ଶନିବାର) ଛାତ୍ର ସଂସଦ ନିର୍ବାଚନ । ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସେମାନଙ୍କ ନେତା ଚୟନ କରିବେ । ଏଥିପାଇଁ ସମସ୍ତ କ୍ୟାମ୍ପସରେ ପ୍ରସ୍ତୁତି ଶେଷ ହୋଇଛି । ଚଳିତବର୍ଷ ୪୧୬ଟି କଲେଜରେ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସେଥିରୁ ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ୧୨ଟି କଲେଜରେ ଛାତ୍ର ଅଶାନ୍ତି ଯୋଗୁଁ କ୍ୟାମ୍ପସକୁ ସାଇନ୍-ଏ-ଡାଏ କରାଯାଇଛି । ପ୍ରାୟ ୨୯ଟି କଲେଜରେ ପ୍ରାର୍ଥୀମାନେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି । ତେଣୁ ଆଜି ୩୭୫ଟି କଲେଜରେ ନିର୍ବାଚନ ହେଉଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

ସକାଳ ୮ଟାରୁ ଭୋଟିଂ ଆରମ୍ଭ ହେବ । ତାହାକୁ ଦୃଷ୍ଟିରେ ରଖି ସମସ୍ତ କ୍ୟାମ୍ପସରେ ବ୍ୟାପକ ପୁଲିସ ମୁତୟନ କରିବାକୁ କୁହାଯାଇଛି । ବିଶ୍ୱବିଦ୍ୟାଳୟ ଏବଂ କଲେଜ କର୍ତ୍ତୃ ପକ୍ଷ ସ୍ଥାନୀୟ ପୁଲିସର ସହାୟତାରେ କ୍ୟାମ୍ପସର ସୁରକ୍ଷା ବଢ଼ାଇବେ । ଏଥିସହ ଶିକ୍ଷାନୁଷ୍ଠାନ କର୍ତ୍ତୃ ପକ୍ଷ ମଧ୍ୟ ନିଜର ସ୍ୱତନ୍ତ୍ର ସୁରକ୍ଷା କର୍ମୀ ନିୟୋଜିତ କରିବେ । ହଷ୍ଟେଲଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ସହ କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରତି ଶ୍ରେଣୀ/ବିଭାଗ ଲାଗି ଅଲଗା ଅଲଗା ବୁଥ୍ କରାଯିବ । ପ୍ରାର୍ଥୀଙ୍କ ଏଜେଣ୍ଟମାନେ ଭୋଟ ଆରମ୍ଭ ହେବା ପୂର୍ବରୁ ବୁଥ୍ରେ ଉପସ୍ଥିତ ରହିବେ । ଛାତ୍ରଛାତ୍ରୀ ଭୋଟ ଦେବା କ୍ଷଣି କ୍ୟାମ୍ପସ ବାହାରକୁ ଚାଲିଯିବେ । କଲେଜର ନିର୍ବାଚନ ପରିଚାଳନା କମିଟି ସଦସ୍ୟମାନେ କ୍ୟାମ୍ପସର ବିଭିନ୍ନ ସ୍ଥାନକୁ ଭ୍ରମଣ କରି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ । ଅପରାହ୍ନ ୨ଟାରେ ଭୋଟ ଗ୍ରହଣ ସରିବ । ଏହାପରେ ଭୋଟଗଣତି କରାଯାଇ ସନ୍ଧ୍ୟା ସୁଦ୍ଧା ଫଳ ପ୍ରକାଶ କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟ ପକ୍ଷରେ କାଁ ଭାଁ ଗଣ୍ଡଗୋଳକୁ ଛାଡ଼ି ଗତକାଲି ସମସ୍ତ କ୍ୟାମ୍ପସରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ପ୍ରାର୍ଥୀମାନେ ଶେଷ ଥର ଲାଗି କ୍ୟାମ୍ପସରେ ନିଜ ସପକ୍ଷରେ ଭୋଟ ମାଗିଛନ୍ତି । ସୋସିଆଲ୍ ମିଡ଼ିଆରେ ବି ପ୍ରାର୍ଥୀମାନେ ପ୍ରଚାର ଜାରି ରଖିଛନ୍ତି । ବିଭିନ୍ନ ରାଜନୈତିକ ଦଳର ଛାତ୍ର ସଂଗଠନଗୁଡ଼ିକ ନିର୍ବାଚନରେ ପ୍ରାର୍ଥୀ ଦେଇଥିବାରୁ ସେମାନଙ୍କର ଛାମୁଆ ନେତାମାନେ ଗତକାଲି ଶେଷ ରଣନୀତି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ଆଜି ସନ୍ଧ୍ୟାରେ କେଉଁ ସଂଗଠନର ଦମ୍ କେତେ, ତାହା ସ୍ପଷ୍ଟ ହେବ ।