କନକ ବ୍ୟୁରୋ: ଆଜିଠୁ ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଗୃହରେ ଶୋକ ପ୍ରସ୍ତାବ ଆଗତ ପରେ, ଆରମ୍ଭ ହୋଇଯାଇଥିଲା ହଟ୍ଟଗୋଳ। ବିରୋଧୀଙ୍କ ହଙ୍ଗାମା ଯୋଗୁଁ ପ୍ରଥମାର୍ଦ୍ଧ ଚାଲି ପାରିଲାନି। ଆଉ ଲୋକଙ୍କ କଥା ଆଲୋଚନା ହୋଇପାରିନି। ..

Advertisment

ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ଦେଖିବାକୁ ମିଳିଛି ଏମିତି ଘଟଣା। ପ୍ରଶ୍ନକାଳ ଚାଲିଥିବା ସମୟରେ ଛାତ୍ର ସଂସଦ ନିର୍ବାଚନ ଦାବିରେ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିଛନ୍ତି। ଛାତ୍ର ସଂସଦ ନିର୍ବାଚନ ଦାବିରେ ବାଚସ୍ପତିଙ୍କ ପୋଡିୟମ ତଳେ ହଙ୍ଗାମା କରିଛନ୍ତି କଂଗ୍ରେସ ବିଧାୟକ। .. ସେହିପରି ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠାଇ ହୋହଲ୍ଲା କରିଛନ୍ତି ବିଜେଡି ବିଧାୟକ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ କରିଥିଲେ ବାଚସ୍ପତି।

ଚଳିତ ଅଧିବେଶନର ପ୍ରଥମ ପର୍ଯ୍ୟାୟ, ହେହଲ୍ଳା ଓ ନାରାବାଜି ଭିତରେ ଶେଷ ହୋଇଥିବାରୁ ଏଥର ବିଧାୟକଙ୍କଠୁ ଅନ୍ୟ କିଛି ଆଶା କରୁଥିଲେ ଲୋକ। ଏଥର ବିଧାୟକମାନେ ନିଜ ନିଜ ଅଂଚଳର ପ୍ରସଙ୍ଗ ଉଠାଇବେ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ପ୍ରଥମ ଦିନରେ ପୂର୍ବ ଭଳି ଅବସ୍ଥା ଦେଖିବାକୁ ମିଳିଛି। ତେବେ ବିଧାନନସଭା ସ୍ୱାଭାବିକ ନହେବାକୁ ନେଇ ବିରୋଧୀଙ୍କୁ ଦୋଷ ଦେଇଛନ୍ତି ଶାସକ ଦଳ ସଦସ୍ୟ।

ତେବେ ଅପରାହ୍ନରେ ସ୍ୱାଭାବିକ ଭାବେ ଚାଲିଛି ବିଧାନସଭା। ଗୃହରେ ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ କରାଯାଇଛି। ଏବଂ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବାର ଥିବାରୁ ଆଗାମି ଦିନରେ ବିଧାୟକମାନେ ଗୃହରେ ଲୋକଙ୍କ କଥା ଉଠାଇବେ ବୋଲି ଆଶା କରାଯାଉଛି।