କନକ ବ୍ୟୁରୋ : ଫିନାଇଲ ମିଶା ଡାଲି ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ବାଲେଶ୍ୱର ଜିଲ୍ଲା ରୂପସା ଘରୋଇ ଆବାସିକ କଲେଜରେ ଫିନାଇଲ ମିଶା ଡାଲି ଖାଇ ପ୍ରାୟ ୮ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି।

Advertisment

ମିଳିଥିବା ସୂଚନା ମୁତାବକ, ଏହି କଲେଜ ରୋଷେଇ ଘରେ ଗତକାଲି ଡାଲି ଶୁଖା ଯାଇଥିଲା। ତେବେ ସଫେଇ କର୍ମଚାରୀର ଅସାବଧାନତା କାରଣରୁ କାଚ ବୋତଲରେ ଥିବା ଫିନାଇଲ ବୋତଲ ଭାଙ୍ଗି ଡାଲିରେ ମିଶି ଯାଇଥିଲା ଓ ସେ କାହାକୁ କିଛି ନ ଜଣାଇ ଭଙ୍ଗା କାଚ ସଫା କରି ପଳେଇ ଯାଇଥିଲେ। ପାଚିକା ସେହି ଡାଲିକୁ ରାନ୍ଧି ଛାତ୍ରଛାତ୍ରୀଙ୍କୁ ଖାଇବାକୁ ଦେଇଥିଲେ । ଆଉ କଲେଜର ମେସରେ ଥିବା ୪୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଛି ଜଣ ଡାଲି ଖାଇଥିଲେ । ତେବେ ଫିନାଇଲ ଗନ୍ଧ ହେବାରୁ ଅନ୍ୟମାନେ ଏହି ଡାଲି ଖାଇ ନ ଥିଲେ। କିନ୍ତୁ ଖାଇବାର କିଛି ସମୟ ମଧ୍ୟରେ ହିଁ ଚେତାଶୂନ୍ୟ ହୋଇ ପଡିଥିଲେ ୮ ଛାତ୍ରଛାତ୍ରୀ । ପରେ ତାଙ୍କୁ ତୁରନ୍ତ ରୂପସା ମେଡିକାଲ ଓ ତାପରେ ସେମାନଙ୍କୁ ବାଲେଶ୍ଵର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା କରାଯାଉଛି ।