ଏ କେମିତିକା ମଧ୍ୟାହ୍ନ ଭୋଜନ? ଭାତ, ଡାଲି ବଦଳରେ ସ୍କୁଲରେ କୁନି କୁନି ଛାତ୍ରଛାତ୍ରୀଙ୍କୁ ମିଳୁଛି ବିସ୍କୁଟ ।

840

କନକ ବ୍ୟୁରୋ : ମଧ୍ୟାହ୍ନ ଭୋଜନର ବିକଳ ଚିତ୍ର । ଭାତ, ଡାଲି ବଦଳରେ କୁନି କୁନି ପିଲାଙ୍କ ହାତରେ ବିସ୍କୁଟ ପ୍ୟାକେଟ । ଏ କେବଳ ଆଜିର ଚିତ୍ର ନୁହେଁ ଗତ ୩ ଦିନ ହେବ ମଧ୍ୟାହ୍ନ ଭୋଜନରେ ଶୁଖିଲା ବିସ୍କୁଟ ଖାଉଛନ୍ତି ଛାତ୍ରଛାତ୍ରୀ । ଆଉ ତାହା ବି ପୁଣି ଖୋଦ୍ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ । ମଧ୍ୟାହ୍ନ ଭୋଜନର ଏଭଳି ବିକଳ ଦୃଶ୍ୟ ଦେଖିବାକୁ ମିଳିଛି ଗୋପ ବ୍ଲକର ଭିମାପଡା ପ୍ରାଥମିକ ବିଦ୍ୟାଳୟରେ ।

ସ୍କୁଲରେ ଗଦା ହୋଇଛି ବସ୍ତା ବସ୍ତା ଚାଉଳ, ଡାଲି । କିନ୍ତୁ ପିଲା ଖାଉଛନ୍ତି ଶୁଖିଲା ବିସ୍କୁଟ । କାରଣ ୩ ଦିନ ହେବ ଭିମାପଡା ପ୍ରାଥମିକ ବିଦ୍ୟାଳୟରେ ରନ୍ଧା ହୋଇନାହିଁ ମଧ୍ୟାହ୍ନ ଭୋଜନ । ଆଉ ଏହାର କାରଣ ପଚାରିବାରୁ ପ୍ରଧାନ ଶିକ୍ଷକ କହିଛନ୍ତି ସ୍କୁଲ ରୋଷଘର କାର୍ଯ୍ୟ ଚାଲିଥିବାରୁ ମଧ୍ୟାହ୍ନ ଭୋଜନ ରୋଷେଇ ହୋଇପାରିନାହିଁ ।

ମଧ୍ୟାହ୍ନ ଭୋଜନର ଅବ୍ୟବସ୍ଥା ବାବଦରେ ଜାଣିବାକୁ ଯେତେବେଳେ ଆମ ପ୍ରତିନିଧି ଗୋପ ଶିକ୍ଷା ବିଭାଗର କାର୍ଯ୍ୟାଳୟରେ ପହଞ୍ଚିଥଲେ ସେତେବେଳେ ଅଫିସର ଅଧିକାଂଶ ଚେୟାର ଫାଙ୍କା ପଡିଥିଲା । ଏପରିକି ଅଫିସରେ ଥିବା ଅନ୍ୟ କର୍ମଚାରୀଙ୍କ ପାଖରୁ ସେମିତି ସନ୍ତୋଷଜନକ ଉତ୍ତର ମିଳିନଥିଲା ।

ଗୋଟିଏ ପଟେ ଜିଲ୍ଲା ଗସ୍ତ ସମୟରେ ବାହାରେ ଖାଇବା ବଦଳରେ ସ୍କୁଲରେ ଖାଇ ମଧ୍ୟାହ୍ନ ଭୋଜନର ଗୁଣବତ୍ତା ଯାଞ୍ଚ କରିବାକୁ ମନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ସ୍କୁଲ ଗସ୍ତ କରି ମଧ୍ୟାହ୍ନ ଭୋଜନ ଖାଇବା ସହ ଖାଦ୍ୟର ମାନ ଓ ଗୁଣବତ୍ତା ଯାଞ୍ଚ କରୁଛନ୍ତିି ମନ୍ତ୍ରୀ ସମୀର ଦାଶ । କିନ୍ତୁ ଖୋଦ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଶୁଖିଲା ବିସ୍କୁଟ ଦେବାକୁ ନେଇ ବିବାଦ ସୃଷ୍ଟି ହୋଇଛି । ତେବେ ପ୍ରଶ୍ନ ଉଠୁଛି ମଧ୍ୟାହ୍ନ ଭୋଜନର ବିକଳ୍ପ ବ୍ୟବସ୍ଥା କଣ ଶୁଖିଲା ବିସ୍କୁଟ । ଗୋଟିଏ ପ୍ୟାକେଟ ବିସ୍କୁଟରେ କଣ ପିଲାଙ୍କ ଭୋକ ମେଣ୍ଟିଯିବ । ଆଉ ଏଭଳି ଅଭିଯୋଗ ପରେ ମଧ୍ୟାହ୍ନ ଭୋଜନ ଯୋଜନାର ନାଁ ବଦଳାଇ କଣ ମଧ୍ୟାହ୍ନ ଟିଫିନ୍ ଯୋଜନା କରିଦେବା ଉଚିତ କି?