କନକ ବ୍ୟୁରୋ: ଲାଲ କପଡା ଧରି ରେଳ ଧାରଣାରେ ଟ୍ରେନ ଅଟକାଇବା ପାଇଁ ଚେଷ୍ଟା । ଟ୍ରେନ ଗତି ଧୀର ହେଉଛି, କିନ୍ତୁ ନ ଅଟକି ଚାଲି ଯାଉଛି ।ଏଭଳି ଘଟଣା ଘଟିଛି ବାଙ୍ଗିରୀପୋଷୀ ଷ୍ଟେସନ ନିକଟରେ । ପ୍ରକୃତ ଘଟଣା ହେଉଛି ଏମିତି କିଛି...

Advertisment

ଏ ଟ୍ରେନ କିଛି ସମୟ ତଳେ ରୁପସାରୁ ବାଙ୍ଗିରିପୋଷୀ ଯାଇଥିଲା । ବାଙ୍ଗିରିପୋଷୀ ଷ୍ଟେସନର ୩ କିଲୋମିଟର ପୂର୍ବରୁ ଜଣେ ଯୁବକକୁ ଧକ୍କା ଦେଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଉଛନ୍ତି ୨୦ ବର୍ଷୀୟ ବାପୁନ୍ ମହନ୍ତ ଯିଏ ଜଣେ  ଆଇଟିଆଇ ଛାତ୍ର । ସୂଚନା ଅନୁସାରେ ବାପୁନ୍ କାନରେ ଇଅରଫୋନ୍ ଲଗାଇ କଥା ହୋଇ ହୋଇ ରେଳ ଧାରଣା ଉପରେ ଯାଉଥିବାବେଳେ ଟ୍ରେନ୍ର ଶବ୍ଦ ଶୁଣିପାରିନଥିଲେ । ଲୋକୋ ପାଇଲଟ ବି ତାଙ୍କୁ ଦେଖି ପାରିନଥିଲେ । ଫଳରେ ଟ୍ରେନ୍ ଧକ୍କାରେ ବାପୁନଙ୍କ ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣା ଘଟାଇ ଏହି ଡିଏମୟୁ ଟ୍ରେନ୍ ବାଙ୍ଗିରିପୋଷୀ ଯାଇ ୨୦ମିନିଟ୍ ରହିବା ପରେ ପୁଣି ରୁପସା ଅଭିମୁଖେ ଫେରିଥିଲା । ଆଉ ଦୁର୍ଘଟଣା ସ୍ଥଳରେ ବାପୁନଙ୍କର କିଛି ସହପାଠୀ ଓ ସ୍ଥାନୀୟ ଯୁବକ ଟ୍ରେନଟିକୁ ଲାଲ କପଡା ଦେଖାଇ ଅଟକାଇବା ପାଇଁ ଉଦ୍ୟମ କରିଥିଲେ ।

ଆପଣ ଭାବୁଥିବେ, ଟ୍ରେନ୍ ଚାଳକଙ୍କୁ ମାରଧର କରିବା ପାଇଁ ସେମାନେ ଏ ଉଦ୍ୟମ କରିଥାଇ ପାରନ୍ତି । ହେଲେ ପ୍ରକୃତ କଥା ହେଉଛି ଟ୍ରେନ୍ ଫେରିଲା ବେଳକୁ ବି ବାପୁନଙ୍କ ମରଶରୀର ରେଳ ଧାରଣା ଉପରେ ପଡି ରହିଥିଲା । ଆଉ ଟ୍ରେନ୍ ନଅଟକି ବରଂ ମରଶରୀରକୁ ଆହୁରି କ୍ଷତିଗ୍ରସ୍ତ କରି ଚାଲି ଯାଇଥିଲା ।

ଯେହେତୁ ଜିଆରପି କିମ୍ବା ପୋଲିସ ଆସି ଦୁର୍ଘଟଣା ପରେ ରେଳ ଧାରଣା ଉପରୁ ମୃତଦେହ ଉଦ୍ଧାର କରି ନଥିଲେ ତେଣୁ ସ୍ଥାନୀୟ ଯୁବକମାନେ ଟ୍ରେନ୍ ପୁଣି ଫେରୁଥିବା ଦେଖି ତାକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ, ହେଲେ ବିଫଳ ହୋଇଥିଲେ ।