କନକ ବ୍ୟୁରୋ : ଆମ ସ୍କୁଲ ଆମକୁ ଫେରାଇ ଦିଅ । ରାସ୍ତାରେ ଶହ ଶହ ଟ୍ରକ୍ ଚାଲୁଥିବା ବେଳେ ଏତେ ଦୂର ପଢିବାକୁ ଆମେ ଯାଇପାରୁନୁ । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଏଭଳି ଦାବି କରିଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିଡି ପଂଚାୟତ ଅନ୍ତର୍ଗତ ବେଗୁନିଆପଦି ଗାଁର ଛାତ୍ରଛାତ୍ରୀ ।
ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ଯୋଜନା ପାଇଁ ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ । ବିପଦଜନକ ଅବସ୍ଥାରେ ଧୂଳିଧୁସର ରାସ୍ତାରେ ପ୍ରାୟ ୨ କିଲୋମିଟର ଚାଲିଚାଲି ସ୍କୁଲ ଯାଉଛନ୍ତିି ଛାତ୍ରଛାତ୍ରୀ । କେନ୍ଦୁଝର ଜିଲ୍ଲା ହାଟଡିହି ପଂଚାୟତ ଅନ୍ତର୍ଗତ ବେଗୁନିଆପଦି ଗ୍ରାମର ଛାତ୍ରଛାତ୍ରୀମାନେ ପ୍ରତିଦିନ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅଣଓସାରିଆ ରାସ୍ତାରେ ଶହ ଶହ ବାଲି ବୋଝେଇ ଟ୍ରକ ଯାଉଥିବା ବେଳେ କୁନି କୁନି ପିଲାମାନେ ସେହି ରାସ୍ତାରେ ଯାଉଥିବାରୁ ଚିନ୍ତାରେ ରହୁଛନ୍ତି ପରିବାର ଲୋକେ । ତେଣୁ ଆମ ସ୍କୁଲ ଆମକୁ ଫେରାଇ ଦିଅ ନାରା ଦେଇଛନ୍ତି ଛାତ୍ରଛାତ୍ରୀ ।
ବେଗୁନିଆପଦି ଗାଁରେ ବସବାସ କରନ୍ତି ୫୦ରୁ ଅଧିକ ପରିବାର । ୧୯୬୨ ମସିହାରୁ ଗାଁରେ ପ୍ରାଥମିକ ସ୍କୁଲ ନିର୍ମାଣ କରାଯାଇଥିଲା । ହେଲେ ୨୦୨୦ରେ ସ୍କୁଲ ମିଶ୍ରଣ ଯୋଜନାରେ କମ ଛାତ୍ରଛାତ୍ରୀ ଥିବା ଦର୍ଶାଇ ସରକାର ଏହି ସ୍କୁଲକୁ ଦୁଇ କିମି ଦୁରରେ ଥିବା ଟୁକୁଣା ସ୍କୁଲ ସହ ମିଶାଇ ଦେଇଥିଲେ । ତେବେ ଗାଁ ସ୍କୁଲର ଶ୍ରେଣୀଗୃହ, ପାଚେରୀ ଅକ୍ଷତ ଅବସ୍ଥାରେ ରହିଥିବା ବେଳେ ପିଲାମାନଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା ରହିଛି । ତେଣୁ ସ୍କୁଲକୁ ବନ୍ଦ ନ କରି ପୁଣି ଥରେ ଏଠାରେ ପାଠପଢା ଆରମ୍ଭ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଗ୍ରାମବବାସୀ । କୁନି କୁନି ପିଲା ଏବଂ ଗ୍ରାମବାସୀଙ୍କ ଆକୁଳ ନିବେଦନକୁ ପ୍ରଶାସନ ଗ୍ରହଣ କରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।