ବାଣୀବିହାରରେ ଗଠନ ହେବ ଛାତ୍ର ପରିଷଦ ! ହୀରକ ଜୟନ୍ତୀ ପାଇଁ ଛାତ୍ରଗୋଷ୍ଠୀଙ୍କୁ ମନାଉଛନ୍ତି କୁଳପତି

49

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ବାଣୀବିହାର । ଛାତ୍ରଗୋଷ୍ଠୀଙ୍କୁ ଭୁତାଉଛନ୍ତି କୁଳପତି । ଅଭିଯୋଗ ହେଉଛି ଗୋଟିଏ ଛାତ୍ର ଗୋଷ୍ଠିକୁ ଫାଇଦାରେ ରଖିବାପାଇଁ ଅନ୍ୟ ଦୁଇ ଛାତ୍ର ଗୋଷ୍ଠୀଙ୍କୁ ଭିନ୍ନ କଥା କହି ରାଜି କରାଯାଉଛି । ପରିଷଦ ଗଠନ କରିବାକୁ ଉକ୍ରଳ ବିଶ୍ୱବିଦ୍ୟାଳୟ କର୍ତୁପକ୍ଷଙ୍କ ବିଜ୍ଞପ୍ତି ପ୍ରକାଶ ପରେ ଏହାକୁ ନେଇ ଆଜି ଭିସି ଅଫିସରେ ତିନି ଛାତ୍ର ଗୋଷ୍ଠୀଙ୍କ ସହ ଘନଘନ ଆଲୋଚନା ହୋଇଥିଲା ।

ତେବେ ଛାତ୍ର ପରିଷଦ ଗଠନରେ ମଧ୍ୟ ଟାଳଟୁଳ ନୀତି ଗ୍ରହଣ କରାଯାଉଥିବା ଅଭିଯୋଗ ହେଉଛି । ବିସିଜେଡି ସମର୍ଥିତ ଛାତ୍ରଗୋଷ୍ଠୀଙ୍କୁ ଛାତ୍ର ପରିଷଦ ଗଠନ ଓ କନଭେନର ଚୟନ କରାଯିବ ବୋଲି କୁହାଯାଇଥିବାବେଳେ ଅନ୍ୟ ଦୁଇ ଗୋଷ୍ଠୀ ଏବିଭିପି ଓ ଛାତ୍ର କଂଗ୍ରେସକୁ ପ୍ରତି ବିଭାଗରୁ ଛାତ୍ର ପ୍ରତିନିଧି ବଛାଯାଇ ଗୋଟିଏ ଲେଖାଏଁ ଗ୍ରୁପ କରାଯିବ ବୋଲି ଭିସି କହିଛନ୍ତି ।

ଏନେଇ ଉକ୍ରଳ ବିଶ୍ୱବିଦ୍ୟାଳୟ କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଚଳିତବର୍ଷ ଗଣ୍ଡଗୋଳ ଯୋଗୁଁ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଥିଲା । ଏହାଛଡା ଚଳିତ ବର୍ଷ ଉକ୍ରଳ ବିଶ୍ୱବିଦ୍ୟାଳୟରେ ହୀରକ ଜୟନ୍ତି ପାଳନ କରାଯିବ । ତେଣୁ ଛାତ୍ର ସଂସଦ ବଦଳରେ ଛାତ୍ର ପରିଷଦ ଗଠନ କରି ହୀରକ ଜୟନ୍ତୀକୁ ସୂଚାରୁ ରୂପେ ସାରିବାକୁ ଯୋଜନା କରିଛନ୍ତି କୁଳପତି । ତେବେ ଏସବୁ ବାଦ୍ ହୀରକ ଜୟନ୍ତୀରେ କାହାକୁ ଅତିଥି କରାଯିବ ତାହାକୁ ନେଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି ।