ମମିତା ନିଖୋଜ ମାମଲା, ଛାତ୍ର କଂଗ୍ରେସ ତାତିଲା । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଘର ଉପରକୁ ଅଣ୍ଡା ମାଡ କଲା ଛାତ୍ର କଂଗ୍ରେସ ।

205

କନକ ବ୍ୟୁରୋ : ମହାଲିଙ୍ଗ ସନସାଇନ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣା ଏବେ ରାଜନୈତିକ ମୋଡ ନେଇଛି । ମମିତାଙ୍କ ନିଖୋଜ ପଛରେ ମୁଖ୍ୟ କାର୍ପଟଦାର କୁହାଯାଉଥିବା ସନସାଇନ ସ୍କୁଲର ମାଲିକ ଗୋବିନ୍ଦ ସାହୁ ଥାନାରୁ ଫେରାର ହେବା ପରେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଗୋବିନ୍ଦ ସାହୁଙ୍କ ସ୍କୁଲକୁ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ବାରମ୍ବାର ଆସୁଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଆଉ ଏହାପରେ ଦିବ୍ୟଶଙ୍କରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ଏଥିପାଇଁ ଗୃହରାଷ୍ଟ୍ର ମନ୍ତ୍ରୀ ଦିଅନ୍ତି ବୋଲି ଦାବି କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ।

ଏପରିକି ଛାତ୍ର କଂଗ୍ରେସ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ନାରାବାଜି କରିବା ସହ ଧଶେଇ ପଶିବାକୁ ଉଦ୍ୟମ କରିଛନ୍ତି । ଦିବ୍ୟଶଙ୍କର ତୁରନ୍ତ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ଛାତ୍ର କଂଗ୍ରେସ । ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡା ଓ ଢେଲାମାଡ କରିଛନ୍ତି ଛାତ୍ର କଂଗ୍ରେସର ପିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାତ୍ର କଂଗ୍ରେସର କର୍ମୀଙ୍କୁ ଉଠାଇ ନେଇଛି । ମନ୍ତ୍ରୀଙ୍କ ସରକାରୀ ବାସଭବନକୁ ପୂରା ସୁରକ୍ଷାବଳୟ ମଧ୍ୟରେ ରଖାଯାଇଛି ।

ଅନ୍ୟପଟେ ଗୋବିନ୍ଦ ସାହୁ ଥାନାରୁ ଫେରାର ହେବା ପରେ ନାନାଦି ଦିଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।  ଗୋବିନ୍ଦ ସାହୁ ସବୁ ସମୟରେ ପାୱାର କରିଡରରେ ଥିବା ବ୍ୟକ୍ତିଙ୍କ ସହ ମିଳାମିଶା କରୁଥିଲେ । ଅଫିସର ଠାରୁ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହ ଥିଲା ମିଳାମିଶା । କଲେଜ ଓ ସ୍କୁଲ କାର୍ଯ୍ୟକ୍ରମ ଗୁଡିକୁ ଆସୁଥିଲେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଏପରିକି ମନ୍ତ୍ରୀମାନେ ହେଲିକପ୍ଟରରେ ଯାଇ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେଉଥିବା କଥା ସାମ୍ନାକୁ ଆସୁଛି । ଏପରିକି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବେଶ ଦମଦାର ବକ୍ତବ୍ୟ ବି ରଖୁଥିଲେ । ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଗୋବିନ୍ଦ ସାହୁ ଘନିଷ୍ଠତା ଥିଲା । ପୂର୍ବର କିଛି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସ୍କୁଲ ମାଲିକଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । କେବଳ ଏତିକି ନୁହେଁ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ସ୍କୁଲ ଓ କଲେଜ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସୂଚନା ମିଳିଛି । ଏହାସହ ସେ ଆହୁରୀ ବଡବଡିଆ ଲୋକଙ୍କ ସହ ବି ସମ୍ପର୍କରେ ରହିଥିଲେ । ୨୦୧୪ ମସିହାରେ ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ଗୋବିନ୍ଦ ସାହୁଙ୍କର ସମ୍ପୃକ୍ତି ଥିଲା । ଘଟଣାର କ୍ରାଇମବ୍ରାଂଚ ତଦନ୍ତ ହୋଇଥିଲା କିନ୍ତୁ ଫଳାଫଳ କିଛି ଆସିନଥିଲା । ଏହି ବ୍ୟକ୍ତିଙ୍କ ସହ ବହୁ ପଲିଟିକାଲ ଲିଙ୍କ ରହିଥିଲା । ଫଳରେ ସରକାରଙ୍କ ଏମପି, ଏମଏଲଏ ଅନୁଦାନ ଓ ସରକାରୀ ଅନୁଦାନ ସ୍କୁଲ ଓ କଲେଜରେ ଖର୍ଚ୍ଚ କରାଯାଉଥିଲା ।

ଏହାସହ ସନସାଇନ ସ୍କୁଲ ମାଲିକ ଗୋବିନ୍ଦ ସାହୁ ଓ ମମିତା ମେହେରଙ୍କ ଜଣେ ସମ୍ପର୍କୀୟ ଫୋନ କଲ ରେକର୍ଡ ଏବେ ସାମ୍ନାକୁ ଆସିଛି । ଫୋନ କଲରେ ଗୃୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ନେଇ କଥାବାର୍ତା ହେଉଛନ୍ତି । ମନ୍ତ୍ରୀ ଫୋନ ଉଠାଉ ନାହାନ୍ତି ଏବଂ ସେ ଭବାନୀପାଟଣାରେ ଅଛନ୍ତି କି ନାହିଁ ସେ ଜାଣିନାହାନ୍ତି । ତେବେ ଘଟଣା ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଛି । ସେ ଝିଅକୁ ଖୋଜି ବାହାର କରିବା ପାଇଁ ରାଜ୍ୟ ସ୍ତରରେ ଚେଷ୍ଟା କରିବେ ବୋଲି କହିଥିଲେ ଗୋବିନ୍ଦ ସାହୁ । ମିଳିଥିବା ସୂଚନା ଅନୁସାରେ ମମିତା ନିଖୋଜ ହେବା ପରେ ଗୋବିନ୍ଦ ସାହୁ ତାଙ୍କ ସମ୍ପର୍କୀୟଙ୍କୁ ଫୋନ କରି ଏଭଳି କିଛି କଥାବାର୍ତା କରିଥିଲେ । ଏବଂ ଝିଅକୁ ଖୋଜି ବାହାର କରିଦେବେ ବୋଲି ମନ୍ତ୍ରୀଙ୍କ ନାଁ ନେଇଥିଲେ । ଆଉ ଗୋବିନ୍ଦ ଏବେ ନିଜେ ଫେରାର ହୋଇଯାଇଛନ୍ତି ।