ଭଲ ନମ୍ବର ରଖଥିବାରୁ ଖୁସି ହୋଇ ବାପା ଦେଇଥିଲେ ମୋବାଇଲ୍ ! ଗେମ୍ ଖେଳିବା ଜିଦରେ ଆତ୍ମହତ୍ୟା କଲା ପୁଅ ।

316

କନକ ବ୍ୟୁରୋ : ଅନଲାଇନ୍ ଗେମ୍ ଖେଳିବା ନିଶା ଜଣେ ଛାତ୍ରଙ୍କ ଜୀବନ ନେଇଯାଇଛି । ପରୀକ୍ଷାରେ ଭଲ ନମ୍ବର ରଖିଥିବାରୁ ଖୁସି ହୋଇ ପୁଅକୁ ମୋବାଇଲ୍ ଫୋନ୍ ଗିଫ୍ଟ ଦେଇଥିଲେ ବାପା । କିନ୍ତୁ ସେହି ଫୋନରେ ଗେମ୍ ଖେଳିବାର ଜିଦରେ ଶେଷରେ ଆତ୍ମହତ୍ୟା କରିଦେଇଛି ପୁଅ । ମୋବାଇଲ ଅନଲାଇନ ଭିଡିଓ ଗେମ ‘ଫ୍ରି ଫାୟର’ ଖେଳି ଜଣେ ଛାତ୍ର ନିଜ ଜୀବନ ହରାଇ ଦେଇଛି । ମୃତ ଛାତ୍ରଙ୍କ ନାମ ସୁଭଦୀପ ଘୋଷାଲ (୨୧)ବୋଲି ଜଣାପଡ଼ିଛି ।

ଏହି ଘଟଣାଟି ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଘଟିଥିବା କୁହାଯାଉଛି । ମୃତ ଛାତ୍ରଙ୍କ ବାପାଙ୍କ କହିବାନୁସାରେ, ଦୁଇବର୍ଷ ପୂର୍ବେ ପୁଅ ଭଲ ନମ୍ବର ରଖି ମାଧ୍ୟମିକ ପରୀକ୍ଷା ପାସ କରିଥିବାରୁ ସେ ଖୁସି ହୋଇ ଏକ ସ୍ମାର୍ଟଫୋନ ଉପହାରରେ ଦେଇଥିଲେ । ଗତ ଦୁଇବର୍ଷ ହେବ କରୋନା ମହାମାରୀ ହେତୁ ଫୋନ ହିଁ ପିଲାମାନଙ୍କ ଏକମାତ୍ର ମନୋରଞ୍ଜନର ମାଧ୍ୟମ ହୋଇଯାଇଥିଲା ।

ଫୋନ ପାଇବା ପରେ ପୁଅ ଧୀରେଧୀରେ ସାଙ୍ଗସାଥୀଙ୍କ ପାଖକୁ ଯିବା କମାଇ ଦେଇଥିଲା । ପରିବାରଲୋକଙ୍କ ସହିତ ବି ଯେତିକି ଆବଶ୍ୟକ ସେତିକି କଥା ହେଉଥିଲା । ସେ ଫୋନରେ ‘ଫ୍ରି ଫାୟର’ ଖେଳ ଖେଳିବାରେ ଏତେ ମଜି ଯାଇଥିଲା ଯେ ରାତି ଅନିଦ୍ରା ବି ରହୁଥିଲା । ଅନେକ ସମୟରେ ଟଙ୍କା ପାଇଁ ଜିଦ କରୁଥିଲା । ଏହି ଜିଦ ପୂରଣ ହୋଇଗଲେ ଚୁପ ରହି ଯାଉଥିଲା । କିନ୍ତୁ ଟଙ୍କା ନଦେଲେ ଘର ଜିନିଷ ସବୁ ଫିଙ୍ଗା ଫୋପଡ଼ା କରୁଥିଲା । ତେବେ ରାତିରେ ଖାଇପିଇ ଶୋଇଥିବା ବେଳେ ସକାଳୁ ଆଉ ପୁଅ କବାଟ ଫିଟାଇ ନଥିଲା । ଆଉ କବାଟ ଭାଙ୍ଗି ଭିତରକୁ ପସିଲା ପରେ ପୁଅ ପଙ୍ଖାରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ତାକୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ହେଁ ଡାକ୍ତର ତାକୁ ମୃତ ବୋଲି ଘୋଷଣା କରିଥିଲେ ।