କନକ ବ୍ୟୁରୋ: ମଦ ପିଇ ଶିକ୍ଷକ ସ୍କୁଲ ଆସିଥିବାରୁ ଚପଲ ଫିଙ୍ଗିଲେ ଛାତ୍ର । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି । କୁହଯାଉଛି ଏହା ଛତିଶଗଡ ବସ୍ତରର । ତେବେ ଏହା ସପ୍ତାହକ ତଳର ଘଟଣା ବୋଲି ଜଣାପଡିଛି ।
ପିଲାଙ୍କୁ ପାଠ ପଢାଇବା ବଦଳରେ ଶ୍ରେଣୀ ଗୃହରେ ଶୋଇ ପଡିଥିଲେ । ଏବଂ ଛାତ୍ରଛାତ୍ରୀଙ୍କୁ ନିଶାଶକ୍ତ ଅବସ୍ଥାରେ ଗାଳି କରିଥିଲେ । ଏହାପରେ ପିଲାମାନେ ରାଗି ଯାଇଥିଲେ । ଶିକ୍ଷକ ଜଣଙ୍କ ପିଲାଙ୍କୁ ଭଲ ବ୍ୟବହାର ଦେଖାଇନଥିବାରୁ ବିବାଦ ଆରମ୍ଭ ହୋଇଥିଲା । ଏହାପରେ ଶିକ୍ଷକ ଜଣଙ୍କ ଗାଡି ଧରି ସ୍କୁଲ ପରିସରରୁ ପଳାଇବାକୁ ପ୍ରୟାସ କରିଛନ୍ତି । ଏହି ସମୟରେ ଉତ୍ୟକ୍ତ ଛାତ୍ର ନିଜ ନିଜ ଜୋତା ଓ ଚପଲ ଖୋଲି ଶିକ୍ଷକଙ୍କ ଉପରକୁ ଫିଙ୍ଗିଥିବା ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ଅନୁସାରେ ଶିକ୍ଷକ ଜଣଙ୍କ ବସ୍ତର ପିଲିଭଟ୍ଟ ପ୍ରାଥମିକ ବିଦ୍ୟାଳୟର । ସୋଶିଆଲ ମିଡିଆରେ ଏବେ ଏହାକୁ ନେଇ ବିଭିନ୍ନ ବିତର୍କ ଆରମ୍ଭ ହୋଇଛି । କେହି କେହି ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅନ୍ୟକିଛି ସ୍କୁଲ ପରିସରରେ ଅନ୍ୟ କୌଣସି ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ନଥିଲେ କି ବୋଲି ପ୍ରଶ୍ନ ଉଠାଇଛନ୍ତି । ସେହିପରି ଛାତ୍ରଛାତ୍ରୀ ସାରଙ୍କୁ ଏଭଳି ବ୍ୟବହାର ପ୍ରଦର୍ଶନ କରିବା ଉପରେ ମଧ୍ୟ ଆଉ କେହି ପ୍ରଶ୍ନ ଉଠାଇଛନ୍ତି ।