ରାଷ୍ଟ୍ରପତିଙ୍କ ଗାଡି ପାଇଁ ଅଟକିଗଲା ଟ୍ରାଫିକ୍ : ଠିକ ସମୟରେ ହସ୍ପିଟାଲରେ ପହଁଚି ନପାରି ଆଖି ବୁଜିଦେଲେ ରୋଗୀ; ମହିଳାଙ୍କ ମୃତ୍ୟୁ ପାଇଁ ଘରେ ପହଁଚି କ୍ଷମା ମାଗିଲା କାନପୁର ପୁଲିସ

328

କନକ ବ୍ୟୁରୋ : ଉତ୍ତରପ୍ରଦେଶର କାନପୁର ପୁଲିସ୍, ଜଣେ ମହିଳାଙ୍କ ମୃତ୍ୟୁ ପାଇଁ ଆଜି କ୍ଷମା ପ୍ରାର୍ଥନା କରିଛି । ପୁଲିସ୍, ଲୋକଙ୍କୁ କ୍ଷମା ମାଗିବା ଘଟଣା ଖୁବ୍ ବିରଳ । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ଏମିତି କ’ଣ ହେଲା ଯେ, ପୁଲିସକୁ କ୍ଷମା ମାଗିବାକୁ ପଡ଼ିଲା । କାହାଣୀଟି ଠିକ୍ ଏହିଭଳି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଘର କାନପୁରକୁ ୩ ତିନିଆ ଗ୍ରସ୍ତରେ ଆସିଛନ୍ତି । ନିଜ ଜନ୍ମଦିନ ପାଇଁ କାନପୁର ଆସିବା ସମୟରେ ରାସ୍ତାରେ ଏକ ଅଭାବନୀୟ ଘଟଣା ଘଟିଗଲା ।

ରାଷ୍ଟ୍ରପତି ମହୋଦୟଙ୍କ ଆଗମନକୁ ଦେଖି ଟ୍ରାଫିକ୍କୁ ନିୟନ୍ତ୍ରଣ କରାଯାଇଥିଲା । ଆଉ ଲୋକମାନେ ଦୀର୍ଘ ସମୟ ଧରି ରାଷ୍ଟ୍ରପତିଙ୍କ ଯୋଗୁଁ ରାସ୍ତାରେ ଅଟକି ରହିଲେ । ଠିକ୍ ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଜଣେ ଗୁରୁତର ରୋଗୀ ହସ୍ପିଟାଲ ପହଂଚି ନପାରି ମୃତ୍ୟୁବରଣ କରିଛନ୍ତି । ମହିଳା ଜଣଙ୍କ ନା ହେଉଛି ବନ୍ଦନା ମିଶ୍ର । ତାଙ୍କ ବୟସ ୫୦ ବର୍ଷ । ବେଶ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ଆଉ ଗତକାଲି ତାଙ୍କ ଅବସ୍ଥା ଅତି ଗୁରୁତର ହୋଇଯାଇଥିଲା । ପରିବାର ଲୋକ ତାଙ୍କୁ ଗାଡ଼ିରେ ହସ୍ପିଟାଲ ନେଇ ଯାଇଥିଲେ । ହେଲେ ରାଷ୍ଟ୍ରପତିଙ୍କ ଗସ୍ତ ଯୋଗୁଁ ତାଙ୍କୁ ରାସ୍ତାରେ ବହୁ ସମୟ ଧରି ଅଟକି ରହିବାକୁ ପଡ଼ିଲା । ଆଉ ହସ୍ପିଟାଲ ପହଂଚିବା ବେଳକୁ ବହୁତ ବିମ୍ବଳ ହୋଇସାରିଥିଲା । ସେତେବେଳେ ତାଙ୍କର ମୃତ୍ୟୁ ହୋଇସାରିଥିଲା ।

ଏହି ଘଟଣାକୁ ନେଇ ପୁଲିସ ଦୁଃଖ ପ୍ରକାଶ କରିଥିବା ବେଳେ ୪ ଜଣ ପୁଲିସ କର୍ମଚାରୀଙ୍କ ନିଲମ୍ବନ କରାଯାଇଛି । ବଡ଼ କଥା ହେଉଛି ଏହି ଘଟଣାକୁ ସ୍ଥାନୀୟ ପୁଲିସ କମିଶନରଙ୍କ ଆଲୋଚନା କରିଛନ୍ତି ରାଷ୍ଟପତି ରାମନାଥ କୋବିନ୍ଦ । ଏମିତି କି ତାଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବାକୁ ରାଷ୍ଟପତି କହିଛନ୍ତି । କିନ୍ତୁ ଏହି ସବୁ ଭିତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି । ଯାହାକୁ ନେଇ କାନପୁର ସମେତ ଦେଶର ବିଭିନ୍ନ ସ୍ଥାନରେ ଏଭଳି ଘଟଣାକୁ ନିନ୍ଦା କରାଯାଇଛି । କାରଣ ଭିଆଇପି ମୁଭମେଂଟ ସମୟରେ ମଧ୍ୟ, ଯଦି କୌଣସି ଏମରଜେନ୍ସି ଥାଏ, ତେବେ ଗାଡ଼ିକୁ ଛାଡ଼ିବା ପାଇଁ ନିୟମ ରହିଛି । ତେବେ କେଉଁ ପରିସ୍ଥିତରେ ଏଠି ନିୟମ ପାଳନ ହେଲା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି ।