ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ବିନ୍ନି । ଦିନିକିଆ କ୍ରିକେଟରେ ଏଯାଏଁ ଭାଙ୍ଗିନି ବିନ୍ନିଙ୍କ ରେକର୍ଡ । 

257

କନକ ବ୍ୟୁରୋ : ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଭାରତୀୟ କ୍ରିକେଟର ଷ୍ଟୁଆର୍ଟ ବିନ୍ନି । ସୋମବାର ଏନେଇ ଘୋଷଣା କରିଛନ୍ତି ଷ୍ଟୁଆର୍ଟ । ୩୭ ବର୍ଷୀୟ ବିନ୍ନି ଦୀର୍ଘ ବର୍ଷ ହେବ ଟିମ୍ ଇଣ୍ଡିଆରେ ସ୍ଥାନ ପାଇପାରିନଥିଲେ । ଏପରିକି ୨୦୧୬ ପରଠାରୁ ବିନ୍ନି କୌଣସି ଅର୍ନ୍ତଜାତୀୟ ମ୍ୟାଚ୍ ଖେଳିନଥିଲେ । ଘରୋଇ କ୍ରିକେଟ ଜରିଆରେ ଟିମ୍ ଇଣ୍ଡିଆରେ ପ୍ରବେଶ କରିବାକୁ ବିନ୍ନି ପ୍ରୟାସ କରୁଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ । ଟିମ୍ ଇଣ୍ଡିଆ ପାଇଁ ୬ଟି ଟେଷ୍ଟ , ୧୪ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିଥିବା ବିନ୍ନି ୨୦୧୪ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅର୍ନ୍ତଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ପଦାର୍ପଣ ପରଠାରୁ ଲଗାତାର ଦଳରେ ସୁଯୋଗ ପାଇଥିଲେ ମଧ୍ୟ କିଛି ମ୍ୟାଚ୍ ଛାଡିଦେଲେ ସେଭଳି ଦମଦାର ପ୍ରଦର୍ଶନ କରିପାରିନଥିଲେ ।

ଖୁବ୍ କମ ଦିନର କ୍ରିକେଟ କ୍ୟାରିୟର ମଧ୍ୟରେ ବାଂଲାଦେଶ ବିପକ୍ଷରେ ବିନ୍ନି ଯେଉଁଭଳି ପ୍ରଦର୍ଶନ କରିଥିଲେ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏପରିକି ବିନ୍ନିଙ୍କୁ ସେତେବେଳେ ଭାରତୀୟ ଟିମର ଭବିଷ୍ୟତ ବୋଲି କୁହାଯାଉଥିଲା । କାରଣ ବାଂଲାଦେଶ ବିପକ୍ଷରେ ମାତ୍ର ୪ ରନ୍ ଦେଇ ୬ଟି ୱିକେଟ ନେଇ ନୂଆ ରେକର୍ଡ କରିଥିଲେ ବିନ୍ନି । ଆଉ ବିନ୍ନିଙ୍କ ଏଭଳି ରେକର୍ଡ ଏଯାଏଁ କୌଣସି ଭାରତୀୟ ବୋଲର ଭାଙ୍ଗିପାରିନାହାନ୍ତି ।

ବିନ୍ନି ନିଜ ଅର୍ନ୍ତଜାତୀୟ କ୍ରିକେଟ କ୍ୟାରିୟରରେ ସେଭଳି ଦମଦାର ପ୍ରଦର୍ଶନ କରିପାରିନଥିଲେ ମଧ୍ୟ ପ୍ରଥମଶ୍ରେଣୀ ଓ ଘରୋଇ ମ୍ୟାଚ ଲଗାତାର ଖେଳି ଆସୁଥିଲେ । ପୂର୍ବତନ କ୍ରିକେଟର ତଥା ବାପା ରୋଜର ବିନ୍ନିଙ୍କ ଭଳି ଷ୍ଟୁଆର୍ଟ ବିନ୍ନି ମଧ୍ୟ ମଧ୍ୟକ୍ରମରେ ବଡ ସଟ ଖେଳିବାରେ ମାହିର । କର୍ଣ୍ଣାଟକ ଟିମ୍ ପକ୍ଷରୁ ରଣଜୀ ମ୍ୟାଚ୍ ଖେଳୁଥିବା ବିନ୍ନି ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲ ଖେଳିଛନ୍ତି ।