ଭୋକରେ ରହିବି, ଦୁଃଖରେ ରହିବି ପଛେ ପାଠପଢାରେ ହେଳା କରିବିନି… ପାଠ ପାଇଁ କେତେ ଯେ କଷ୍ଟ କରୁଛି ଗରିବ ଝିଅ କବିତା …

158

କନକ ବ୍ୟୁରୋ: ଦୂର ପାହାଡ ତଳେ ଦାରିଦ୍ର୍ୟତରା ଗାଁ । ପାହାଡିଆ ଗାଁରେ ପାଠ ପାଇଁ ସଙ୍ଘର୍ଷ କରେ ଗରିବର ଝିଅ । ମାଟି ଆଜବେଷ୍ଟର ଘର ଭିତରୁ ପାଠର ସ୍ୱପ୍ନ ଦେଖେ ବାପଛେଉଣ୍ଡ ଝିଅ । ଜୀବନରେ ଯେତେ କଷ୍ଟ ହେଉ, ଯେତେ ଝଡ ଝଞ୍ଜା ଆସୁ.. ସେ ହାରିବନି, ଡରିବନି, ପଛକୁ ଫେରିବନି… ଅଭାବ ଭିତରେ ବି ପାଠ ପଢିବ, ଭୋକର ଭୂଗୋଳ ଭୁଲି ଉଚ୍ଚଶିକ୍ଷା ପାଇଁ ଅନଲାଇନ କ୍ଲାସ କରିବ ଆଉ ଚାକିରି କରି ବିଧବା ମାଆର କଷ୍ଟ ଦୂର କରିବ । ବଣ ମଣିଷ ହେବାକୁ ସଙ୍କଳ୍ପ କରି, ଜିଦ୍ ଧରି ପାଠ ପଢି ଚାଲିଛି ଏ ଗିରବ ଝିଅ । ଆଉ ପାଠ ପାଇଁ ତା କଷ୍ଟର କାହାଣୀ ଶୁଣିଲେ ଆପଣ ବି କହିବେ ବାଃ କବିତା ବାଃ… ପଢିବାକୁ ଜଣେ ଏମିତି ବି ସଙ୍ଘର୍ଷ କରିପାରେ..?

ରାୟଗଡା ଜିଲ୍ଲା ଗୁମ୍ମା ପଞ୍ଚାୟତ ହାଡିଆ ଗାଁର ମେଧାବୀ ଛାତ୍ରୀ କବିତା ନିଶିକା । ପାଠ ଓ ପେଟ ପାଇଁ କେତେ ଯେ କଷ୍ଟ କରୁଛନ୍ତି ତାର ସୀମା ନାହିଁ । ପିଲାବେଳୁ ବାପାଙ୍କୁ ହରାଇବା ପରେ ମାଆ ହିଁ ଛୁଆଙ୍କର ସବୁ ଦାୟିତ୍ୱ ନେଇଛନ୍ତି । କଷ୍ଟ କରି ପିଲାଙ୍କୁ ପାଠ ପଢାଇଥିବା ବେଳେ କବିତା ଭୁବନେଶ୍ୱରରେ ରହି ଯୁକ୍ତ ୩ ପଢୁଛନ୍ତି । ହେଲେ କରୋନା କଟକଣା ପାଇଁ ଯେତେବେଳେ ଶିକ୍ଷାନୁଷ୍ଠାନ ବନ୍ଦ ହେଲା ସେତେବେଳେ ଘରକୁ ପଳାଇଲେ କବିତା । କିଛି ଦିନ ପରେ ପୁଣି ସରକାର ଯେବେ ଅନଲାଇନ ଶିକ୍ଷାକୁ ଗୁରୁତ୍ୱ ଦେଲେ ସେବେ ମୋବାଇଲ ପାଇଁ ଅନେକ କଷ୍ଟ କରିଛନ୍ତି କବିତା । ଗରିବି ପାଇଁ ମୋବାଇଲ କିଣିବାକୁ ସାମର୍ଥ୍ୟ ନଥିବାରୁ ପରଘରେ ମୂଲଲାଗି, ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରି ବହୁ କଷ୍ଟେମଷ୍ଟେ ଫୋନଟିଏ କିଣିଲେ । ପାଠ ପଢିବାକୁ ସିନା ଫୋନ ଆସିଲା ହେଲେ ବିଡମ୍ବନାର ବିଷୟ ପାହାଡ ଉପରେ ଗାଁ ଥିବାରୁ ନେଟୱର୍କ ସମସ୍ୟା ଦେଖାଦେଲା । ବାଧ୍ୟହୋଇ ପାଠ ପଢିବାକୁ ରାୟଗଡା ସହରରେ ଘରଭଡା ନେଇ ରହିଲେ ।

ପାଠ ପାଇଁ କବିତାଙ୍କ ସଙ୍ଘର୍ଷ ସେତିକିରେ ସରିନାହିଁ । ଅନଲାଇନ କ୍ଲାସ କରିବାକୁ କବିତା ଘରଭଡା ବାବଦକୁ ମାସକୁ ହଜାରେ ଟଙ୍କା ଲେଖାଏଁ ଦେଉଛନ୍ତି । ଗାଁରେ ମା କଷ୍ଟ କରି ମୂଲ ଲାଗି ମା ଯେଉଁ ଟଙ୍କା ପଠାଉଛି । ସେ ଟଙ୍କା ଘରଭଡାରେ ଖର୍ଚ୍ଚରେ ହୋଇଯାଉଥିବା ବେଳେ ଖାଇବା ପାଇଁ ଟଙ୍କାଟିଏ ବି ରହୁନି । ରାସନ ବାବଦକୁ ମିଳୁଥିବା ଚାଉଳରୁ ମାଆ ଝିଅ ପାଇଁ ଯେତିକି ପଠାନ୍ତି ତାକୁ ଭାତ କରି ଭୋକ ମେଣ୍ଟାନ୍ତି କବିତା । ତରକାରୀ କରିବାକୁ ଟଙ୍କା ନଥିବାରୁ ଭାତ ସହ ଲୁଣ ଲଙ୍କା ଲଗାଇ ପେଟ ପୂରାଏ ଗରିବ ଝିଅ ।

ତେବେ ପାହାଡି ଇଲାକାର ଗରିବ ଝିଅ ପାଠ ପଢି ବଡ ମଣିଷ ହେବାକୁ କେତେ ଯେ କଷ୍ଟ କରିପାରେ, କେତେ ଯେ ସଙ୍ଘର୍ଷ ସହିପାରେ । ଶିକ୍ଷା ପ୍ରତି ନିଷ୍ଠା, ସ୍ୱପ୍ନ ପାଇଁ ପରିଶ୍ରମ କରିପାରେ ତାର ଜ୍ୱଳନ୍ତ ଦୀପଶିଖା ସାଜିଛନ୍ତି କବିତା । ଆଶା କରିବା କବିତାଙ୍କ ଏହି କଷ୍ଟର କାହାଣୀ ଶୁଣିବା ପରେ ସରକାର କିମ୍ବା ସହୃଦୟ ବ୍ୟକ୍ତି ତାଙ୍କ ଉଚ୍ଚଶିକ୍ଷା ପାଇଁ ସହଯୋଗ କରିବେ ।