କନକ ବ୍ୟୁରୋ: ସାଇକେଲ ଧରି ଗାଁରୁ ଗାଁ ବୁଲୁଥିବା ଏହି ବୃଦ୍ଧ ଜଣଙ୍କ ଜଣେ ହତଭାଗା ବାପା । ଗୋଡ ହାତ ଥରୁଛି, ଚର୍ମ ଧୁଡୁଧୁଡୁ ହେଲାଣି । ବୁଲା ବୁଲି କରିବାକୁ ବୟସ ଅନୁମତି ଦେଉନାହିଁ ସତ କିନ୍ତୁ ପରିସ୍ଥିତି ବାଧ୍ୟ କରୁଛି, ଥକି ପଡିଥିବା ପାଦକୁ ପୁଣି ଚଳଚଞ୍ଚଳ କରିବାକୁ । ଗାଁରୁ ଗାଁ ବୁଲି ଚେରମୂଳି ବିକ୍ରି କରି ପରିବାର ପ୍ରତିପୋଷଣ କରିବା ପାଇଁ । ୪୦ ବର୍ଷୀୟ ପୁଅର ଦେହାନ୍ତ ପରେ ସ୍ତ୍ରୀ ଓ ବିଧବା ବୋହୂ ପାଇଁ ଦାନା ଯୋଗାଡ କରିବାକୁ ସଂଘର୍ଷ କରୁଛନ୍ତି ପିପିଲି ବାଲି ଗାଁର ୮୨ ବର୍ଷୀୟ ମଧୁ ସାହୁ ।

Advertisment

ବୟସର ଅପରାହ୍ଣରେ ପୁଅ-ବୋହୂ ନାତି ନାତୁଣିଙ୍କ ଗହଣରେ ସମୟ ବିତାଇବା କଥା । ହେଲେ ମଧୁ ମଉସାଙ୍କ ଭାଗ୍ୟରେ ତାହା ଜୁଟିନାହିଁ । ପୁଅ ଅନ୍ତେ ପରିବାର ଚଳାଇ ପାଇଁ ସଂଘର୍ଷ କରୁଛନ୍ତି । ଜଙ୍ଗଲରୁ ଚେରମୂଳି ସଂଗ୍ରହ କରି ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରୁଛନ୍ତି । ସେହି ଔଷଧକୁ ନେଇ ଗାଁ ଗାଁ ବୁଲି ବିକ୍ରି କରୁଛନ୍ତି । ବର୍ଷ ବର୍ଷ ଧରି ୫-୧୦ ଟଙ୍କାରେ ଆୟୁର୍ବେଦିକ ଔଷଧ ବିକ୍ରି କରି ଗାଁ ବଇଦ ସାଜିଛନ୍ତି ମଧୁ ମଉସା ।

ସ୍ତ୍ରୀ ଓ ବିଧବା ବୋହୂ ପାଇଁ ଦାନା ଗଣ୍ଡାଏ ଯୋଗାଡ କରୁ କରୁ ନାତିର ଲାଳନପାଳନ ସମ୍ଭବ ହେଲା ନାହିଁ । ତେଣୁ ଅନିଛା ସତ୍ୱେ ନାତିକୁ ଅନାଥ ଆଶ୍ରମରେ ଛାଡି ଦେଇଛନ୍ତି ମଧୁ ମଉସା ।