ଦୁର୍ଘଟଣାରେ ଚାଲିଯାଇଥିଲେ ବାପା, କ୍ୟାନସରରେ ଆଖିବୁଜିଲା ମାଆ । ଅନାଥ, ଅସହାୟ ହେବା ପରେ ଏକାଏକା ବଞ୍ଚୁଛନ୍ତି ଜୀବନ ? ୨ ଝିଅଙ୍କୁ କିଏ ହେବ ସାହା ?

445

କନକ ବ୍ୟୁରୋ: ମୁଣ୍ଡ ଉପରେ ଅସହାୟତାର ଆଜବେଷ୍ଟ ଛପର, ବାହାରେ ବାପଛେଉଣ୍ଡ ହେବା ପରି ବତୁରା ବାରଣ୍ଡା । ପିଠି ପଛପଟେ ଭିତରେ ଭିତରେ ଭାଙ୍ଗିଯାଉଥିବା ଗୋଟେ ଶକ୍ତିହୀନ ସିମେଣ୍ଟ କାନ୍ଥ । ଆଉ ଘର ଭିତରେ କିଟମିଟ ଅମା ଅନ୍ଧାର । ଏରୁଣ୍ଡି ସେପଟର ଅନ୍ଧାର ପରି ତ ସେମାନଙ୍କ ଜୀବନ । ପ୍ରଥମେ ଲିଭିଗଲା ଦାଉଦାଉ ହୋଇ ଜଳୁଥିବା ଉଜ୍ୱଳ ଷ୍ଟ୍ରିଟ୍ ଲାଇଟ୍ ପରେ ପରେ ଲିଭିଗଲା ଦପଦପ ହୋଇ ଜଳୁଥିବା ଦୁଃଖ ଭିତରର ଆଶାର ଆଲୁଅ । ବାସ୍ ତାପରେ ଖାଲି ଅନ୍ଧାର ଆଉ ଅନ୍ଧାର… ଆଃ ପଦେ କହିବାକୁ ମାଆ ନାହିଁ କି ସାହସ ସାଜିବାକୁ ବାପା ନାହାନ୍ତି । ଏଡେ ବଡ ଦୁନିଆରେ ଏକାଏକା ଏମାନେ, ଅସହାୟ ଦୁଇ ଭଉଣୀ ।

ସ୍ୱାର୍ଥପର ସମାଜରେ କିଏ ବା କାହାର ? ବାପାମାଆ ଗଲାପରେ କିଏ ହେବ ନିଜର? ଏଇ କଥା ଭାବି ନିଜ ଭବିଷ୍ୟତ ଚିନ୍ତାରେ ଦୁହେଁ । ଜଣେ ଜଣଙ୍କୁ ବୁଝାଉଛି, ଜଣେ ଜଣଙ୍କୁ ସାହସ ଦେଉଛି । ବଡ ଭଉଣୀ ସାନ ଭଉଣୀର ଲୁହ ପୋଛି ଦେଉଛି । ଆଉ ସାନ ଭଉଣୀ ବଡ ଭଉଣୀର କାନ୍ଧରେ ମୁଣ୍ଡ ରଖି ସେମାନଙ୍କ ଜୀବନର ଗଣିତ କଷୁଛି । ବାପାମାଆ ଗଲା ପରେ ଦୁଇ ନାବାଳିକା କେମିତି ବଞ୍ଚିବେ ତାହାହିଁ ମୁଖ୍ୟ ପ୍ରସଙ୍ଗ ପାଲଟିଛି ।

କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋପାଳପୁର ଗାଁର ଅର୍ପିତା ଓ ଅଙ୍କିତା । ଜଣେ ନବମ ଶ୍ରେଣୀରେ ପଢୁଥିବା ବେଳେ ଆଉ ଜଣେ ସପ୍ତମ ଶ୍ରେଣୀ ପଢୁଛନ୍ତି । ୯ ବର୍ଷ ତଳେ ବାପା ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ବାପା ରାଜକିଶୋର ଶିକ୍ଷକ ଥିବାରୁ ମାଆ ଓ ଦୁଇ ଭଉଣୀ ଖୁସିରେ ଖୁସିରେ ଚଳୁଥିଲେ । ହେଲେ ୨୦୧୨ରେ ଏଦ ଦୁର୍ଘଟଣାରେ ବାପା ସବୁଦିନ ପାଇଁ ପିଲାଙ୍କୁ ବାପାଛେଉଣ୍ଡ କରି ଚାଲିଯାଇଥିଲେ । ବାପାଙ୍କ ଆକସ୍ମିକ ମୃତ୍ୟୁ ପରେ ମାଆ ଗାଁ ସ୍କୁଲରେ ପାଚିକା ଭାବେ କାମ କରି କଷ୍ଟେ ମଷ୍ଟେ ପିଲାଙ୍କ ମୁହଁରେ ଦାନା ଗଣ୍ଡେ ଦେବା ସହ ସେମାନଙ୍କୁ ପଢାଉଥିଲେ । ହେଲେ ଭାଗ୍ୟର ବିଡମ୍ବନା ଦୀର୍ଘ ୮ ମାସ ଧରି ମାଆ କ୍ୟାନସରରେ ପିଡୀତ ହୋଇ ସେ ବି ଶେଷରେ ସେପାରିକୁ ଚାଲିଗଲେ । ଚିକିତ୍ସା ପାଇଁ ଅର୍ଥ ନଥିବାରୁ ଆଖି ବୁଜିଦେଲେ ମାଆ । ଆଉ ପିଲାଙ୍କ ପାଖରୁ ବାପାମାଆ ଦୂରେଇଯିବା ପରେ ଅନାଥ, ବେସାହାରା ହୋଇଗଲେ ଦୁଇ ନାବାଳିକା କନ୍ୟା ।

ବଡ ଝିଅ ଅର୍ପିତା ଭଲ ନୃତ୍ୟୁ କରନ୍ତୁ । ବାପା ବଞ୍ଚିଥିବା ବେଳେ ଝିଅକୁ ନୃତ୍ୟଶିଳ୍ପୀ ଭାବେ ଦେଖିବାକୁ ଚାହୁଁଥିଲେ । ହେଲେ ବାପାଙ୍କ ସ୍ୱପ୍ନ ସତ ହେବା ଆଗରେ ସେ ଆଜି ନାହାନ୍ତି କି ମାଆ ନାହିଁ । ତେଣୁ ବାକିତକ ଜୀବନ କେମିତି ଚଳିବେ ? କେମିତି ବଞ୍ଚିବେ? କଣ କରିବେ? ଏତେ ବଡ ଦୁନିଆରେ କିଏ ହେବ ସାହା? ଅସହାୟ ଦୁଇ ଶିଶୁ ଜୀବନ ପାଇଁ କିଛି ନିଷ୍ପତ୍ତି ନେଇ ପାରୁନଥିବାରୁ ବାପାମାଆକୁ ଝୁରିଝୁରି ସେମାନଙ୍କ ଫଟୋକୁ ଧରି କାନ୍ଦୁଛନ୍ତି । ଆଉ ସେମାନଙ୍କ ଭବିଷ୍ୟତ ସୁରକ୍ଷିତ ରଖିବା ପାଇଁ ନିବେଦନ କରିଛନ୍ତି ।