କନକ ବ୍ୟୁରୋ: ଏଡେ ବଡ ସହର, ସାହା ହେବାକୁ କେହି ନାହିଁ । ସ୍ୱାମୀ ଶଯ୍ୟାସାୟୀ । ଭରସା ବୋଲି କିଛି ନାହିଁ । ଏ ଅଜଣା ସହରରେ ଏକାଏକା କେମିତି ପୋଷିବେ ପରିବାର, କେମିତି ଗଡିବ ସଂସାରର ରଥ । ସ୍ୱାମୀ ସମ୍ପୂର୍ଣ୍ଣ ଅଚଳ ହୋଇଯିବା ପରେ ଏବେ ସବୁ ଦାୟିତ୍ୱ ନିଜ କାନ୍ଧରେ ବୋହି ରାଜଧାନୀ ଭୁବନେଶ୍ୱରରେ ସଙ୍ଘର୍ଷ କରିଚାଲିଛନ୍ତି ସୋନାଲି । ଏକ ହୋଟେଲରେ କାମ କରି ଘର ଚଳାଉଥିବା ବେଳେ ସ୍ୱାମୀର ଚିକିତ୍ସା ପାଇଁ ଟଙ୍କାଟିଏ ବଳୁନି । ତେଣୁ କରିବେ କଣ ଏହି ଚିନ୍ତାରେ ଆଖିରୁ ଶୁଖୁନି ଲୁହ ।
ନାମ- ସାଗର ନାୟକ
ବୟସ- ୨୬ ବର୍ଷ
ଘର- ଗଞ୍ଜାମ ବୁଗୁଡା କଞ୍ଚୁରୁ ଗାଁରେ
ଦିନ ଥିଲା ଶ୍ରମିକ ଭାବେ କାମ କରି ପେଟ ପୋଷୁଥିଲେ ସାଗର । ହେଲେ ଲକଡାଉନରେ କାମଧନ୍ଦା ନମିଳିବାରୁ ଆସିକା ଅଞ୍ଚଳର ଏକ କୁକୁଡା ଫାର୍ମରେ କାମକରୁଥିଲେ । ହେଲେ ଜୁନ ୨୨, ୨୦୨୦ କାମ କଲା ବେଳେ ୧୦୦ କିଲୋର ଦାନା ବସ୍ତା ତାଙ୍କ ଉପରେ ଖସିପଡିଥିଲା । ଉକ୍ତ ଅଘଟଣରେ ସାଗରଙ୍କ ମେରୁଦଣ୍ଡ ଭାଙ୍ଗିଗଲା । ଭୁବନେଶ୍ୱର ଏମସରେ ମେରୁଦଣ୍ଡ ଅସ୍ତ୍ରୋପଚାର ପରେ ଡାକ୍ତର ସାଗରଙ୍କ ଅଚଳ ଘୋଷଣା କଲେ । ତାଙ୍କ ପକ୍ଷେ ଚାଲିବା ଅସମ୍ଭବ ବୋଲି କହିଲେ । ବାସ୍ ସେବେଠାରୁ ସାଗରଙ୍କ ବୋଝ ସୋନାଲି ବୋହି ଚାଲିଛନ୍ତି ।
ସ୍ୱାମୀ ଓ ଛୋଟ ଝିଅ ପାଇଁ ଭୁବନେଶ୍ୱର ଆସି ଏକ ହୋଟେଲରେ କାମ କରି ପେଟ ପୋଷୁଛନ୍ତି ସ୍ତ୍ରୀ ସୋନାଲି । ହୋଟେଲରୁ ଦରମା ବାବଦକୁ ଯେଉଁ ୩ ହଜାର ଟଙ୍କା ପାଉଛନ୍ତି ତାହା ଘରଭଡାରେ ସବୁ ପଳାଉଛି । ହୋଟେଲରୁ ଖାଦ୍ୟ ଆଣିଲେ ୩ ଜଣ ଖାଉଛନ୍ତି । ଏତେ ସବୁ ପରେ ସ୍ୱାମୀଙ୍କ ଔଷଧ ଖର୍ଚ୍ଚ ପାଇଁ ଟଙ୍କା ଆସିବ ବା କେଉଁଠୁ ।
ସେପଟେ ଦୁର୍ଘଟଣା ସମୟରେ ୨ ଲକ୍ଷ ଟଙ୍କା ଦେଇ କାମ ସାରି ଦେଇଥିଲା ମାଲିକ । ସେ ଅର୍ଥରେ ଅସ୍ତ୍ରୋପଚାର ହେଲା । ଆଉ ଟଙ୍କା ଥିଲେ ତ ଔଷଧ ଅଣାହେବ । ଗୋଡହାତ ଅକାମୀ ହେତୁ ଘରେ ପଡି ପଡି ଆହୁରି ଅସୁସ୍ଥ ହୋଇଗଲେଣି ସାଗର । ତେଣୁ କିଛି ସାହାଯ୍ୟ ପାଇଁ ହାତଯୋଡିଛନ୍ତି ଅସହାୟ ଦମ୍ପତ୍ତି ।
ଯଦି ଆପଣ ସାଗରଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ଆକାଉଣ୍ଟ ନମ୍ବରରେ ସାହାଯ୍ୟ କରିପାରିବେ ।
ନିଜ ସକ୍ଷମ ଅନୁସାରେ ସାହାଯ୍ୟ କରନ୍ତୁ , ଅସହାୟ ପରିବାର ମୁହଁରେ ହସ ଫୁଟାନ୍ତୁ ।