କନକ ବ୍ୟୁରୋ: ସଂଘର୍ଷ ଭିତରେ ସଫଳତା ପାଇବାର ଅନେକ କାହାଣୀ ଆପଣ ଜାଣିଥିବେ । ହେଲେ ଆଜି ଏପରି ଜଣେ ବ୍ୟକ୍ତିତ୍ୱଙ୍କ ଖବର ସାମଜିକ ଗଣମାଧ୍ୟମରେ ପ୍ରସାର ହେଉଛି ଯାହାଙ୍କ ସଫଳତା ପଛର କାହାଣୀ ଶୁଣି ଆଖି ଜକେଇ ଆସିବ । ଆମେ କହୁଛୁ ଚଳିତ ୨୦୨୨ ସିଭିଲ ସର୍ଭିସ୍ ପରୀକ୍ଷାରେ ସଫଳତା ପାଇଥିବା ଉତ୍ତରପ୍ରଦେଶ ଅମରୋହା ଜିଲ୍ଲାର ଯୁବକ ସତେନ୍ଦ୍ର ସିଂହଙ୍କ କଥା ।

Advertisment

ସେ ହୁଏତ ଟପ୍ କରିନାହାଁନ୍ତି । କିନ୍ତୁ କୌଣସିି ଟପ୍ପରଙ୍କ ଠାରୁ କିଛି କମ୍ ରୋଚକ ନୁହେଁ ତାଙ୍କ ସଫଳତାର ଯାତ୍ରା । ମାତ୍ର ୨ ବର୍ଷରୁ ନିମୋନିଆରେ ଆକ୍ରାନ୍ତ ହୋଇ ଆଖି ହରାଇଲେ । ପୁଅକୁ ନେଇ ଭଲ ଜାଗାରେ ଡାଙ୍କର ଦେଖାଇବାକୁ ନା ବାପା, ମା’ଙ୍କର ସକ୍ଷମ ନଥିଲା ନା ଥିଲା ଆବଶ୍ୟକ ଜ୍ଞାନ । ତଥାପି ବିଲବାଡିରେ ଦିନ ମଜୁରିଆ ଭାବେ ଖଟୁଥିବା ବାପା ଅନେକ ଚେଷ୍ଟା କଲେ । ଧାର ଉଧାର କରି ପୁଅକୁ ରାଜ୍ୟର ବଡ ଡାକ୍ତରଙ୍କ ଠାରୁ ଆରମ୍ଭ କରି ଏମ୍ସ ଯାଏଁ ଗଲେ । ପୁଅକୁ ଧରି ଏମ୍ସରେ ମାସ ମାସ ପଡିରହିଲେ । ହେଲେ କିଛି ଲାଭ ହେଲାନି । ସବୁଦିନ ପାଇଁ ଦୃଷ୍ଟି ଶକ୍ତି ହରାଇଲେ ସତେନ୍ଦ୍ର । ଏହାପରେ ବାପାଙ୍କୁ ଘାରିଲା ପୁଅର ପାଠପଢା ଚିନ୍ତା ।

ଏପରି ସ୍ଥିତିରେ ପୁଅ କେମିତି ପାଠ ଦି ଅକ୍ଷର ପଢିବ ମଣିଷ ସେଇ ଚିନ୍ତାରେ ସବୁବେଳେ ସତେନ୍ଦ୍ରଙ୍କ ବାପା, ମା’ ଥାନ୍ତି । ହେଲେ ଯେଉଁଠି ଭୋକର ଦାଉ ଅସହ୍ୟ ସେଠି ପାଠ ପଢାଇବାକୁ ପଇସା ଆଣିବେ କେଉଁଠୁ? ପୁଅ ସତେନ୍ଦ୍ର ପଢାରେ ଧୁରୀଣ ଥିଲା । ସାମାନ୍ୟ ପିଲାଙ୍କ ଠାରୁ ସବୁପାଠକୁ ଆଗୁଆ ମନେ ରଖୁଥିଲେ । ପାଠ ପଢିବେ ବଡ ମଣିଷ ହେବେ ସତେନ୍ଦ୍ର କିନ୍ତୁ ମନେରେ ଏଇ କଥାକୁ ଗଣ୍ଠି କରିଥାନ୍ତି । ମଜୁରୀ ପାଇଁ ଅନେକ ସମୟରେ ବିଲକୁ ମଜୁରୀ ଲାଗିବାକୁ ଯାଆନ୍ତି ସତେନ୍ଦ୍ର । ତା ଭିତରେ ବି ଗାଁ ସରକାରୀ ସ୍କୁଲରେ ଅତି କଷ୍ଟରେ ମ୍ୟାଟ୍ରିକ୍ ପର୍ଯ୍ୟନ୍ତ ପଢିବା ପରେ ସ୍ଥାନୀୟ କଲେଜରୁ ଯୁକ୍ତ ଦୁଇ ପଢା ଶେଷ କଲେ । ୟା ପରେ ଜୀବନର ରାସ୍ତା ଆହୁରି ଯନ୍ତ୍ରଣାଦାୟକ ହୋଇଥିଲା ।

ହେଲେ ମନରେ ଘନେଇବାରେ ଲାଗିଥିଲା ଆଗକୁ ବଢିବାର ଯୋଶ୍ । ତେଣୁ ଯୁକ୍ତ ଦୁଇ ପରେ ଘର ଛାଡିଦେଲେ ଏବଂ ଦିଲ୍ଲୀ ପଳାଇଆସିଲେ ସତେନ୍ଦ୍ର । ଏଠାରେ ମୁଖାର୍ଜୀ ନଗରରେ ଥିବା ଏକ ସରକାରୀ ସଂସ୍ଥାରେ ବ୍ରେଲି ଶିଖିଲେ । ପରେ ଦିଲ୍ଲୀ ସେଣ୍ଟ ଷ୍ଟିଫେନ୍ସ କଲେଜରେ ନାଁ ଲେଖାଇଲେ । ଏଠାରୁ ରାଜନୀତି ବିଜ୍ଞାନରେ ଗ୍ରାଜୁଏସନ୍ କରିବା ପରେ ସ୍ଥାନ ପାଇଲେ ଦେଶର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଜେଏନୟୁରେ । ଏଠାରେ ପିଜି, ଏମଫିଲ କରିବା ପରେ ପିଏଚଡି ଶେଷ କଲେ । ଏବଂ ଶ୍ରୀ ଅରବିନ୍ଦ କଲେଜରେ ରାଜନୀତି ବିଜ୍ଞାନ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ନିଯୁକ୍ତ ହେଲେ । ହେଲେ ଏତିକିରେ ସୁନ୍ତଷ୍ଟ ନଥିଲେ ସତେନ୍ଦ୍ର । ଆହୁରି ଆଗକୁ ଯିବାର ଥିଲା ।

ଶିକ୍ଷାଦାନ ଭିତରେ ୟୁପିଏସସି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କଲେ । ୨୦୧୮ରେ ପ୍ରଥମ ପରୀକ୍ଷା ଦେଲେ । ହେଲେ ଏଥିରେ ତାଙ୍କୁ ୭୧୪ ସ୍ଥାନ ମିଳିଲା । ମନକୁ ଆହୁରି ଦୃଢ କଲେ । ସତେନ୍ଦ୍ରଙ୍କ କଠିନ ପରିଶ୍ରମ ଆଗରେ ନଇଁଲା ଭାଗ୍ୟ । ୨୦୨୨ରେ ପ୍ରକାଶିତ ସିଭିଲ ସର୍ଭିସ୍ ପରିକ୍ଷାରେ ସର୍ବ ଭାରତୀୟ ସ୍ତରରେ ୩୭୦ ରାଙ୍କ ରଖି ଆଇଏଏସ୍ ହେଲେ ।
ସତେନ୍ଦ୍ର ନିଜର ସଫଳତାର ଶ୍ରେୟ ଦେଇଛନ୍ତି ସରକାରୀ ଶିକ୍ଷାନୁଷ୍ଠାନ ଓ ଜେଏନୟୁ ପରି ପ୍ରତିଷ୍ଠାନକୁ । ସରକାରୀ ଶିକ୍ଷାନୁଷ୍ଠାନ ବିନା ଆଇଏଏସ୍ ହେବା ତାଙ୍କ ପାଇଁ ଏକ ସ୍ୱପ୍ନ ମାତ୍ର ଥିଲା । ତେଣୁ ଭବିଷ୍ୟତରେ ଗରୀବ ପିଲାଙ୍କ ପାଠପଢା ପାଇଁ ସମସ୍ତ ସାଧନକୁ ଆଗେଇ ନେବା ହିଁ ତାଙ୍କ ଉଦ୍ଦ୍ୟୋ ବୋଲି କୁହନ୍ତି ଆଇଏଏସ୍ ସତେନ୍ଦ୍ର ସିଂହ ।