କ୍ରିକେଟ ପଡିଆରେ ସଫଳ ହୋଇଥିଲେ ଏହି କ୍ରିକେଟର । ହେଲେ ଜୀବନରେ ସାମ୍ନା କରିଥିଲେ ସଂଘର୍ଷମୟ ସମୟ । ଶାରୀରିକ ଅକ୍ଷମ ହୋଇ ବି ରଚିଛନ୍ତି ଇତିହାସ…

201

କନକ ବ୍ୟୁରୋ: କୁହାଯାଏ, ସଫଳତା ଏତେ ସହଜରେ ମିଳେନି । ସଫଳ ହେବାକୁ ହେଲେ ଅନେକ ସଂଘର୍ଷର ରାସ୍ତା ଦେଇ ଅତିକ୍ରମ କରିବାକୁ ପଡେ । କ୍ରିକେଟରମାନଙ୍କ କାହାଣୀ ମଧ୍ୟ କିଛି ଏହିଭଳି ସଂଘର୍ଷପୂର୍ଣ୍ଣ ରହିଥାଏ । ଆଜି ଆମେ ଆପଣଙ୍କୁ ସେମିତି କିଛି ସଫଳ କ୍ରିକେଟରଙ୍କ କାହାଣୀ କହିବୁ, ଯେଉଁମାନେ ଶାରୀରିକ ଅକ୍ଷମତା ଥିଲେ ମଧ୍ୟ, ବଡ ନାମ ଅର୍ଜନ କରିଛନ୍ତି ।

ପ୍ୟାଟ୍ କମିନ୍ସ
ବିଶ୍ୱର ଏକ ନମ୍ବର ଟେଷ୍ଟ ବୋଲର ପ୍ୟାଟ୍ କମିନ୍ସ । ଅଷ୍ଟ୍ରେଲିଆ ଦେଶ ପକ୍ଷରୁ ଖେଳୁଥିବା ଏହି ଖେଳାଳୀଙ୍କର ଡାହାଣ ହାତର ଏକ ଆଙ୍ଗୁଳି କଟିଯାଇଛି । କିନ୍ତୁ ଏହା ସତ୍ୱେ ମଧ୍ୟ ସେ ବିଶ୍ୱର ଜଣେ ଶ୍ରେଷ୍ଠ ଦ୍ରୁତତମ ବୋଲର । ପିଲାଦିନରୁ ତାଙ୍କର ଡାହାଣ ହାତର ମଝି ଆଙ୍ଗୁଳିର ଉପରି ଭାଗ କଟିଯାଇଥିଲା ।

ମାର୍ଟିନ ଗୁପ୍ଟିଲ
ନ୍ୟୁଜଲାଣ୍ଡର ଧୂଆଁଧାର ଓପନର ବ୍ୟାଟ୍ସମ୍ୟାନ୍ ମାର୍ଟିନ୍ ଗୁପ୍ଟିଲ । ଯେତେବେଳେ ଗୁପ୍ଟିଲଙ୍କୁ ୧୩ ବର୍ଷ ବୟସ ହୋଇଥିଲା, ସେ ଏକ ଭୟଙ୍କର ଦୁର୍ଘଟଣାର ସାମ୍ନା କରିଥିଲେ । ଆଉ ଏହି ଦୁର୍ଘଟଣାରେ ତାଙ୍କ ଗୋଡର ୩ଟି ଆଙ୍ଗୁଠି କଟିଯାଇଥିଲା । ତାଙ୍କର ଗୋଟିଏ ଗୋଡରେ ମାତ୍ର ୨ଟି ଆଙ୍ଗୁଳି ରହିଛି । କିନ୍ତୁ ଏହା ସତ୍ୱେ ମଧ୍ୟ ସେ ବିଶ୍ୱର ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି । ଏପରିକି ଦିନିକିଆ କ୍ରିକେଟରେ ସେ ଦ୍ୱିଶତକ ମଧ୍ୟ ହାସଲ କରିଛନ୍ତି ।

ୱାକର ୟୁନିସ
ପାକିସ୍ତାନର ଶ୍ରେଷ୍ଠ ବୋଲର ୱାକର ୟୁନିସ । ରିଭର୍ସ ସୁଇଂ ବୋଲିଂ ପ୍ରଦର୍ଶନ ପାଇଁ ପୂରା ବିଶ୍ୱରେ ସେ ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି । ବିଶ୍ୱର ମହାନ ବୋଲରମାନଙ୍କ ମଧ୍ୟରେ ସେ ହେଉଛନ୍ତି ଜଣେ । କିନ୍ତୁ ୱାକର ୟୁନିସଙ୍କ ହାତରେ ସବୁଠୁ ଛୋଟ ଆଙ୍ଗୁଳି ନଥିଲା । ଏହା ସତ୍ୱେ ମଧ୍ୟ ସେ ସଫଳ ହୋଇପାରିଥିଲେ ।

ମନସୁର ଅଲୀ ଖାନ ପଟୌଦୀ
ଭାରତୀୟ ଦଳର ପୂର୍ବତନ ଅଧିନାୟକ ହେଉଛନ୍ତି ମନସୁର ଅଲୀ ଖାନ୍ ପଟୌଦୀ । ଏକ କାର ଦୁର୍ଘଟଣାରେ ସେ ନିଜର ଗୋଟିଏ ଆଖି ହରାଇଥିଲେ । କିନ୍ତୁ ଏହା ପରେ ମଧ୍ୟ ସେ ଅନ୍ତର୍ଜାତୀୟ କ୍ରିକେଟରେ ଟିମ୍ ଇଣ୍ଡିଆକୁ ଅନେକ ସଫଳତା ଆଣିଦେଇଥିଲେ ।

ଟୋନି ଗ୍ରେଗ୍
ଇଂଲଣ୍ଡର ପୂର୍ବତନ ଷ୍ଟାର ପ୍ଲେୟାର ଟୋନି ଗ୍ରେଗ୍ । ପିଲାଟି ଦିନରୁ ସେ ମିର୍ଗୀ ନାମକ ଏକ ଭୟଙ୍କର ରୋଗରେ ପୀଡିତ । ନିଜ ସମୟରେ ସେ ଇଂଲଣ୍ଡର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଖେଳାଳୀ ଥିଲେ । ଇଂଲଣ୍ଡ ପାଇଁ ଖେଳିବା ସହ ସେତେବେଳେ ୮ଟି ଶତକ ହାସଲ କରିଥିଲେ ଟୋନି । କେବଳ ଏତିକି ନୁହେଁ, ୧୯୭୫ରୁ ୧୯୭୭ ପର୍ଯ୍ୟନ୍ତ ସେ ଇଂଲଣ୍ଡର ଅଧିନାୟକ ଥିଲେ ।