ଯୋତା ପଲିସ କଲେ ଜଳୁଛି ଚୁଲି । ନିଆଳି ବଜାରରେ ୩୦ ବର୍ଷ ହେଲା ଜୀବନ ସଂଘର୍ଷ କରୁଥିବା କଲ୍ୟାଣୀ ମଞ୍ଜୁଙ୍କ କାହାଣୀ ।

106

କନକ ବ୍ୟୁରୋ: ଅନ୍ୟର ଯୋତା ଚପଲକୁ ପଲିସ କରି ଚମକ ଆଣୁଛନ୍ତି । ହେଲେ ନିଜ ଜୀବନର ଚମକ ଚାଲି ଯାଇଛି । ଛିଣ୍ଡା ଯୋତା ଚପଲକୁ ମରାମତି କଲେ, ପଲିସ କରି ଚକ ଚକ କରିଦେଲେ ଘରେ ଚୁଲି ଜଳୁଛି । ପରିବାର ଚଳାଇବାକୁ ଜଣେ ମହିଳା ରାସ୍ତାକଡରେ ଖୋଲା ଆକାଶ ତଳେ ସଂଘର୍ଷ କରୁଛନ୍ତି ନିଆଳିର କଲ୍ୟାଣୀ ମଞ୍ଜୁ ।

ନିଆଳି ବଜାରର ରାସ୍ତା କଡରେ ଦୋକାନ ଖୋଲି ଛତା ତଳେ ଖରାବର୍ଷାକୁ ଖାତିର ନକରି କଲ୍ୟାଣୀ ମଞ୍ଜୁ ପ୍ରତିଦିନ ଦିନ ୧୦ଟାରୁ ସନ୍ଧ୍ୟା ଯାଏଁ ବସି ଯାଆନ୍ତି । ଜଣେ ମହିଳା ହୋଇ ମଧ୍ୟ କଲ୍ୟାଣୀ ପରିବାର ପାଇଁ ଯୋତା ମରାମତି ବୃତିକୁ ଆପଣେଇ ନେଇଛନ୍ତି । ୨୦୦୨ ମସିହାରେ ୪ଟି ଝିଅ ଓ ଗୋଟିଏ ଦିବ୍ୟାଙ୍ଗ ପୁଅକୁ ଛାଡି ସ୍ୱାମୀ ଆରପାରିକୁ ଚାଲିଯିବା ପରେ ପରିବାରର ବୋଝ ମଞ୍ଜୁଙ୍କ ଉପରେ ପଡିଥିଲା । ଯୋତା ପଲିସ କରି ସେ ୩ଟି ଝିଅକୁ ବିବାହ କରିସାରିଲେଣି । ଏବେ ଘରେ ଦିବ୍ୟାଙ୍ଗ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।ହେଲେ ଏହି ଗରିବ ମହିଳାଙ୍କୁ ସରକାରୀ ସହାୟତା କହିଲେ ମିଳୁଛି ମାତ୍ର ୫ କେଜି ଚାଉଳ ଓ ବିଧବା ଭତ୍ତା । ସରକାରୀ ଆବାସ ଘର ଖଣ୍ଡେବି କଲ୍ୟାଣୀ ମଞ୍ଜୁଙ୍କ ପାଇଁ ସାତ ସପନ ପାଲଟିଛି ।