ସ୍ୱାମୀକୁ ଲୁହା ବାଡ ଏପଟୁ ଦେଖେ ସ୍ତ୍ରୀ, ବାପାକୁ କବାଟ ଏପଟୁ ଡାକେ ଝିଅ… ଲୁହା କବାଟ ସେପଟୁ ଶୁଣନ୍ତିନି ସ୍ୱାମୀ, ବନ୍ଦଘର ଭିତରୁ ଉତ୍ତର ଦିଅନ୍ତିନି ବାପା । ୧୦ ବର୍ଷ ହେବ ବାପା କାଟୁଛନ୍ତି ବନ୍ଦୀ ଜୀବନ…

442

କନକ ବ୍ୟୁରୋ: ସେପଟେ ଅନ୍ଧାର, ଏପଟେ ଆଲୁଅ । ସେପଟେ ଯନ୍ତ୍ରଣା, ଏପଟେ ଜୀବନ । ଲୁହା ସେପାଖେ ବି ଲୁହ, ଲୁହା ଏପାଖେ ବି ଲୁହ । ବନ୍ଦ ଘରେ ବନ୍ଦୀଥିବା ଆଖିରେ ଆଶାନିରାଶାର ଖେଳ, ବନ୍ଦୀଘର ପାଖେ ବଞ୍ଚୁଥିବା ଆଖିରୁ ନିଇତି ନିଗୁଡୁଥାଏ ଲୁହ । କିଏ ପୁଅ ପାଇଁ କାନ୍ଦେ, ତ କିଏ ସ୍ୱାମୀ ପାଇଁ କାନ୍ଦେ ପୁଣି କିଏ ବନ୍ଦୀ ବାପା ପାଇଁ ଲୁହ ଝରାଏ । ଲୁହାର କବାଟ ସେପାଖେ ସବୁଦିନ ସମସ୍ତଙ୍କ ଆଖିରୁ ବହୁଥାଏ ଦୁଃଖ, ଯନ୍ତ୍ରଣା ମିଶା ନିରାଶାର ନଈ… କେମିତି ବା ଝରିବନି କହିଲେ ଦୀର୍ଘ ଦଶ ବର୍ଷ ହେବ ବନ୍ଦୀ ଜୀବନ ବିତାଉଥିବା ବ୍ୟକ୍ତିଙ୍କ ପାଇଁ ପୂରା ପରିବାର କୁହାନାଳ ହେଉଛି । ଭୋକ ଉପାସରେ ବଞ୍ଚୁଛି… ଗୋଟେ ଦଶନ୍ଧି ଧରି ଦୁଖଃର ଚାବୁକ ମାଡ ସହି ସହି ସଙ୍ଘର୍ଷ କରି ବଞ୍ଚୁଛି…

ଦଶ ବର୍ଷ ଏଇ ବନ୍ଦ ଘରେ ବନ୍ଦୀ ହୋଇ ପଡିଛନ୍ତି ଏ ବ୍ୟକ୍ତି । ନା ଆଲୁଅ ଅଛି ନା ଫଙ୍ଖା ଅଛି । ଖିଆ ପିଆର ବି ଠିକ ଠିକଣା ନାହିଁ । ଏହି ୬ ଫୁଟିଆ ଘରେ ଶୁଆବସା ସବୁକିଛି । ତାଲା ଫିଟାଇ ବାହାରକୁ ବାହାରିବାର ନାହିଁ କି ତାଲା ଭାଙ୍ଗିବାକୁ ବି ବଳ ନାହିଁ । କହିବାକୁ ଗଲେ ୧୦ ବର୍ଷ ହେବ ତାଲାବନ୍ଦ ଜୀବନ ବିତାଉଛନ୍ତି ସୋର ନଦୀଗାଁ କାନପୁର ଗାଁର ନିରାକାର ସାହୁ ।

୨୦୦୬ରେ ଲକ୍ଷ୍ୀପ୍ରିୟାଙ୍କୁ ବିବାହ ପରେ ଶିଶୁ କନ୍ୟାର ବାପା ହୋଇଥିଲେ ନିରାକାର । ଝିଅ ଜନ୍ମ ହୋଥିବାରୁ ଘରେ ଖୁସିର ମାହୋଲ ବି ଥିଲା । ଯାହା କିଛି ରୋଜଗାର କରୁଥିଲେ ସମସ୍ତେ ଭଲରେ ବି ଚଳୁଥିଲେ । ହେଲେ ଧିରେଧିରେ ନିରାକାରଙ୍କ ମାନସିକ ସ୍ଥିତି ବିଗିଡିବାକୁ ଲାଗିଲା । ଏକୁଟିଆ ରହିବାକୁ ପସନ୍ଦ କରିବା ସହ ମନେମନେ ଗପିବା ଭଳି କିଛି ଲକ୍ଷଣ ଦେଖାଦେଲା । ଏମିତି ଅବସ୍ଥା ଦେଖି ତାଙ୍କୁ କଟକ ପରେ ରାଞ୍ଚି ନେଇଥିଲେ ବି କୌଣସି ପରିବର୍ତ୍ତନ ହେଲାନାହିଁ ।

ସେପଟେ ଜମିବାଡି ବିକି, ସୁନା ଗହଣା ବନ୍ଧା ପକାଇ ଚିକିତ୍ସାରେ ଖର୍ଚ୍ଚ କରିସାରିଥିବାରୁ ଘରେ ଚଳିବା ମୁସକିଲ । ଏପରି ସ୍ଥଳରେ ନିରାକାର  ଘର ଲୋକଙ୍କ ସହ ଗାଁ ଲୋକଙ୍କୁ ମରାପିଟା କରନ୍ତି, ଘରୁ କୁଆଡେ ପଳାଇ ଯାଆନ୍ତି । ଦିନକୁ ଦିନ ବ୍ୟବହାର ଅତିଷ୍ଟ ହେବାରୁ ତାଙ୍କୁ ଏଇ ଘରେ ବନ୍ଦୀ କରିଛନ୍ତି ପରିବାର ଲୋକେ ।

ସେପଟେ ଦୁଇଟି ପିଲାର ବାପା ହୋଇଥିଲେ ବି ଏଯାଏଁ ବାପା ଡାକ ଶୁଣି ପାରିନାହାନ୍ତି କି ନିଜ ପିଲାଙ୍କୁ କୋଳେଇ ଧରି ନାହାନ୍ତି ନିରାକାର । ଲୁହାର କବାଟ ଫିଟିଲେ ତ ସେ ପିଲାଙ୍କୁ କୋଳେଇ ନେବେ । ବନ୍ଦୀ ଘରୁ ବାହାରିଲେ ତ ବାପାପଣିଆ ଜାହିର କରିବେ । ସମୟ ଆଉ ରୋଗ ତାଙ୍କୁ ସେସବୁ ସୁଖର ଦୂରେଇ ରଖିଛି । ଏପଟେ ପିଲାମାନେ ବି ବାପାବାପା ଯେତେ ଡାକିଲେ ବି ବନ୍ଦୀ ଘରକୁ ସେ ଡାକ ଭେଦି ପାରେନି କି… ବାପା ଡାକର ପ୍ରତ୍ୟୁତ୍ତର ମିଳେନି… ବାପା ବନ୍ଦୀ ଜୀବନ କାଟୁଥିବାରୁ କେମିତି ଗଢିବେ ନିଜ ଭବିଷ୍ୟତ । ସେନେଇ ଚିନ୍ତାରେ କୁନି କୁନି ଝିଅ ।