ଏମିତି ଯାତ୍ରା କଳାକାରଙ୍କ ଜୀବନ: ବାପାଙ୍କ ମୃତ୍ୟୁର ଖବର ପାଇବି ମଞ୍ଚ ଉପରେ ଅଭିନୟ ଜାରି ରଖିଥିଲେ

788

କନକ ବ୍ୟୁରୋ: ଖୁବ ସୁନ୍ଦର ଡାଏଲଗ କହିପାରୁଥିବା ଏହି ଅଭିନେତ୍ରୀ ଜଣକ ସେବାରାଣୀ ବେହେରା । ଯାତ୍ରା ଜଗତରେ ସେ କୁନି ନାଁରେ ବେଶି ପରିଚିତ । ଯାତ୍ରାକୁ ପସନ୍ଦ କରୁଥିବା ଲୋକଙ୍କୁ ତାଙ୍କ ଅଭିନୟର ପରିଚୟ ଦେବା ଦରକାର ନାହିଁ । କାରଣ ଅନେକ ନାଟକରେ ଚମକ୍ରାର ଅଭିନୟ କରି ସେ ଦର୍ଶକଙ୍କ ହୃଦୟରେ ଘର କରିସାରିଛନ୍ତି । ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ହଠାତ କେଉଁଠି ଆମ୍ବୁଲାନ୍ସର ସାଇରନ ଶୁଣିଲେ ତାଙ୍କ ଛାତି ଥରିଉଠେ । ଥରେ ମଂଚରେ ଅଭିନୟ କଲାବେଳେ ଖବର ଆସିଲା ପୁଅର ଦେହ ଖୁବ୍ ଅସୁସ୍ଥ । ତାକୁ ହସ୍ପିଟାଲରେ ଭର୍ତି କରାଯାଇଥିଲେ ବି ମଂଚ ଛାଡି ପୁଅ ପାଖକୁ ଧାଇଁ ଯାଇ ପାରିନଥିଲେ କୁନି । କାରଣ ମଂଚସ୍ଥ ହେଉଥିବା ନାଟକର ଆହୁରି ଅନେକ ସିନ୍ ବାକିଥିଲା । ଛାତିରେ ପଥର ରଖି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ।

ସେମିତି ଜଣେ ହାସ୍ୟ ଅଭିନେତା ଦୟା । ଯାତ୍ରା ପେଣ୍ଡାଲରେ ଦୟାଙ୍କ କମେଡି ଦେଖି ଦର୍ଶକ ହସି ହସି ବେଦମ ହୁଅନ୍ତି । ହେଲେ ଅଭିନୟ ଭିତରେ କେମିତି ଛପିଯାଏ ବ୍ୟକ୍ତିଗତ ଦୁଃଖ ତାର ଏକ ସ୍ମୃତି କ୍ୟାମେରା ଆଗରେ ବଖାଣିଛନ୍ତି ଦୟା । ମୁହଁରେ ରଙ୍ଗ ମାରି ମଂଚରେ ଲୋକଙ୍କୁ ହସାଇବା ବେଳେ ପହଂଚିଥିଲା ଏକ ଦୁଃଖଦ ଖବର । ମଂଚ ତଳେ ପାଇଥିବା ଫୋନ କଲଟି ତାଙ୍କୁ ଅଣନିଃଶ୍ୱାସୀ କରିପକାଇଥିଲା । ବାପା ଚାଲିଗଲେ ବୋଲି ଖବର ପାଇବା ପରେ ଆଖିର ଲୁହକୁ ପୋଛି ପୁଣି ଦର୍ଶକଙ୍କୁ କଉତୁକିଆ କଥା କହିବାର ସାହସ ଜୁଟାଇ ପାରିଥିଲେ ହାସ୍ୟ ଅଭିନେତା ଦୟା ।

ଦର୍ଶକଙ୍କ ମନୋରଞ୍ଜନ କରୁଥିବା ପ୍ରତିଟି କଳାକାର ମଂଚକୁ ଚଢିଗଲା ପରେ ନିଜକୁ ସମର୍ପି ଦିଏ । ଦର୍ଶକଙ୍କ ପାଇଁ କାନ୍ଦେ ଓ ଦର୍ଶକଙ୍କ ପାଇଁ ହସେ । ଘରଠୁ ଦୂରରେ ରହି ଯାତ୍ରା ପାର୍ଟିକୁ ହିଁ ତାର ପରିବାର ବନାଏ ।

ଏମିତି ଅନେକ କଳାକାର ଅଛନ୍ତି, ଯେଉଁମାନଙ୍କ ଅଧା ଜୀବନ ମଂଚରେ ହିଁ କଟି ଯାଇଛି । ସାରା ସହର ଶୋଇଗଲା ପରେ ଆରମ୍ଭ ହୁଏ ଏମାନଙ୍କ ଦୁନିଆ । ଏକ ମିଛ ଦୁନିଆ, ଅଭିନୟର ଦୁନିଆ । ନିଜକୁ ଜୀଇଁବା ଅପେକ୍ଷା ଏମାନେ ଯାତ୍ରା ବହିର ଚରିତ୍ର ମାନଙ୍କୁ ଅଧିକ ଜୀଅନ୍ତି । ବ୍ୟକ୍ତିଗତ ଆବେଗକୁ ପଛକୁ କରି ଦର୍ଶକଙ୍କ ମନୋରଞ୍ଜନ ପାଇଁ ମାତି ଉଠନ୍ତି ।