ଦିନେ ପାଠ ପଢିବା ପାଇଁ କରୁଥିଲେ ସ୍କୁଲ ଘର ସଫେଇ । ଆଜି ହେଲେ ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି । ଜାଣନ୍ତୁ, ଜୋ ବାଇଡେନଙ୍କ ସଂଘର୍ଷମୟ ଜୀବନ ବିଷୟରେ 

395

କନକ ବ୍ୟୁରୋ : କୁହାଯାଏ ସଂଘର୍ଷମୟ ଜୀବନ ଭିତରୁ ହିଁ ଜଣେ ସଫଳ ମଣିଷର ସୃଷ୍ଟି । ଜୀବନର କଠିନ ପରିସ୍ଥିତିରେ ଯେଉଁ ଲୋକ ସ୍ଥିର ହୋଇ ରୁହେ ସେହିଁ ଜୀବନରେ ଆଗକୁ ବଢେ । ଆଜି ଆମେ ସେମିତି ଜଣେ ମଣିଷର କଥା କହିବୁ ଯେ ସଂଘର୍ଷମୟ ଜୀବନକୁ ସଫଳତାର ସହ ପାର୍ କରି ଆଜି ଆମେରିକାର ରାଷ୍ଟ୍ରପତି ପଦରେ ବସିଛନ୍ତି ।

ଜୋ ବାଇଡେନ୍ । ଆମେରିକା ରାଜନୈତିକ ଇତିହାସରେ ବୋଧହୁଏ ଏହି ନାଁ କେହି ଭୁଲିପାରିବେନି । କାହିଁକି ନା ବର୍ତ୍ତମାନ ସେ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବାକୁୁ ଯାଉଛନ୍ତି । ହେଲେ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ଯେ ତାଙ୍କୁ ଅନେକ ସଂଘର୍ଷମୟ ରାସ୍ତା ପାର୍ ହେବାକୁ ପଡିଥିଲା ତାହା ଆଜିବି ଅନେକଙ୍କୁ ଅଜଣା ।

ବାଇଡେନଙ୍କ ଜନ୍ମ ୧୯୪୨ ମସିହା ନଭେମ୍ବର ୨୦ ତାରିଖରେ ଆମେରିକାର ଏକ ମଧ୍ୟବିତ୍ତ ପରିବାରରେ ହୋଇଥିଲା । କୁହାଯାଏ ପିଲାଦିିନେ ସେ ପାଠ ପଢିବା ପାଇଁ ସ୍କୁଲ୍ ଘରର ସଫେଇ କାମ କରୁଥିଲେ । ଏହାରି ଭିତରେ ବିଭିନ୍ନ ସମସ୍ୟା ଭିତରେ ବାଇଡେନ୍ ଆଇନ୍ ପାଠ ପଢିଥିଲେ । ହେଲେ ଆଇନ୍ ପାଠ ପଢିବା ଭିତରେ ସେ ରାଜନୀତି ଆଡକୁ ଢଳି ଯାଇଥିଲେ ।

୧୯୭୨ ମସିହାରେ ପ୍ରଥମ କରି ବାଇଡେନ୍ ଆମେରିକା ସଂସଦର ଉଚ୍ଚ ସଦନ ନିର୍ବାଚିତ ହୋଇଥିଲେ । ଆମେରିକାର ଡେଲାବେୟରରୁ ଇଲେକ୍ସନ ଲଢି ସେ ପ୍ରଥମ କରି ସିନେଟକୁ ଆସିଥିଲେ । ହେଲେ ଏହି ସମୟରେ ଏକ ସଡକ ଦୁର୍ଘଟଣାରେ ତାଙ୍କ ପତ୍ନୀ ଓ ଦେଢ ବର୍ଷର ଝିଅ ପ୍ରାଣ ହରାଇଥିଲେ । ସ୍ତ୍ରୀ ଆଉ ଝିଅର ଏପରି ମୃତ୍ୟୁ ପରେ ବାଇଡେନ୍ ସେତେବେଳେ ଡିପ୍ରେସନକୁ ଚାଲିଯାଇଥିଲେ । ସେ ଆତ୍ମହତ୍ୟା କରିବାକୁ ମଧ୍ୟ ବହୁବାର ଚେଷ୍ଟା କରିିଥିଲେ । ହେଲେ ଏହାରି ଭିତରେ ସେ ଜିଲ୍ ଜ୍୍ୟାକ୍ସଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ବାସ୍ ସେବେଠାରୁ ସେ କେବେ ବି ପଛକୁ ଚାହିଁ ଦେଖିନାହାନ୍ତି । ରାଜନୈତିକ କ୍ୟାରିୟରରେ ଉପରକୁ ଉଠିବା ସହିତ ଦୁଇ ଦୁଇ ଥର ଉପ-ରାଷ୍ଟ୍ରପତି ଆଉ ଆଜି ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଛନ୍ତି ।

୧୯୭୨ ମସିହାରୁ ୨୦୦୯ ପର୍ଯ୍ୟନ୍ତ ବାଇଡେନ୍ ଆମେରିକା ସିନେଟର ସଦସ୍ୟ ରହିଥିଲେ । ୨୦୦୯ ମସିହାରେ ଉପରାଷ୍ଟ୍ରପତି ପଦରେ ଲଢିବା ପାଇଁ ଜୋ ବାଇଡେନ୍ ଆମେରିକା ସିନେଟରୁ ଇସ୍ତଫା ଦେଇଥିଲେ । ସେହିବର୍ଷ ଓବାମାଙ୍କ ନେତୃତ୍ୱରେ ଡେମୋକ୍ରାଟିକ୍ ଦଳ କ୍ଷମତାକୁ ଫେରିବା ସହିତ ବାରାକ୍ ଓବାମା ଆମେରିକାର ନୂଆ ରାଷ୍ଟ୍ରପତି ହୋଇଥିଲେ । ଆଉ ସେତେବେଳେ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ ଜୋ ବାଇଡେନ୍ । ଓବାମାଙ୍କ ସହ ମିଶି ବାଇଡେନ୍ ୨୦୧୭ ମସିହା ପର୍ଯ୍ୟନ୍ତ ଆମେରିକାର ଉପରାଷ୍ଟ୍ରପତି ରହିଥିଲେ । ଦୁହିଁଙ୍କ ଭିତରେ ଏମିତି ତାଳମେଳ ଥିଲା ଯେ ଓବାମା, ଜୋ ବାଇଡେନଙ୍କୁ ବ୍ରଦର ଭାଇସ୍ ପ୍ରେସିଡେଣ୍ଟ ବୋଲି କହିଥିଲେ । ଏହି ସମୟ ଭିତରେ ବାଇଡେନ୍ ପାଖାପାଖି ୫୦ଟି ଦେଶ ଗସ୍ତ କରିଥିଲେ । ଯେଉଁ କାରଣରୁ ଆମରିକାର ସମ୍ପର୍କ ଅନ୍ୟ ଦେଶମାନଙ୍କ ସହ ସୁଦୃଢ ହୋଇଥିଲା ବୋଲି କୁହାଯାଏ ।

ଓବାମାଙ୍କ ପରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂଆ ରାଷ୍ଟ୍ରପତି ହୋଇଥିଲେ । ଆଉ ଏହି ସମୟରେ ଉପ -ରାଷ୍ଟ୍ରପତି ହୋଇଥିଲେ ମାଇକ୍ ପେନ୍ସ ।

 ୨୦୨୦ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କିନ୍ତୁ ଜୋ ବାଇଡେନ୍ ହୋଇଥିଲେ ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ । ଆଉ ତାଙ୍କ ସାମ୍ନାରେ ଥିଲେ ରିପବ୍ଲିକାନ୍ ନେତା ଡୋନାଲ୍ଡ ଟ୍ରମ୍ପ । ଏହି ନିର୍ବାଚନରେ ବାଇଡେନ୍, ଟ୍ରମ୍ପଙ୍କୁ ମାତ୍ ଦେବା ସହ ବିଜୟୀ ହୋଇଥିଲେ । ଆଉ ଆଜି ସେ ଆମେରିକା ସଂସଦରେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ ।