ଲକଡାଉନରେ ବଞ୍ଚିବା ପାଇଁ ସଂଘର୍ଷ କରୁଛି ମଣିଷ । ଛୋଟ ବ୍ୟବସାୟୀଙ୍କ ସ୍ଥିତି ସଙ୍ଗୀନ, ଅନଲକ ନହେଲେ ଆହୁରି ବିଗିଡିବ ସ୍ଥିତି ।

181

କନକ ବ୍ୟୁରୋ : ବଞ୍ଚିବା ପାଇଁ ସଂଘର୍ଷ କରୁଛି ଲକଡାଉନରେ ଥିବା ମଣିଷ । କଟକଣାର କାଟାଗୋରୀ ଭିତରେ ବ୍ୟବସାୟ କରିବାରେ ଅଙ୍କୁଶ, ବ୍ୟବସାୟୀଙ୍କୁ ହରଡଘଣାରେ ପକାଇ ଦେଇଛି । ଛୋଟ ବ୍ୟବସାୟୀ କେମିତି କର୍ମଚାରୀଙ୍କୁ ଦରମା ଦେବେ, କେମିତି ବ୍ୟାଙ୍କ ଋଣ ସୁଝିବେ, ତାକୁ ନେଇ ଚିନ୍ତାରେ ଅଛନ୍ତି । ଆଉ ଏତିକି ବେଳେ ଡିଏମଇଟି ସୂଚନା ଦେଇ କହିଛନ୍ତି, କଟକ ଖୋର୍ଦ୍ଧା ଜିଲ୍ଲାରେ ସଂପୂର୍ଣ୍ଣ  ଅନଲକ ସମ୍ଭବନା ନାହିଁ ।

ସଞ୍ଜ ନଇଁଲେ ଯେଉଁ କାଫେ ଦିନେ ଚଳଚଞ୍ଚଳ ହୋଇଉଠୁଥିଲା, ସେଠି ଏବେ ନିରୋଳା ନିରବତା । କାଫେ ଖୋଲୁଛି, କର୍ମଚାରୀ ଆସୁଛନ୍ତି, ହେଲେ ଗ୍ରାହକଙ୍କର ଦେଖାନାହିଁ । କାଁ-ଭାଁ ଯାହା ଆସୁଛି ଅନଲାଇନ୍ ପାର୍ସଲ ଅର୍ଡର । ଏହି ସୀମିତ ଅର୍ଡରରେ କର୍ମଚାରୀଙ୍କ ଦରମା, ଇଏମଆଇ ଟଙ୍କା ଏବଂ ପରିବାର ଚଳାଇବା କେତେ କଷ୍ଟ, ସେ କଥା ସିଏ ଜାଣିଛି ଯିଏ ବ୍ୟବସାୟ କରୁଛି ।

ବ୍ୟାଙ୍କରୁ ଋଣ କରି କଟକ କଲେଜ୍ ଛକ ଅଂଚଳରେ ଥିବା ଏକ ମଲରେ କାଫେ ସେଣ୍ଟର ଟିଏ କରିଥିଲେ ସୁଚିସ୍ମିତା । ହେଲେ ଏବେ କରୋନା ଯୋଗୁଁ କଟକଣା ଭିତରେ ଖୋଲୁଛି କାଫେ । ସନ୍ଧ୍ୟା ହୋଇଗଲେ କାଫେ ବନ୍ଦ । ଏଭଳି ସ୍ଥିତିରେ ଷ୍ଟାଫ ପେମେଣ୍ଟ କରିବା ବି ସମ୍ଭବ ହେଉନଥିବା ସେ କହିଛନ୍ତି । ଏପଟେ ଆଗକୁ ଆସୁଛି ଅଗଷ୍ଟ । କଟକଣାର ରୂପ କ’ଣ ହେବ ତାହା କାହାକୁ ଜଣାନାହିଁ । କାରଣ କଟକ ଓ ଭୁବନେଶ୍ୱରରେ କରୋନା କମୁନି । ଏଭଳି ସ୍ଥିତିରେ ସୁଚିସ୍ମିତାଙ୍କ ଭଳି ଛୋଟ ବ୍ୟବସାୟୀ, ନିୟମରେ କିଛି ପରିବର୍ତନର ଆଶା ରଖିଛନ୍ତି ।

ଅନ୍ୟପଟେ କିନ୍ତୁ କଟକ ଓ ଭୁବନେଶ୍ୱରରେ କଟକଣା ସଂପୂର୍ଣ୍ଣ କୋହଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ଡିଏମଇଡି କହିଛନ୍ତି- ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସଂପୂର୍ଣ୍ଣ ଅନଲକ ହେବାର ସମ୍ଭାବନା ନାହିଁ । ସଂକ୍ରମଣର ସ୍ଥିତିକୁ ଅନୁଧ୍ୟାନ କରି ଅନଲକ ନିଷ୍ପତି ନିଆଯିବ । କଟକଣା ଭିତରେ କରୋନାର ବେଗକୁ ସିନା ଅଟକାଇ ହେବ କିନ୍ତୁ ଜୀବିକା ଗତି ଆହୁରି ମନ୍ଥର ହୋଇଯିବ । ଏମିତିରେ କରୋନା ଏତେ ଶୀଘ୍ର ଗଲା ଭଳି ଦେଖାଯାଉନି, ଆଉ ଲୋକଙ୍କୁ ଲମ୍ବା ସମୟ ଧରି କଟକଣା ଭିତରେ ରଖିବା ବି ସମ୍ଭବ ନୁହେଁ । ଏଭଳି ସ୍ଥିତିରେ ପ୍ରଶାସନ ନିଷ୍ପତି ନେବା ପୂର୍ବରୁ ସୁଚିସ୍ମିତାଙ୍କ ଭଳି ବ୍ୟବସାୟୀଙ୍କ ସମସ୍ୟାକୁ ଆଖି ସାମ୍ନାରେ ରଖିବା ଜରୁରୀ ।