ଡେଲିଭରି ବଏ ଠାରୁ ବସ୍ କଣ୍ଡକ୍ଟର ପର୍ଯ୍ୟନ୍ତ … ସଂଘର୍ଷରୁ ସଫଳତାର ବାଟ ଖୋଜିଥିବା ବଲିଉଡ଼ର କିଛି ନାମୀଦାମୀ ଚେହେରା ।

189

ମନୋରଞ୍ଜନ ଜଗତର ମାଇଲଖୁଣ୍ଟ କୁହାଯାଉଥିବା ବଲିଉଡ଼ରେ ସଫଳତା ପାଇବା ଏତେ ସହଜ ନୁହଁ । ବଲିଉଡ଼ରେ ନିଜର ଜଲୱା ଦେଖାଇବା ପାଇଁ ଅନେକ କଳାକାରଙ୍କୁ ଅହରହ ସଂଘର୍ଷ କରିବାକୁ ପଡ଼େ । ସାଧାରଣ ପରିବାରରୁ ଆସିଥିôବା ଯୁବକ , ଯୁବତୀ ହୁଅନ୍ତୁ ଅବା ଷ୍ଟାର କିଡ଼୍ ସମସ୍ତଙ୍କୁ ମାୟାନଗରୀର ଏହି ବଡ଼ ପ୍ଲାଟଫର୍ମରେ ତିଷ୍ଟିବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼େ । ତେବେ ବଲିଉଡ଼୍ ମଧ୍ୟ ଉପଯୁକ୍ତ ପ୍ରତିଭାକୁ ଆଦରିବାକୁ କୁଣ୍ଠାବୋଧ କରେନାହିଁ । ନହେଲେ ଡ଼େଲିଭରି ବଏ ଠାରୁ ଆରମ୍ଭ କରି ୱେଟର୍ ପର୍ଯ୍ୟନ୍ତ ସାଧାରଣ ଲୋକ ଏଠାରେ ଷ୍ଟାରର ପ୍ରସିଦ୍ଧି ପାଇପାରିନଥାନ୍ତେ । ତେବେ ଆସନ୍ତୁ ଆଜି କିଛି ଏଭଳି କଳାକାରଙ୍କ ବିଷୟରେ ଆମେ ଆପଣଙ୍କୁ କହିବୁ ଯେ କଠିନ ସଂଘର୍ଷ କରି ବଲିଉଡ଼ରେ ଆଜି ସଫଳତାର ସ୍ୱାଦ ଚାଖୁଛନ୍ତି ।

ଗାୟକ ଜସ୍ସୀ ଗିଲ୍ :

ଇଣ୍ଡଷ୍ଟ୍ରୀରେ ଲୋକପ୍ରିୟ ଗାୟକ ତଥା ମ୍ୟୁଜିକ୍ ଦେଉଥିବା କଳାକାର ଜସ୍ସୀ ଗିଲ୍ ନିଜ ସଂଗୀତ ମାଧ୍ୟମରେ ଖାଲି ଭାରତରେ ନୁହଁ ବିଦେଶରେ ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କିନ୍ତୁ କ୍ୟାରିୟର୍ ଆରମ୍ଭ କରିବା ପୂର୍ବରୁ ଅଷ୍ଟ୍ରେଲିଆରେ ସେ ଗାଡ଼ି ଧୋଇବା ଭଳି କାମ ମଧ୍ୟ କରିଥିବାର ସେ ଏକ ସାକ୍ଷାତକାରରେ କହିଥିଲେ । 

ନୱାଜୁଦ୍ଦିନ୍ ସିଦ୍ଦିକ୍ : 

ଜଣେ ଥିଏଟର୍ କଳାକାର ହୋଇ ମଧ୍ୟ ନୱାଜୁଦ୍ଦିନଙ୍କୁ ପାଖାପାଖି ୧୫ ବର୍ଷ ଲାଗିଗଲା ବଲିଉଡ଼ରେ ନିଜର ସ୍ଥାନ ବନାଇବା ପାଇଁ । ପ୍ରକୃତରେ କହିବାକୁ ଗଲେ କଳାକାରଙ୍କ ପାଇଁ ସେ ଜଣେ ଆଦର୍ଶ । ତାଙ୍କର ଜୀବନ୍ତ ଏବଂ ଭିନ୍ନ ଅଭିନୟ ସବୁ ବୟସର ଦର୍ଶକଙ୍କୁ ଟିଭି ଆଗରୁ ନ ଉଠିବାକୁ ବାଧ୍ୟ କରେ । ତେବେ ଏହା ପୂର୍ବରୁ ସେ ୱାଚମ୍ୟାନ୍ କାମ କରୁଥିଲେ । 

ରଜନୀକାନ୍ତ :

ଦକ୍ଷିଣ ଭାରତ ସିନେ ଇଣ୍ଡଷ୍ଟ୍ରିରେ ଭଗବାନର ମାନ୍ୟତା ପାଇଥିବା ସୁପରଷ୍ଟାର ହେଉଛନ୍ତି ରଜନୀକାନ୍ତ । ତାଙ୍କର ସ୍ୱତନ୍ତ୍ର ଲୁଙ୍ଗି ପିନ୍ଧା ଷ୍ଟାଇଲ ହେଉ କି ଚଷମା ପିନ୍ଧା ଷ୍ଟାଇଲ୍ ହେଉ ସବୁକୁ ଅବିକଳ କପି କରନ୍ତି ତାଙ୍କ କୋଟି କୋଟି ପ୍ରଶଂସକ । ତେବେ ନିଜ ଅଭିନୟରେ ସାରା ଦୁନିଆରେ ଛାପ ଛାଡ଼ିଥିବା ଏହି କଳାକାର ମଧ୍ୟ ପୂର୍ବରୁ ବସ୍ କଣ୍ଡକ୍ଟରର କାମ କରିଥିଲେ । 

ବୋମନ୍ ଈରାନୀ : 

ବଲିଉଡ଼ରେ ଲେଟ୍ କମର୍ ଭାବେ ପାଦ ଥାପିିଥିବା ଅଭିନେତା ହେଉଛନ୍ତି ବୋମନ୍ ଈରାନୀ । ହେଲେ କୁହନ୍ତି ନା ‘ଦେର୍ ଆଏ ଦୁରୁସ୍ତ ଆଏ’ ଭଳି ପ୍ରତିଟି ସିନେମାରେ ତାଙ୍କର ଭୂମିକା ଖୁବ୍ ହୃଦୟସ୍ପର୍ଶୀ । ଯାହା ଦର୍ଶକଙ୍କୁ ସିନେମାର ଆଦ୍ୟରୁ ପୁରାନ୍ତ ପର୍ଯ୍ୟନ୍ତ ଦେଖିବାକୁ ବାଧ୍ୟ କରେ । ତେବେ ଏହି ଅଭିନେତାଙ୍କ ଜୀବନର କାହାଣୀ ମଧ୍ୟ ଖୁବ୍ ସଂଘର୍ଷମୟ । ଅଭିନୟକୁ ପେସା କରିବା ପୂର୍ବରୁ ସେ ମୁମ୍ବାଇର ତାଜମହଲ୍ ପାଲେସରେ ୱେଟର୍ ଏବଂ ରୁମ୍ ବଏ ଆଟେଣ୍ଡାଣ୍ଟ୍ ଭାବେ କାମ କରୁଥିଲେ । 

ଅକ୍ଷୟ କୁମାର : 

ଆଜିର ସମୟରେ ବଲିଉଡ଼ରେ ନିଜର ଆଧିପତ୍ୟକୁ ଜମାଇଥିବା ଅଭିନେତାଙ୍କ ଗଣତିରେ ଅକ୍ଷୟ କୁମାରଙ୍କ ନାଁ ମଧ୍ୟ ସାମିଲ୍ ହୋଇଛି । ବର୍ତ୍ତମାନର ସମୟରେ ବୋଧହୁଏ ଅଧିକ କାମ କରୁଥିବା ଅଭିନେତା ହେଉଛନ୍ତି ଅକ୍ଷୟ । ତେବେ ଏହା ପୂର୍ବରୁ ସେ ବିଦେଶରେ ୱେଟରର କାମ ମଧ୍ୟ କରିସାରିଛନ୍ତି । 

ଅରସଦ୍ ୱାରସି : 

ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ଅଭିନେତା ହେଉଛନ୍ତି ଅରସଦ୍ ୱାରସି । କିନ୍ତୁ ଗୋଟିଏ ସମୟରେ ଅରସଦଙ୍କ ଜୀବନରେ ମଧ୍ୟ ସଂଘର୍ଷର ପାହାଡ଼ ଲଦି ହୋଇଥିଲା । ସେତେବେଳେ ସେ ଡ଼ୋର୍ ଟୁ ଡ଼ୋର୍ ସେଲସମ୍ୟାନ୍ କାମ ମଧ୍ୟ କରିଥିଲେ ।

ହର୍ଷବର୍ଦ୍ଧନ ରାଣେ :

ନିଜର ଡ଼େବ୍ୟୁ ପିଲ୍ମ ‘ସନମ୍ ତେରି କସମ୍’ରେ ଜୀବନ୍ତ ଅଭିନୟ କରି ସମସ୍ତଙ୍କ ପ୍ରିୟ ପାଲଟିଥିବା ଅଭିନେତା ହର୍ଷବର୍ଦ୍ଧନ ରାଣେଙ୍କ ଜୀବନ ବି ଅନେକ ସଂଘର୍ଷ ଦେଇ ଗତି କରିଛି । ୧୬ ବର୍ଷ ବୟସରେ ଘର ଛାଡ଼ିଥିବା ଏହି ଅଭିନେତା ଡ଼େଲିଭରି ବଏ ଭାବେ କାମ କରିଥିଲେ ।