କନକ ବ୍ୟୁରୋ: ବାର୍ଦ୍ଧକ୍ୟ ଭତା ପାଇଁ କେମିତି ବୃଦ୍ଧ ଓ ବୃଦ୍ଧା ସଂଘର୍ଷ କରୁଛନ୍ତି, ତା’ର କିଛି ଦୃଶ୍ୟ ପୂର୍ବରୁ ଦେଖିଛୁ । ଏବେ ପୁଣିଥରେ ସେଭଳି କିଛି ଚିତ୍ର ଆସିଛି ପୁରୀ ଜିଲ୍ଲାରୁ । ଭତା ପାଇଁ ମୁଣ୍ଡ ଫଟା ଖରାରେ ୨ କିମି ବାଟ ଚାଲୁଛନ୍ତି ୮୦ ବର୍ଷର ବୃଦ୍ଧା । ପିପିଲି ବ୍ଲକ ଚନ୍ଦ୍ରଦେଇପୁର ପଞ୍ଚାୟତରେ ଭତା ପାଇଁ ବୃଦ୍ଧାଙ୍କୁ ଖରାରେ ଚାଲିବାକୁ ପଡ଼ୁଛି । ଚାଲିବାକୁ ଦେହରେ ବଳ ନାହିଁ, ଗୋଡ଼ ଖରାପ ପାଇଁ ଠିକ୍ ସେ ଚାଲୁପାରୁନାହାନ୍ତି । ଏହି ଅବସ୍ଥାରେ ଖରାରେ ଚାଲି ଚାଲି ଥକି ଯାଉଛନ୍ତି ଚନ୍ଦ୍ରଦେଇପୁର ପଞ୍ଚାୟତର ଭୋଗ ପାଟଳି ଗାଁ ଏକ ନମ୍ବର ୱାର୍ଡର ନାରାୟଣ ସ୍ୱାଇଁ । ବୟସ ୮୦ ହେଲାଣି, ପ୍ରତି ମାସରେ ଏଭଳି ଅବସ୍ଥାରେ ୨ କିଲୋମିଟର ବାଟ ଚାଲିବାକୁ ପଡ଼େ । ପରିଣତ ବୟସରେ ଭତା ଟିକିକ ପାଇବା ପାଇଁ ଖରାରେ ଗୋଡ ଖରାପ କାରଣରୁ ଛୋଟେଇ ଛୋଟେଇ ବଳଙ୍ଗା ଗ୍ରାମବ୍ୟାଙ୍କକୁ ଦୌଡିବାକୁ ପଡୁଛି ।

Advertisment

ଗୋଡ ଭଲ ନଥିବାରୁ ବାଟରେ ଦଶଥର ବୃଦ୍ଧଙ୍କୁ ବିଶ୍ରାମ ମଧ୍ୟ ନେବାକୁ ପଡୁଛି । ତେବେ ଏ କରୁଣ ଦୃଶ୍ୟ ସାମ୍ନାକୁ ଆସିବା ପରେ ଜନଅସନ୍ତୋଷ ଦେଖାଯାଇଛି । ଅନ୍ୟପଟେ ଗ୍ରାମପଂଚାୟତରେ ଭତାକୁ ଦେବାକୁ ପ୍ରଶାସନ ତଥା ସରକାରଙ୍କୁ ଅନୁରୋଧ କରିଛନ୍ତି ନିଜେ ନାରାୟଣ ସ୍ୱାଇଁ । ପୂର୍ବରୁ ନବରଙ୍ଗପୁର ଝରିଗାଁରୁ ବୃଦ୍ଧା ସୂର୍ଯ୍ୟ ହରିଜନଙ୍କ ଦୁଃଖର କାହାଣୀ ସାମ୍ନାକୁ ଆସିଥିଲା । ଚେୟାର ସାହାଯ୍ୟରେ କିପରି ଦୂର ରାସ୍ତାକୁ ଭତା ପାଇଁ ଯିବାର ଦୃଶ୍ୟ ସାରା ରାଜ୍ୟରେ ଚହଳ ପକାଇ ଦେଇଥିଲା । ସରକାରଙ୍କ ଯୋଜନା ଜନହିତକାରୀ ସତ କିନ୍ତୁ ଯୋଜନା ପାଇବାକୁ ଲୋକଙ୍କୁ ଏଭଳି ପରିଣତ ବୟସରେ ଏଭଳି ସଂଘର୍ଷ କରିବାକୁ ପଡ଼ୁଛି ।