ଅନ୍ତିମ ସଂସ୍କାର ପାଇଁ ସଂଘର୍ଷ : ଭରା ନଈରେ ରଶି ସାହାଯ୍ୟରେ କୋକେଇ ପାରି କଲେ ସମ୍ପର୍କୀୟ

240

କନକ ବ୍ୟୁରୋ : ଜୀବନ ଥିଲା ବେଳେ କମ୍ପାନୀ ଧୁଆଁ, ଧୁଳି ଲୋକଙ୍କୁ ହନ୍ତସନ୍ତ କରୁଛି । ମୃତ୍ୟୁ ପରେ ଶବଦାହ କରିବା ମଧ୍ୟ ଆତ୍ମୀୟସ୍ୱଜନଙ୍କୁ ସଂଘର୍ଷ କରିବାକୁ ପଡୁଛି । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଡିମୁଣ୍ଡି ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ । ଭରା ନଦୀରେ ରଶି ସାହାଯ୍ୟରେ ଅଣ୍ଟାଏ ପାଣିରେ କୋକେଇ ପାରି କରିଛନ୍ତି ଆତ୍ମୀୟ ସ୍ୱଜନ । ଡିମୁଣ୍ଡି ଗାଁର ସନ୍ତୋଷ ନାଏକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରିବା ପାଇଁ ଜାତି ଭାଇ ଓ ବନ୍ଧୁବାନ୍ଧଙ୍କୁ ବିପଦ ସଙ୍କୁଳ ଅବସ୍ଥାରେ ନଈ ପାରି ହେବାକୁ ପଡିଛି ।

ଡିମୁଣ୍ଡି ଗାଁ ପାଖରେ ଥିବା ଉତ୍କଳ ଆଲୁମିନା କମ୍ପାନୀର ପାଚେରୀ ଯୋଗୁଁ ଗାଁ ମଶାଣୀକୁ ଏବେ ୫ କିଲୋମିଟର ବାଟ ପଡୁଛି । ସନ୍ତୋଷ ନାଏକଙ୍କ ମୃତ୍ୟୁ ପରେ ସମ୍ପର୍କୀୟ ମୃତଦେକୁ ଧରି ୫ କିଲୋମିଟର ବାଟ ବୁଲିବା ପରେ ବିପଦ ସଙ୍କୁଳ ଅବସ୍ଥାରେ ନଈ ପାରି ହୋଇ ଶ୍ମଶାନରେ ପହଞ୍ଚିଥିଲେ । ମୃତଦେହର ଦାହ ପାଇଁ କାଠକୁ ମାନବଶୃଙ୍ଖଳା କରି କାଠକୁ ନଈ ପାରି କରିଥିଲେ । ଏହା ପରେ ଅନ୍ତିମ ସଂସ୍କାର କରାଯାଇଥିଲା ।

ପୂର୍ବରୁ ଗାଁଠୁ ଗାଁ ଶ୍ମଶାନକୁ ସିଧା ରାସ୍ତା ରହିଥିଲା । ହେଲେ ଉତ୍କଳ ଆଲୁମିନା କମ୍ପାନୀ ପାଚେରୀ ବୁଲାଇ ଦେବା ପରେ ଗାଁ ଶ୍ମଶାନକୁ ଯିବା ରାସ୍ତା ବନ୍ଦ ହୋଇଯାଇଛି । କମ୍ପାନୀର ଧୁଳି, ଧୁଆଁ ସହିତ ପ୍ରଦୂଷଣର ଶିକାର ହେଉଥିବା ନେଇ ପ୍ରଶାସନ ଓ କମ୍ପାନୀ କର୍ତୃପକ୍ଷଙ୍କ ପାଖରେ ବାରମ୍ବାର ଅଭିଯୋଗ ସତ୍ୱେ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।