କନକ ବ୍ୟୁରୋ: ମୁଣ୍ଡ ଉପରେ ଟାଇଁ ଟାଇଁ ଖରା । ମୁଣ୍ଡରେ ପଗଡି ବାନ୍ଧି, ହାତରେ ଏକ ପଲିଥିନିରେ ପରିଚୟ ପତ୍ର ସହ ବ୍ୟାଙ୍କ ଖାତା ଧରି. ଚାଲି ଚାଲି ବ୍ୟାଙ୍କକୁ ବାହାରିଛନ୍ତି ବୃଦ୍ଧ । ୧୦ ପାହୁଣ୍ଡ ଚାଲିଲେ ଥକି ଯାଉଛନ୍ତି । କିଛି ସମୟ ଅଟକି ଯାଇ ବଳ ସଞ୍ଚୟ କରି ପୁଣି ଚାଲୁଛନ୍ତି ।

Advertisment
  • ଭତ୍ତା ପାଇଁ ନାରାୟଣଙ୍କ ସଂଘର୍ଷ
  • ଭଙ୍ଗା ଗୋଡରେ ଚାଲିଲେ ୨ କିମି

ନାରାୟଣ ସ୍ୱାଇଁ, ବୟସ – ୮୦ ଟପିଲାଣି, ଘର-ପିପିଲି ବ୍ଲକର ଭୋଗପାଟଳି ଗାଁ । ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧା ଭତ୍ତା ଟଙ୍କା ଆସିବା ପରଠୁ ନାରାୟଣଙ୍କ ଦୁଃଖ ବଢିଯାଇଛି । ଚାଲିବାକୁ ଦେହରେ ବଳ ନାହିଁ, ଭଙ୍ଗା ଗୋଡରେ ଛୋଟେଇ ଛୋଟେଇ କିଛି ବାଟ ଚାଲିଲେ ଥକି ଯାଉଛନ୍ତି । ୧୦ଥର ବିଶ୍ରାମ ନେଇ ପୁଣି ଚାଲୁଛନ୍ତି । ଏ ପରିଣତ ବୟସରେ ଭତ୍ତା ଟଙ୍କା ପାଇବା ପାଇଁ ତାଙ୍କୁ ୨ କିଲୋମିଟର ଦୂର ବଳଙ୍ଗା ବ୍ୟାଙ୍କକୁ ଚାଲି ଚାଲି ଯିବାକୁ ପଡୁଛି ।

ଚନ୍ଦ୍ରଦେଇପୁର ପଞ୍ଚାୟତର ନାରାୟଣ ସ୍ୱାଇଁ ଭତ୍ତା ଟଙ୍କା ପାଇଁ ବଳଙ୍ଗା ଗ୍ରାମବ୍ୟାଙ୍କକୁ ଚାଲି ଚାଲି ଯିବାର ଦୃଶ୍ୟ ସାମ୍ନାକୁ ଆସିବା ପରେ ଜନଅସନ୍ତୋଷ ଦେଖାଯାଇଛି । ଦିବ୍ୟାଙ୍ଗ ଓ ବୃଦ୍ଧ ବୃଦ୍ଧାଙ୍କୁ ପୂର୍ବଭଳି ପଞ୍ଚାୟତରେ କିମ୍ବା ନିଜ ଘରେ ଭତା ଟଙ୍କା ପହଞ୍ଚାଇ ଦେବାକୁ ଦାବି ହୋଇଛି ।

ପୂର୍ବରୁ ନବରଙ୍ଗପୁରର ବୃଦ୍ଧା ସୂର୍ଯ୍ୟ ହରିଜନ ଭତ୍ତା ପାଇଁ ଏକ ଭଙ୍ଗା ଚେୟାର ସାହାଯ୍ୟରେ ବ୍ୟାଙ୍କକୁ ଚାଲି ଚାଲି ଯିବା ଦୃଶ୍ୟ ସାରା ରାଜ୍ୟରେ ଚହଳ ପକାଇ ଦେଇଥିଲା । ତେବେ ସରକାରଙ୍କ ଜନହିତକାରୀ ଯୋଜନା କିପରି ବୃଦ୍ଧ ବୃଦ୍ଧାଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରିଛି ଏହାର ଦୃଶ୍ୟ ଏବେ ପିପିଲି ଅଞ୍ଚଳରୁ ଆସିଛି ।