ମାଲକାନଗିରି ବଣ୍ଡା ଘାଟିରେ ଷ୍ଟ୍ରବେରୀ ଚାଷ । ଏକ ଏକର ଜମିରେ ଷ୍ଟ୍ରବେରୀ ଚାଷ କରି ସଫଳ ହୋଇଛନ୍ତି ୨ ଭାଇ

181

କନକ ବ୍ୟୁରୋ : ଘାଟିରେ ଫଳୁଛି ବିଦେଶୀ ଫଳ । ଷ୍ଟ୍ରବେରୀ ଦେଇଛି ନୂଆ ପରିଚୟ । ଦୁଇ ଭାଇ ମିଶି ପାହାଡ଼ିଆ ଅଂଚଳରେ ଷ୍ଟ୍ରବେରୀ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି । ମାଲକାନଗିରି ଗୁଲଙ୍ଗପଦର ଗାଁର ଲକ୍ଷ୍ମଣ ଓ ମଙ୍ଗଳା ମୁଦୁଲି ବଣ୍ଡାପଡା ଗାଁରେ ଥିବା ଏକ ଏକର ଚାଷ ଜମିରେ ଷ୍ଟ୍ରେବେରୀ ଚାଷ କରିଛନ୍ତି । ପୂର୍ବରୁ ପାରମ୍ପରିକ ଚାଷ କରି ୨ ଭାଇ କ୍ଷତି ସହୁଥିଲେ । ବଣ୍ଡା ଉନ୍ନୟନ ସଂସ୍ଥା ପକ୍ଷରୁ ସଚେତନ କରାଯିବା ପରେ ପରୀକ୍ଷା ମୂଳକ ଭାବେ ଷ୍ଟ୍ରବେରୀ ଚାଷ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ଦୁଇ ଭାଇ । ବଜାରରେ ଏହାର ଦାମ୍ ମଧ୍ୟ ଅଧିକ ରହିଛି । ଏବେ ଏହି ରଙ୍ଗିନ ଫଳ କିଲୋ ପିଛା ୫ ଶହ ଟଙ୍କାରେ ବିକ୍ରି କରି ଲାଭବାନ ହେଉଛନ୍ତି ଚାଷୀ ।

ପୂର୍ବରୁ ୨ ଭାଇ ମିଶି ବଣ୍ଡାପଡା ଠାରେ ଥିବା ଚାଷ ଜମିରେ ପାରମ୍ପରିକ ଚାଷ ତଥା ଧାନ, ହଳଦୀ, ମାଣ୍ଡିଆ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ । ଏବେ ଷ୍ଟ୍ରୋବେରୀ ଚାଷ କରି ଲାଭବାନ ହେଉଛନ୍ତି । ବଜାରରେ ଷ୍ଟ୍ରୋବେରୀର ଚାହିଦା ଦେଖି ପୁଣି ୩ ଏକରର ଚାଷ ଜମିରେ ଚାଷ କରିବାକୁ ଲକ୍ଷ୍ୟ ରଖିଛନ୍ତି । ବଣ୍ଡା ଉନ୍ନୟନ ସଂସ୍ଥା ତରଫରୁ ଉଭୟଙ୍କୁ ଚାଷ ଲାଗି ସମସ୍ତ ପ୍ରକାରର ବ୍ୟବସ୍ଥା ଓ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ପାହାଡ ତଳେ ଥିବା ଏହି ସମତୁଲ ଜମିକୁ ବୁନ୍ଦା ଜଳସେଚନ ମାଧ୍ୟମରେ ଝରଣା ପାଣି ଯୋଗାଇ ଦିଆଯାଇଛି । ଏକ ଏକର ଷ୍ଟ୍ରୋବେରୀ ଚାଷରେ ଚାଷୀ ହାରାହାରି ୧୮ ଲକ୍ଷ ଟଙ୍କା ଲାଭ ପାଇପାରିବ ବୋଲିି ଆକଳନ କରିଛି ଓପିଲିପି ।

ଦିନକୁ ଦିନ ପାରମ୍ପରିକ ଚାଷ ବଦଳରେ ନୂଆ ନୂଆ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଚାଷୀ । ଡ୍ରାଗନ୍ ଫ୍ରୁଟ୍ସ, ଥାଇଲାଣ୍ଡ ବରକୋଳି, ଷ୍ଟ୍ରବେରି ଚାଷ କରି ଅନେକ ଚାଷୀ ଲାଭବାନ ହେଉଛନ୍ତି । ତେବେ ବଣ୍ଡା ଘାଟିର ଦୁଇ ଭାଇଙ୍କ ଷ୍ଟ୍ରବେରୀ ଚାଷ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।