ବଜାରରେ ଧମାକା କରିବ ରଗଡର ଏହି ଇ ବାଇକ । ଥରେ ଚାର୍ଜକଲେ ଚାଲିବ ୧୬୦ କି.ମି, ଜାଣନ୍ତୁ କଣ ରହିଛି ଦାମ

354

କନକ ବ୍ୟୁରୋ : ଦେଶରେ ଏବେ ଅଧିକାଂଶ ସହରରେ ପେଟ୍ରୋଲର ଦାମ ୧୦୭ ଟଙ୍କା ଉପରେ ରହିଛି । ଏଭଳି ମହଙ୍ଗା ପେଟ୍ରୋଲକୁ ନେଇ ଉପଭୋକ୍ତା ଚିନ୍ତାରେ ପଡିଥିବା ବେଳେ ଏହାର ବିକଳ୍ପ ଭାବେ ବଜାରକୁ ବିଭିନ୍ନ ମୋଟର ବାଇକ୍ କମ୍ପାନୀମାନେ ବିଦ୍ୟୁତ ଚାଳିତ ଯାନ ଛାଡିବାରେ ଲାଗିଛନ୍ତି । ହେଲେ ବିଦ୍ୟୁତ୍ ଚାଳିତ ଯାନ ତାର ମାଇଲେଜକୁ ନେଇ ଏପର୍ଯ୍ୟନ୍ତ ଗ୍ରାହକଙ୍କୁ ସନ୍ତୁଷ୍ଟ କରିପାରି ନାହିଁ । ଇଭି, ହିରୋ, ଟିଭିଏସ ଭଳି କମ୍ପାନୀମାନେ ବଜାରକୁ ଛାଡିଥିବା ଇ ବାଇକ ଗୁଡିକର ମାଇଲେଜ ୬୦ ରୁ ୭୫ କିଲୋମିଟର ଭିତରେ ରହୁଥିବା ବେଳେ ଓଲା କମ୍ପାନୀ ଦାବି କରିଛି କି ତାଙ୍କ କମ୍ପାନୀ ଦ୍ୱାରା ନିର୍ମିତ ଇ ବାଇକ ୧୦୦ ରୁ ୧୨୦ କିଲୋମିଟର ଭିତରେ ମାଇଲେଜ ରହିବ । ହେଲେ ଏହି ଓଲା କମ୍ପାନୀ ଇ ବାଇକର ମୂଲ୍ୟ ସର୍ବନିମ୍ନ ୧ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ।

ଏହାରି ମଧ୍ୟରେ ଭାରତୀୟ ବଜାରକୁ ଖୁବଶୀଘ୍ର ଆସୁଛି ରଗଡର ଇ ବାଇକ । ଏନେଇ ବୁକିଂ ବି ଆରମ୍ଭ ହୋଇଯାଇଛି । ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ଏହି ବାଇକକୁ ନେଇ କମ୍ପାନୀ ଦାବି କରିଛି କି ଏହି ଇ ବାଇକ ଗୋଟିଏ ଥର ଚାର୍ଜ ହେଲେ ସର୍ବନିମ୍ନ ୧୬୦ କିଲୋମିଟର ଯାଇ ପାରିବ ।

ସେପଟେ ଗାଡିର ଫିଚରକୁ ଦେଖିବା ପରେ ଏହା ଗ୍ରାହକମାନଙ୍କ ପଶନ୍ଦ ହେବ ବୋଲି ଆଶା କରାଯାଉଛି । ରଗଡ ଇ ବାଇକ ୪ ଟି ରଙ୍ଗରେ ଉପଲବ୍ଧ ହେବ । ଯାହା ମଧ୍ୟରେ ନାଲି, ନୀଳ, କଳା ଓ ସ୍ପେଶାଲ ରେଡ ରଙ୍ଗର ଗାଡି ଭାରତୀୟ ବଜାରକୁ ଆସୁଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ବାଇକରେ ୩୫ କିଲୋୱାଟ୍ ମୋଟର ରହିଥିବା ବେଳେ ଏହା ଥରେ ଚାର୍ଜ ହେବାକୁ ୩.୫ ଘଂଟା ଲାଗିବ । ଥରେ ଚାର୍ଜ ହେଲେ ଏହି ବାଇକ ୧୬୦ କିଲୋମିଟର ପର୍ଯ୍ୟନ୍ତ ଯାଇ ପାରିବ ।

ଯଦି ଆମେ ସ୍ପିଡ କଥା କହିବା ତେବେ ଏହି ଗାଡି ଘଂଟାପ୍ରତି ୭୦ କିଲୋମିଟର ବେଗରେ ଯାଇ ପାରିବ । ଏହାସହ ଗାଡିରେ ୩୦ ଲିଟର ଷ୍ଟୋରେଜ ପାଇଁ ସ୍ଥାନ ରହିଛି । ବର୍ତମାନ ଏହି ଗାଡି ଜି-୧ ଓ ଜି-୨ ଭାରିଆଣ୍ଟରେ ଉପଲବ୍ଧ ହେବ ବୋଲି କୁହାଯାଇଛି ।

ଆପଣ ଏହି ଗାଡି କିଣିବାକୁ ଚାହୁଁଥିଲେ ମାତ୍ର ୪୯୯ ଟଙ୍କା ଦେଇ ବୁକିଂ କରିପାରିବେ । ଅନ୍ୟପଟେ ଏହି ଗାଡିର ପ୍ରାରମ୍ଭିକ ମୂଲ୍ୟ ୮୪.୯୯୯ ଟଙ୍କା ରହିଛି । ଏହାର ଟପ୍ ମଡେଲର ଦାମ ୧.୦୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ଏହାସହ ଏହି ବାଇକ କିଣିବା ବେଳେ ଆପଣଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଇଲେକ୍ଟି ବାଇକ ଉପରେ ଦିଆଯାଉଥିବା ସବସିଡର ଲାଭ ବି ଉଠାଇ ପାରିବେ ।