କନକ ବ୍ୟୁରୋ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଯାହା ଆଶଙ୍କା କରୁଥିଲେ ତାହା ସତ ହୋଇଛି । ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ଚ୍ୟାଲେଞ୍ଜ କରି ତାଙ୍କ ସଭାରେ ଯୋଗ ଦେବାକୁ ଯିବାବେଳେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି । ବ୍ରହ୍ମପୁର ଲାଞ୍ଜିପାଲି ନିକଟରେ ଯାଉଥିବାବେଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଅଟକାଇଥିଲେ ବିଜେଡି କର୍ମୀ ଓ ପୋଲିସ । ଏମିତିକି ତାଙ୍କ ଗାଡି ଉପରକୁ ଚଢ଼ି କିଛି ଲୋକ ବିରୋଧ କରିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଘଟଣାସ୍ଥଳରେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ମୁହାଁମୁହିଁ ହୋଇଥିଲେ ବିଜେଡି କର୍ମୀ ଓ ପ୍ରଦୀପଙ୍କ ସମର୍ଥକ ।

Advertisment

ଉତେଜନା ବଢ଼ୁଥିବାବେଳେ ଗାଡିରୁ ଓହ୍ଲାଇ ବିରୋଧକାରୀଙ୍କୁ ହଟିବାକୁ କହିଥିଲେ ପ୍ରଦୀପ ପାଣିଗ୍ରାହୀ । ପ୍ରଦର୍ଶନକାରୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଉପସ୍ଥିତ ପୋଲିସ କର୍ମଚାରୀଙ୍କୁ କହିଥିଲେ । ହେଲେ, ବିଜେଡି କର୍ମୀ ଓ ପୋଲିସ ଉପରେ ଏହାର କୌଣସି ପ୍ରଭାବ ପଡିନଥିଲା । ପ୍ରଦୀପଙ୍କୁ ଆଗକୁ ଛାଡି ନଥିଲେ । ଆଗକୁ ଯାଇ ନପାରି ଗାଡି ଭିତରେ ବସି ରହିଥିଲେ ବିଧାୟକ । ତାପରେ ଗାଡି ଭିତରେ ବସି, ନିର୍ବାଚନମଣ୍ଡଳିକୁ ଯିବାକୁ ଦେବାକୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଦକ୍ଷିଣାଞ୍ଚଳର ଆଇଜି ଓ ଗୃହ ବିଭାଗକୁ ମେଲ କରି ଅନୁରୋଧ କରିଥିଲେ ।

ବିଧାୟକ ଓ ବିଜେଡି କର୍ମୀଙ୍କ ଛକାପଞ୍ଝା ଭିତରେ ଆସିଥିଲା ଚିନ୍ତାଜନକ ଦୃଶ୍ୟ । ପୋଲିସ ଉପସ୍ଥିତିରେ ପ୍ରଦୀପଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଥିଲେ କିଛି ପ୍ରଦର୍ଶନକାରୀ । ଯାହା ଗାଡିର ସମ୍ମୁଖ ଭାଗରେ ପଡିଥିଲା । ସେହିପରି ପ୍ରଦୀପଙ୍କ ଗାଡି ଉପରକୁ ପଥର ଓ ପାଣି ବୋତଲ ମାଡ ହୋଇଥିଲା । ଏପରିକି ସେହି ସ୍ଥାନରେ ଉପସ୍ଥିତ ଥିବା କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ମଧ୍ୟ ଅଣ୍ଡା ମାଡ ହୋଇଥିବା ଅଭିଯୋଗ ହୋଇଛି ।

ଜଣେ ନିର୍ବାଚିତ ପ୍ରତିନିଧି ନିଜ ନିର୍ବାଚନମଣ୍ଡଳୀକୁ ଯିବା ପାଇଁ କରୁଥିବା ସଂଘର୍ଷର ଦୃଶ୍ୟ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ସଚିବଙ୍କ ସଭାକୁ, ଗୋପାଳପୁର ବିଧାୟକ ଯାଉଥିବାବେଳେ, ବିଜେଡି ନେତା ଓ କର୍ମୀ ବିରୋଧ କରିବା ପଛର କାରଣ କଣ? ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ସେହିପରି ପୋଲିସର ଭୂମିକାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।