କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରୁ ଧାନକିଣା ନେଇ ଅବ୍ୟବସ୍ଥା ଅଭିଯୋଗ ଭିତରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । ଧାନ କିଣା ସଂଗ୍ରହ ପ୍ରକ୍ରିୟାରେ ଅନିୟମିତତା ଓ ସରକାରୀ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୧୫ ଜଣ ପ୍ୟାକ୍ସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏହା ସହ ଜଣେ ଡିଟିପି ଅପରେଟରଙ୍କୁ ବହିଷ୍କାର କରିଛି ଯୋଗାଣ ବିଭାଗ । ଏମାନଙ୍କ ମଧ୍ୟରେ ପ୍ରମୁଖ ଅଛନ୍ତି ସମ୍ବଲପୁର ନୂଆମୁରା ପ୍ୟାକ୍ସର ରମାକାନ୍ତ ଭୋଇ, ଧମା ପ୍ୟାକ୍ସର ସରୋଜ ଦାସ , ଚାରମାଳ ପ୍ୟାକ୍ସର ଅମିତ ପ୍ରଧାନ, ସାହସପୁର ପ୍ୟାକ୍ସର କୃପାସିନ୍ଧୁ ସାହୁ ।
ସେହିଭଳି ଝାରୁସୁଗୁଡା, ବଲାଙ୍ଗିର, ବୌଦ୍ଧ, କେଉଁଝର, ଦେବଗଡ ଜିଲ୍ଲାର ସମ୍ପାଦକ ଓ ସହକାରୀ ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଏହାସହ ସଢା ପ୍ୟାକ୍ସର ଡିଟିପି ଅପରେଟର ମନୋଜ ନାୟକଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମରେ କୌଣସି ଅନିୟମିତତାକୁ ପ୍ରଶ୍ରୟ ଦିଆଯିବନାହିଁ ବୋଲି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।