ଘରୋଇ ହସ୍ପିଟାଲରେ ଭୁଲ ଚିକିତ୍ସା ପାଇଁ ରୋଗୀ ମୃତ୍ୟୁ ଅଭିଯୋଗ : ମୃତଦେହ ରଖି କଟକ-ନରସିଂହପୁର ରାସ୍ତାର ବାଗଧରିଆରେ ରାସ୍ତାରୋକ

କ୍ଷତିପୂରଣ ସହ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

138

କନକ ବ୍ୟୁରୋ : କଟକ ଜିଲ୍ଲାର କାନପୁର ଥାନା ଅନ୍ତର୍ଗତ ଘରୋଇ ହସ୍ପିଟାଲରେ ଭୁଲ ଚିକିତ୍ସା ପାଇଁ ରୋଗୀ ମୃତ୍ୟୁ ଅଭିଯୋଗ । ମୃତହେଦ ରଖି ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ବାଗଧରିଆ ଛକ ଠାରେ ଟାୟାର ଜାଳି କଟକ- ନରସିଂହପୁର ୬୫ ନମ୍ବର ରାଜପଥ ଅବରୋଧ କରିଥିବା ଦେଖାଦେଇଛି ।  ଏଥି ସହିତ କ୍ଷତିପୂରଣ ବାବଦକୁ ୨୦ ଲକ୍ଷ ଟଙ୍କା ସହିତ ନର୍ସିଂହୋମକୁ ସିଲ୍ କରିବା ଦାବି କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ରାସ୍ତା ଅବରୋଧ କରିବା ଦ୍ବାରା ଗାଡ଼ି ଚଳାଚଳ ସହିତ ଜୀବନଯାତ୍ରା ବ୍ୟାହତ ହୋଇଥିବା ଦେଖିବାକୁ ମିଳିଛି ।

ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଯୁବକଙ୍କ ଘର ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ଗ୍ରାମର ମାୟାଧର ରାଉତଙ୍କ ପୁଅ ନିରାକର ରାଉତ ବୋଲି ଜଣାପଡ଼ିଛି । ମୃତ ନିରାକରଙ୍କ ମା‘ ବୀଣାପାଣୀ ରାଉତଙ୍କ କହିବ ଅନୁଯାୟୀ, ଗତକାଲି ନିରାକର ମଳକଣ୍ଟକ ଅପରେସନ ପାଇଁ ଘରୋଇ ହସ୍ପିଟାଲକୁ ନିଆ ଯାଇଥିଲା । ଅପରେସନ ବେଳେ ତାଙ୍କୁ ନିଶା ଇଂଜେକ୍‌ସନ ଦିଆଯାଇଥିଲା । ସେହି ସମୟରେ ତାଙ୍କର ରକ୍ତସ୍ରାବ ବନ୍ଦ ହୋଇନଥିବା ବେ‌ଳେ ତାର ମୃତ୍ୟୁ ହୋଇଥିଲା । ମୃତ୍ୟୁ ହୋଇଥିବା ଜାଣି ତରବରିଆ ଭାବେ ତାଙ୍କୁ ତୁରନ୍ତ ଏକ ଗାଡ଼ିରେ ନର୍ସିଂହୋମ ପରିଚାକଳ ଅଜୟ କୁମାର ପଣ୍ତା କଟକ ନେଇ ଯାଇଥିଲେ । ଡାକ୍ତର ଦେଖିବା ପରେ ନିରାକରଙ୍କ ଅପରେସନ ସମୟରେ ମୃତ୍ୟୁ ହୋଇଛି ବୋଲି କହିଥିଲେ । ଖବର ପାଇ କାନପୁର ଥାନା ଅଧିକାରୀ ସସ୍ମିତା ରଣା, ନରସିଂହପୁର ତହସିଲଦାର ଆଲୋକ କୁମାର ଦେହୁରୀ ଘଟଣାସ୍ଥଳରେ ପହଞ୍ଚି ପରିବାରକୁ ବୁଝାଶୁଝା ଜାରି ରଖିଛନ୍ତି ।