କନକ ବ୍ୟୁରୋ : ପାର୍ବଣ ପାଇଁ ଟୁଇନସିଟିରେ ଆଜିଠାରୁ ଆହୁରି କଡାକଡି ହେବ ନାଇଟ୍ କଫ୍ୟୁ । ପୂଜାକୁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ଢଙ୍ଗରେ ଶେଷ କରିବାପାଇଁ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ରହିବ । ପୂଜାରେ ସହରକୁ ଜଗିବା ପାଇଁ ୧୦୦ଜଣ ଅଧିକାରୀଙ୍କ ନେତୃତ୍ବରେ ୩୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଏହାଭିତରେ ୧୧୦ରେ ୪୧ଜଣଙ୍କୁ ଧରି ଜେଲ୍ ପଠାଯାଇଥିବା ବେଳେ ଆଉ ୨୦୩ ଙ୍କୁ ଧରିବା ପାଇଁ ତାଲିକା ପ୍ରସ୍ତୁତ କରାଯାଇଛି । ମଦୁଆଙ୍କୁ ଧରିବାକୁ ସ୍ବତନ୍ତ୍ର ସ୍କ୍ବାଡ୍ ପ୍ରସ୍ତୁତ କରାଯାଇଛି । ପୂଜାରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ପ୍ରତି କଠୋର ପଦକ୍ଷେପ ନିଆଯିବ ବୋଲି ପୁଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଚେତାବନୀ ଦେଇଛନ୍ତି ।
ଦୁର୍ଗାପୂଜା ସମୟରେ ରାତି ୮ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ କଟକଣା ରହିବ ବୋଲି ସରକାରଙ୍କ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିଲା । ଏହାକୁ କାର୍ଯ୍ୟକାରୀ କରାଯିବା ପୂର୍ବରୁ ଆଜି ପୁଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀ କରି ବିଶୃଙ୍ଖଳା ସୃଷ୍ଟିକାରୀଙ୍କୁ ଦୃଢ଼ହସ୍ତରେ ଦମନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହାଭିତରେ ପୂଜା ଆରମ୍ଭ ହେବା ପୂର୍ବରୁ ପୁଲିସ ପକ୍ଷରୁ ୧୧୦ରେ ୪୧ଜଣଙ୍କୁ ଗିରଫ କରି ଜେଲ୍ ପଠାଯାଇଥିବା ବେଳେ ଆଉ ୨୦୩ଜଣଙ୍କୁ ଧରିବା ପାଇଁ ତାଲିକା ପ୍ରସ୍ତୁତ କରାଯାଇଛି । ପୂଜା ସମୟରେ ବେଆଇନ ମଦ କାରବାର ଉପରେ ରୋକ୍ ଲଗାଇବାକୁ ଏକ ସ୍ୱତନ୍ତ୍ର ଟିମ ତିଆରି ହୋଇଛି ।
ସୁରକ୍ଷା ଓ ଆଇନଶୃଙ୍ଖଳା ଦାୟିତ୍ବରେ ୧୦୦ ଜଣ ଅଫିସରଙ୍କ ନେତୃତ୍ବରେ ୩୨ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି । ନାଇଟ୍ କର୍ଫ୍ୟୁକୁ କଡ଼ାକଡ଼ି ପାଳନ କରିବା ପାଇଁ ରାତିରେ ସ୍ପେସାଲ ସ୍କ୍ବାଡ୍ ନିୟୋଜିତ କରାଯିବା ସହ ସାଦା ପୋଷାକ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି। ସ୍ପେସାଲ୍ ସ୍କାଡ୍ ପିସିଆର୍ ବଦଳରେ ବାଇକ୍ ପାଟ୍ରୋଲିଂ କରିବେ ଓ ମଦୁଆଙ୍କୁ ଧରିବାରେ ସହଯୋଗ କରିବେ । ଜୋର ଜବରଦସ୍ତ ଚାନ୍ଦା ଆଦାୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଆବଶ୍ୟକ ହେଲେ ଗିରଫ କରାଯିବ ବୋଲ କମିସନର୍ କହିଛନ୍ତି । ସେହିପରି ପୂଜା ସମୟରେ ନାଇଟ କର୍ଫ୍ୟୁକୁ କଡ଼ାକଡ଼ି ପାଳନ କରାଯିବା ସହ ସରକାରଙ୍କ କୋଭିଡ୍ ନିୟମକୁ ମଧ୍ୟ ସଂପୂର୍ଣ୍ଣ ପାଳନ କରାଯିବ ବୋଲି କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି ।