‘କରୋନା’ ମୁକାବିଲା ନେଇ ଶ୍ରୀମନ୍ଦିରରେ କଡା ସତର୍କତା: ଭିତର କାଠ ଦର୍ଶନ ବନ୍ଦ, ଭକ୍ତଙ୍କୁ ଅରୁଣ ଓ ଗରୁଡସ୍ତମ୍ଭ ଛୁଇଁବା ମନା; ମାସ୍କ ପିନ୍ଧିବେ ସେବାୟତ

ଭକ୍ତଙ୍କଠାରୁ ଗ୍ରହଣ କରାଯିବ ଘୋଷଣାପତ୍ର: ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ବଡ ନିଷ୍ପତି

287

କନକ ବ୍ୟୁରୋ: ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ବଡ ନିଷ୍ପତି । କରୋନା ସଂକ୍ରମଣ ରୋକିବା ପାଇଁ ବୈଠକରେ ବଡନିଷ୍ପତି ନିଆଯାଇଛି । ତେବେ ନିଷ୍ପତି ଅନୁସାରେ ମନ୍ଦିରରେ ପୂଜା ବେଳେ ମାସ୍କ ପିନ୍ଧିବେ ଶ୍ରୀମନ୍ଦିର ସେବାୟତ । ଏଥିସହିତ ବାରମ୍ବାର ହାତ ଧୋଇବାକୁ ସେବାୟତମାନଙ୍କୁ ପରାମର୍ଶ ଦିଆଯାଇଛି । ଏହାସହ ଭକ୍ତମାନଙ୍କ ଆଖିରେ କର୍ପୂର ନ ଲଗାଇବା ପାଇଁ ମଧ୍ୟ ସେବାୟତଙ୍କୁ ଅନୁରୋଧ କରାଯାଇଛି ।

ସେହିପରି ଦର୍ଶନାର୍ଥୀମାନଙ୍କୁ ମନ୍ଦିରରେ ଥିବା ଅରୁଣସ୍ତମ୍ଭ, ଗରୁଡସ୍ତମ୍ଭ, କୌଣସି ଦେବଦେବୀ କିମ୍ବା ପଦାର୍ଥୀକୁ ଛୁଇଁବାକୁ ବାରଣ କରାଯିବା ସହ ଏପ୍ରିଲ ୧୫ ତାରିଖ ଯାଏଁ ଭିତର କାଠ ପାଖରୁ ଠାକୁର ଦର୍ଶନ ଉପରେ କଟକଣା ଜାରି କରାଯାଇଛି । ଏଥିସହିତ ଜଗମୋହନ ଭିତରେ ଓ ଅରୁଣସ୍ତମ୍ଭ ନିକଟରେ ଜନସମାଗମ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ତେବେ ଭକ୍ତଙ୍କୁ କେବଳ ଧାଡିରେ ଶୃଂଖଳିତ ଭାବରେ ଜଗମୋହନ ଭିତରକୁ ଛଡାଯିବ ବୋଲି ଛତିଶା ନିଯୋଗ ବୈଠକରେ ନିଷ୍ପତି ନିଆଯାଇଛି । ସେହିପରି ଆନନ୍ଦ ବଜାରରେ ବସିବା ଓ ଭୋଜନ ବ୍ୟବସ୍ଥା ନିୟନ୍ତ୍ରଣ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଜଗମୋହନ ଓ ଅରୁଣ ସ୍ତମ୍ଭ ନିକଟରେ ଜନସମାଗମ ଉପରେ କଟକଣା ଜାରି କରାଯାଇଛି । ସେହିପରି ଆନନ୍ଦ ବଜାରରେ ବସିବା ଓ ଭୋଜନ ବ୍ୟବସ୍ଥା ନିୟନ୍ତ୍ରଣ ଉପରେ କଟକଣା ଜାରି କରାଯିବା ସହ ମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ନିଜ ସଂପର୍କରେ ନିର୍ଧାରିତ ଫର୍ମରେ ନିଜସ୍ୱ ଘୋଷଣା ଦେବା ବାଧ୍ୟତାମୂଳକ କରାଯାଇଛି ।

 

କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ପ୍ରତିଷେଧକମୂଳକ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉପରେ ସମସ୍ତ ନିଯୋଗ, ସେବକ ଓ ଯାତ୍ରୀମାନେ ସେମାନଙ୍କର ସହଯୋଗ ପ୍ରଦାନ କରିବା ପାଇଁ ଆଜି ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଅନୁରୋଧ କରାଯାଇଛି ।