ଲକଡାଉନ୍ ସମୟରେ ନିୟମ ନମାନି ରାତି ଅଧରେ ବୁଲିବା ଯୁବକଙ୍କୁ ପଡିଲା ମହଙ୍ଗା: ଅମାନିଆ ଯୁବକ ଲେଖାଥିବା ପ୍ଲାକାର୍ଡ ଧରାଇ ସଚେତନ କଲା ବାଲିଗୁଡା ପୋଲିସ୍

ସେପଟେ ଧର୍ମଗଡ଼ ବ୍ଳକ ଅଧ୍ୟକ୍ଷଙ୍କୁ ଗୃହପ୍ରବେଶ ଭୋଜି ଦେବା ପଡିଲା ମହଙ୍ଗା, ଗିରଫ କରିଲା ପୋଲିସ

746

କନକ ବ୍ୟୁରୋ: ସାରା ଦେଶରେ ଲକ୍ ଡାଉନ୍ ଚାଲିଥିବାବେଳେ ଏହାକୁ ଖୋଲାଖୋଲି ଉଲ୍ଲଘଂନ କରି ହଟହଟା ହୋଇଛନ୍ତି ବାଲିଗୁଡା ସହରର କିଛି ଅମାନିଆ ଯୁବକ । ବାରମ୍ବାର ପ୍ରଶାସନର ପ୍ରଚାର ଓ ସଚେତନତା ସତ୍ୱେ ଅନାବଶ୍ୟକ ଭାବେ ରାତିରେ ବୁଲୁଥିବାରୁ ସେମାନଙ୍କୁ ଧରିଆଣି ଅଭିନବ ଉପାୟରେ ସଚେତନ କରିଛି ପୋଲିସ୍ । ବାଲିଗୁଡା ବସ୍ ଷ୍ଟାଣ୍ଡ ନିକଟରେ ଅମାନିଆ ଗ୍ୟାଙ୍ଗ ଓ ହିନସ୍ତିଆ ଗାଡି ନାମରେ ଦୁଇଟି ବ୍ୟାନର ମାରି ସେମାନଙ୍କୁ ଛିଡା କରି ହାତରେ ପ୍ଲାକାର୍ଡ ଧରାଇ ସାବାଡ କରିଛି ପୋଲିସ୍ । ତେବେ ଏହି ଯୁବକଙ୍କ କହିବା କଥା ହେଉଛି ଘରେ ଭଲ ଲାଗୁନଥିବାରୁ ସେମାନେ ରାତିରେ ଟହଲ ମାରୁଥିଲେ । ହେଲେ ପୋଲିସ ହାବୁଡରେ ପଡି ହଟହଟା ହୋଇଛନ୍ତି ।

ସେପଟେ ଲକ-ଡାଉନ୍ ନିୟମ ଉଲ୍ଲଂଘନ କରି ହଟହଟ୍ଟା ହେଲେ ବ୍ଲକ ଅଧ୍ୟକ୍ଷ । ନିୟମ ଖିଲାପ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅଧ୍ୟକ୍ଷ ବଳରାମ ପୂଝାରୀଙ୍କୁ ଗିରଫ କରିଥିଲା ପୁଲିସ । ସାରା ଦେଶରେ ତାଲାବନ୍ଦ ଚାଲିଥିବା ଭିତରେ ବ୍ଲକ ଅଧ୍ୟକ୍ଷ ନିଜ ଗାଁରେ ଗୃହ ପ୍ରବେଶ ଭୋଜି ଦେଇଥିଲେ । ଆଉ ଏହି ଗୃହ ପ୍ରବେଶ ଭୋଜିରେ ସଂଖ୍ୟାଧିକ ଲୋକ ସାମିଲ ହୋଇଥିବା ଖବର ପାଇ ଚଢାଉ କରିଥିଲା କୋକସରା ଥାନା ପୁଲିସ । ନିୟମ ଉଲ୍ଲଂଘନ ଅଭିଯୋଗରେ ବଳରାମ ପୂଜାରୀଙ୍କ ନାମରେ ପୁଲିସ ମାମଲା ରୁଜୁ କରି ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା । ତେବେ ଏସଡିଜିଏମ କୋର୍ଟରେ ଧର୍ମଗଡ ବ୍ଲକ ଅଧ୍ୟକ୍ଷ ଜାମିନରେ ମୁକୁଳିଥିବା ସୂଚନା ମିଳିଛି ।