କନକ ବ୍ୟୁରୋ: ବିନା ହେଲମେଟରେ ଗାଡି ଚଳାଉଥିଲେ ସାବଧାନ । ଏଥର ଆଉ ମାଫ୍ ନାହିଁ । ରାଜ୍ୟ ସରକାରଙ୍କ ସଡକ ପରିବହନ ଆୟୁକ୍ତଙ୍କ ପକ୍ଷରୁ ଏନେଇ ଜାରି ହୋଇଛି ନିର୍ଦ୍ଦେଶନାମା । ପରିବହନ ବିଭାଗ ପକ୍ଷରୁ ଏନେଇ ସମସ୍ତ ଆରଟିଓ ଙ୍କୁ ଚିଠି କରାଯାଇଛି । ଆସନ୍ତା ୧୫ ତାରିଖରୁ ରାଜ୍ୟର ସମସ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ହେଲମେଟ୍ ଯାଞ୍ଚ କରାଯିବ । ଏହି ଅଭିଯାନ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପରିବହନ ବିଭାଗ କମିଶନର ସ୍ପଷ୍ଟ କରିଛନ୍ତି ।

Advertisment

ଏଥର ଅମାନିଆ ଗାଡି ଚାଳକଙ୍କୁ ଆଉ ମାଫ୍ କରାଯିବନି । ମୁଣ୍ଡରେ ହେଲମେଟ୍ ନଥିଲେ ନିୟମ ମୁତାବକ, ଚାଲାଣ କାଟିବା ସହ ବାଇକ୍ ଚାଳକଙ୍କ ଲାଇସେନ୍ସକୁ ୩ ମାସ ପାଇଁ ବାତିଲ କରିଦିଆଯିବ । ସେହିଭଳି ନାବାଳକ ଗାଡି ଚାଳକ ଓ ବଇକରେ ୩ଜଣ ବସିଥିଲେ । କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସହରାଞ୍ଚଳରେ ବାଇକ୍ ଚାଳକ ହେଲମେଟ୍ ପିନ୍ଧୁଥିବା ବେଳେ ଜାତୀୟ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ବାଇକ୍ ଚାଳକ ମାନେ ହେଲମେଟ୍ ପିନ୍ଧିବାକୁ ପସନ୍ଦ କରୁନାହାଁନ୍ତି ।

ହେଲମେଟ୍ ନ ପିନ୍ଧିବା କାରଣରୁ ଦିନକୁ ଦିନ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢୁଛି । ପରିବହନ ବିଭାଗର ତଥ୍ୟ ମୁତାବକ, ୨୦୨୧ରେ ପ୍ରାୟ ୧୩୦୮ଜଣ ବାଇକ୍ ଆରୋହୀ ଓ ଚାଳକଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଲମେଟ ମିନ୍ଧିନଥିବା ଜଣାପଡିଛି । ତେଣୁ ମୁଖ୍ୟ ରାସ୍ତା ଗଉଡିକରେ ଚେକିଂ ଜୋରଦାର କରିବାକୁ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନର୍ଦ୍ଦେଶ ଦିଆଯାଇଛି ।

ଏହାସହ ମଦ୍ୟମ ଗାଡି ଚାଳକଙ୍କ ପାଇଁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ । ଓଡିଶା ପୋଲିସ ଓ ପରିବହନ ବିଭାଗ ନିୟମିତ ଭାବେ ଚଢଉ ଜାରି ରଖିଛନ୍ତି । ଶୁକ୍ରବାର ରାତିରେ ମଦ୍ୟପ ଗାଡି ଚାଳକଙ୍କ ବିରୋଧରେ ରାଜ୍ୟସ୍ତରୀୟ ମିଳିତ ଅଭିଯାନରେ ୪୬୬ ଜଣ ମଦ୍ୟପ ଚାଳକଙ୍କୁ ଚହ୍ନଟ କରାଯାଇଥିଲା । ସେଥିରୁ ୧୮୯ ଡ୍ରାଇଭିଙ୍ଗ ଲାଇସେନ୍ସକୁ ରଦ୍ଦ କରାଯିବା ସହ ୩୭୮ ମଦ୍ୟମ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ତେବେ ସପ୍ତାହ ବ୍ୟାପୀ ଏହି ଅଭିଯାନକୁ ଜୋରଦାର କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ।