ନକଲି ପରୀକ୍ଷାର୍ଥୀ ସାବଧାନ! ପରୀକ୍ଷାର୍ଥୀଙ୍କ ହେବ ଦୁଇ ସ୍ତରୀୟ ଯାଂଚ । ପ୍ରଶ୍ନପ୍ରତ୍ରରେ ଚିହ୍ନ ମାରିବା ମନା, ପ୍ରଶ୍ନପତ୍ରରେ ଗାରେଇଲେ ବି ଧରାଯିବ କପି

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନୂଆ ଗାଇଡଲାଇନ୍

498

କନକ ବ୍ୟୁରୋ: ମାର୍ଚ୍ଚ ୩ରେ ଆରମ୍ଭ ହେଉଛି ପ୍ଲସ୍-ଟୁ ପରୀକ୍ଷା । ନକଲି ପରୀକ୍ଷାର୍ଥୀ ଓ କପି ରୋକିବା ପାଇଁ କଡ଼ା ଗାଇଡଲାଇନ୍ ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ନକଲି ପରୀକ୍ଷାର୍ଥୀ ରୋକିବା ପାଇଁ ପରୀକ୍ଷା କେନ୍ଦ୍ର ନିକଟରେ ସଂପୃକ୍ତ କଲେଜର ଅଧ୍ୟାପକ ରହିବା ନିୟମକୁ କଡ଼ାକଡ଼ି କରାଯାଇଛି । ଏପରିକି ପ୍ରଶ୍ନପତ୍ରରେ ଯଦି କେହି ପରୀକ୍ଷାର୍ଥୀ ଚିହ୍ନ ମାରନ୍ତି, ତାକୁ କପି ବୋଲି ଧରାଯିବ କହିଛି ସିଏଚଏସଇ ।

ମାଟ୍ରିକ ପରୀକ୍ଷାରେ ଅନେକ ନକଲି ପରିକ୍ଷାର୍ଥୀ ଧରାପଡିବା ପରେ, ଚିନ୍ତାରେ ପଡିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ପ୍ଲସ୍ ଟୁ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ ରୋକିବା ପାଇଁ କଡ଼ା ଗାଇଡଲାଇନ ଜାରି କରିଛି ସିଏଚଏସଇ । ଚେକିଂ ବେଳେ ପରୀକ୍ଷା ଦେବାକୁ ଆସିଥିବା କଲେଜର ଅଧ୍ୟାପକ ଉପସ୍ଥିତ ରହିବା ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ନାମା ଜାରି କରିଛି ।

ଏବେ ନଜର ପକାଇବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନୂଆ ଗାଇଡଲାଇନ୍ ଉପରେ

– ପରୀକ୍ଷା ଆରମ୍ଭ ହେବାର ୧୫ ମିନିଟ ପୂର୍ବରୁ ନିଜ ସିଟରେ ବସିବେ ପରିକ୍ଷାର୍ଥୀ

– ମୋବାଇଲ ଫୋନ ବା ବୈଦ୍ୟୁତିକ ଉପକରଣ କେନ୍ଦ୍ର ଭିତରକୁ ନେଇପାରିବେ ନାହିଁ

– ପ୍ରଶ୍ନପତ୍ରରେ କୌଣସି ଚିହ୍ନ ଦେଇପାରିବେନି ପରିକ୍ଷାର୍ଥୀ, ଯଦି ଦିଅନ୍ତି ଏହାକୁ କପି ବୋଲି ଧରିନିଆଯିବ

– ଧାର୍ଯ୍ୟ ସମୟ ପୂର୍ବରୁ ପରୀକ୍ଷା ସରିଲେ, ବାହାରକୁ ପ୍ରଶ୍ନପତ୍ର ନେଇପାରିବେ ନାହିଁ

– ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଦୁଇସ୍ତରୀୟ ଚେକିଂ କରାଯିବ

– ବିଳମ୍ବରେ ପହଁଚିଥିବା ପରିକ୍ଷାର୍ଥୀଙ୍କୁ ଉଦାରତା ଦେଖାଯିବ ନାହିଁ, ସଂପୂର୍ଣ୍ଣ ତଲାସୀ ପରେ କେନ୍ଦ୍ରକୁ ଛଡ଼ାଯିବ

ତେବେ ମାର୍ଚ୍ଚ ୩ରୁ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ଯୁକ୍ତ ଦୁଇ ପରୀକ୍ଷା । ସମଗ୍ର ରାଜ୍ୟରୁ ଚଳିତବର୍ଷ ୩ଲକ୍ଷ ୮୦ହଜାର ପରିକ୍ଷାର୍ଥୀ ପରୀକ୍ଷା ଦେବେ । କପି ରୋକିବା ଲାଗି ସମସ୍ତ ୧୧୪୩ଟି ପରୀକ୍ଷା କେନ୍ଦ୍ରକୁ ଜଗିବ ସିସିଟିଭି ।