କନକ ବ୍ୟୁରୋ: ଯାଜପୁର ଜିଲ୍ଲାରେ ଲାଗୁ ହୋଇଛି ୬୦ ଘଂଟିଆ ସଟଡାଉନ । ଏହି ସଟଡାଉନ ଲାଗୁ ହେବାପରେ  ଆଜି ଦେଖିବାକୁ ମିଳିଛି ଏହାର ପୁରା ପ୍ରଭାବ । ରାସ୍ତାଘାଟ ଖାଁ ଖାଁ । କାଁ ଭାଁ କିଛି ମେଡିସିନ୍ ଦୋକାନ ଖୋଲା ରହିଛି । ପ୍ରତ୍ୟକ ଦିନ ହଜାରେ ରୋଗୀ ଡାକ୍ତରଖାନାକୁ ଆସୁଥିବା ବେଳେ ସଟଡାଉନ ଲାଗୁ ହେବା ପରେ ଖାଁ ଖାଁ ଦେଖିବାକୁ ମିଳିଛି ଡାକ୍ତରଖାନାର ପରିବେଶ । ଜିଲ୍ଲାକୁ ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଇଛି । ଜିଲ୍ଲାର ପ୍ରମୁଖ ପ୍ରବେଶ ପଥ ଷଠୀପୁରରୁ ଯାଜପୁର ଟାଉନକୁ ସଂଯୋଗ କରୁଥିବା ୫୬ ନଂବର ଜାତୀୟ ରାଜପଥ ଓ କୁଆଖିଆରୁ ଯାଜପୁର ଟାଉନକୁ ସଂଯୋଗ କରୁଥିବା ୨୦ ନଂବର ଜାତୀୟ ରାଜପଥ ପୁରା ସିଲ୍ ରହିଛି । ପୁରା ଜିଲ୍ଲାର ବିଭିନ୍ନ ପ୍ରମୁଖ ସ୍ଥାନ ଗୁଡିକରେ ୧୪ ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି । ଯାଜପୁର ଜିଲ୍ଲା ଦାୟିତ୍ୱରେ ଥିବା ରାଜ୍ୟପାଳଙ୍କ ସଚିବ ପ୍ରମୋଦ ମେହେର୍ଦ୍ଦା ଆଜି ଜିଲ୍ଲା ଗସ୍ତ କରି ସଟଡାଉନ ସ୍ଥିତି ଦେଖିବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।

Advertisment

publive-image

ଭଦ୍ରକ ଜିଲ୍ଲାରେ ଲାଗୁ ହୋଇଛି ୬୦ ଘଂଟିଆ ସଟଡାଉନ । ବାସୁଦେବପୁର, ଭଣ୍ଡାରୀପୋଖରୀ, ଧାମନଗର, ବଅନ୍ତ, ଚାନ୍ଦାବାଲି, ତିହିଡି ଓ ଭଦ୍ରକ ସଦରରେ ଦେଖିବାକୁ ମିଳିଛି ଏହାର ପ୍ରଭାବ । ପୁରା ଜିଲ୍ଲାରେ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଆଜି ସକାଳୁ ସକାଳୁ ଜାତୀୟ ରାଜପଥ ସହିତ ବିଭିନ୍ନ ରାସ୍ତାରେ ଚେକିଂ ଜୋରଦାର ହେବା ପରେ ରାସ୍ତାଘାଟ ଶୂନଶାନ ହୋଇଯାଇଛି । ଛକ ଗୁଡିକ ଉପରେ ପୋଲିସ ରଖିଛି କଡା ନଜର । ବର୍ତମାନସୁଦ୍ଧା ଭଦ୍ରକ ଜିଲ୍ଲାରେ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ସଟଡାଉନ ଲାଗୁ କରିଛି । କେବଳ ବାସୁଦେବପୁର ବ୍ଲକରୁ ଚିହ୍ନଟ ହୋଇଛନ୍ତି ୭ ଜଣ ଆକ୍ରାନ୍ତ । ଏହାକୁ ନଜରରେ ରଖି ଜିଲ୍ଲାରେ ସଟଡାଉନକୁ ଅଧିକ କଡାକଡି ଭାବେ ପାଳନ କରାଯାଉଛି । ଜିଲ୍ଲାପାଳଙ୍କ ଠାରୁ ଅନୁମତି ପ୍ରାପ୍ତ କିଛି ଔଷଧ ଦୋକାନ ହିଁ କେବଳ ଖୋଲା ରହିଛି । ରୋଗୀ ସେବା ଓ ଆଂବୁଲାନ୍ସ ସେବା କାମ କରୁଛି । ଏହାକୁ ବାଦ୍ ଦେଲେ ଜିଲ୍ଲାରେ ବାକି ସବୁ ବନ୍ଦ ରହିଛି ।

publive-image

ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ୬୦ ଘଂଟିଆ ସଟଡାଉନର ଜୋରଦାର ପ୍ରଭାବ । ଜିଲ୍ଲାର ସମସ୍ତ ରାସ୍ତା ସିଲ୍ । ବିଭିନ୍ନ ଛକ ରାସ୍ତାକୁ ବ୍ୟାରିକେଡ୍ କରି ଗମନାଗମନ ବ୍ୟବସ୍ଥା ଉପରେ ରୋକ୍ ଲଗାଯାଇଛି । କେବଳ ବାଲେଶ୍ୱର ଟାଉନରେ ମୁତୟନ ହୋଇଛନ୍ତି ୬ ପ୍ଲାଟୁନ୍ ଫୋର୍ସ । ପଶ୍ଚିମବଙ୍ଗରୁ ଓଡିଶାକୁ ଆସିବା ପାଇଁ ରହିଥିବା ସମସ୍ତ ପ୍ରବେଶ ପଥ ଗୁଡିକୁ ସିଲ୍ କରିବା ସହ ଏହା ଉପରେ ରଖାଯାଇଛି କଡାନଜର । ସହରରେ କେବଳ ଗୋଟିଏ ପେଟ୍ରୋଲ ପମ୍ପ ଓ କିଛି ଅନୁମତି ପ୍ରାପ୍ତ ଔଷଧ ଦୋକାନ ଖୋଲା ରହିଛି । ନେଳିଆବାଗ କଂଟେନମେଂଟ ଅଂଚଳରେ ଘର ଘର ବୁଲି ତଥ୍ୟ ସଂଗ୍ରହ କରୁଛନ୍ତି ଆଶାକର୍ମୀ, ଏଏନଏମ୍ ଓ ଅଙ୍ଗନବାଡି କର୍ମୀ । ବାଲେଶ୍ୱର ଜିଲ୍ଲାରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ୬୦ ଘଂଟିଆ ସଟଡାଉନ୍ ଲାଗୁ ହୋଇଛି । ଏହାକୁ କଡାକଡି ପାଳନ କରିବା ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ରଖିଛି କଡା ନଜର ।