କନକ ବ୍ୟୁରୋ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରୋଷଘର ଚୁଲା ଭାଙ୍ଗିବାକୁ ନେଇ ବଡ ବୟାନ ଦେଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ବଡଦେଉଳରେ ପୂର୍ବରୁ କେବେ ଏଭଳି ଘଟଣା ଦେଖିବାକୁ ମିଳିନଥିଲା । ଏହା ଜଗନ୍ନାଥପ୍ରେମୀଙ୍କୁ ବହୁତ ଆଘାତ ଦେଇଛି । ସାରା ଓଡ଼ିଶାରେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । କିଭଳି ପ୍ରଶାସନର ସାମ୍ନାରେ ଏଭଳି ଘଟଣା ଘଟିଲା ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜୟ ।

Advertisment

ଯଦି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥାନ୍ତା ତେବେ ଏଭଳି ଅଘଟଣ ଘଟିନଥାନ୍ତା । ଯେଉଁଦିନ ରୋଷ ଘର ଚୁଲା ଭାଙ୍ଗିଥିଲା ସେଦିନ ବୋଧହୁଏ ସୁରକ୍ଷା ଦାୟିତ୍ୱରେ କେହି ନଥିଲେ । ଯଦି ଥିଲେ ତେବେ ଏଭଳି ଘଟଣା ହେଲା କେମିତି? ରୋଷଘରେ ଦୁଇ ଦିନ ହେବ ବିଭ୍ରାଟ ଦେଖାଦେଇଥିଲା ଏବଂ ଏହାକୁ ଆଗକୁ ଆହୁରି ଉଗ୍ର ରୂପ ନେଇପାରେ ବୋଲି ସୂଚନା ମିଳିଥିଲା । କିନ୍ତୁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଲେ ନାହିଁ କାହିଁକି? ତେଣୁ ଏହି ବିଭ୍ରାଟରେ ସମ୍ପୃକ୍ତ ଥିବା ସମସ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । ରୋଷ ଘର ଚୁଲି ଭାଙ୍ଗିଥିବା ବ୍ୟକ୍ତି, ମନ୍ଦିର ଓ ଜିଲ୍ଲା ପ୍ରଶାସନ ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ । କାହାକୁ ସୁରକ୍ଷା ଦେବାକୁ ଚେଷ୍ଟା କରାନଯାଉ ।

କେବଳ ରୋଷଘରରେ ବିଭ୍ରାଟ ନୁହେଁ ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ନେଇ ମଧ୍ୟ ଉଦବେଗ ପ୍ରକାଶ ପାଉଛି । ଆଉ ଏହାକୁ ନେଇ ବିଜୟ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟକୁ ମାନୁନାହାନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିରର ବିକାଶ ଓ ଉନ୍ନତିକରଣ ପାଇଁ ଏଏସଆଇଙ୍କ ଅନୁମତି କ୍ରମେ କାର୍ଯ୍ୟ ହୋଇପାରିବ, କିନ୍ତୁ ସେଥିରେ ଯେପରି ଭକ୍ତଙ୍କ ଭାବାବେଗ କ୍ଷୁର୍ଣ୍ଣ ହେଉନଥିବ । ତେବେ ଏବେ ଶ୍ରୀମନ୍ଦିର ଚାରିପାଖେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଥିବା ସତ୍ତେ୍ୱ ମଧ୍ୟ କିଭଳି ଏହି କାର୍ଯ୍ୟ କରାଯାଉଛି ତାହାକୁ ନେଇ ପ୍ରଶ୍ନ କରିଛନ୍ତି ବିଜୟ । ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ନେଇ ଅଧିକାଂଶ ଦଳର ନେତା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କିନ୍ତୁ ଏହି ମାମଲାରେ ଏଏସଆଇ ଏଯାବତ ଚୁପ୍ ରହିଛି । କେବଳ ଖଣ୍ଡିଏ ଚିଠି ଲେଖି ଚୁପ୍ ବସିଛି ଏଏସଆଇ । କିନ୍ତୁ ଏଯାବତ୍ ଏଏସଆଇର କୌଣସି ଅଧିକାରୀ ପୁରୀ ଆସି ସ୍ଥିତିର ଅନୁଧ୍ୟାନ କରିନାହାନ୍ତି । ଯାହା ସବୁଠୁ ଦୁଃଖଦାୟକ । ସଂସଦରେ ଏହି ପ୍ରସଙ୍ଗ ଉଠିଥିଲେ ମଧ୍ୟ ଏଏସଆଇର ନୀରବତାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି । କିନ୍ତୁ ପରବର୍ତ୍ତୀ ସମୟରେ ଏହାର ଉତ୍ତର ଏଏସଆଇ ଓ ଏନଏମଏ ଅଧିକାରୀଙ୍କୁ ଦେବାକୁ ପଡିବ । ତେବେ ସ୍ଥିତି ବିଗିଡିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଅନୁଧ୍ୟାନ କରନ୍ତୁ ବୋଲି କହିଛନ୍ତି ବିଜୟ ମହାପାତ୍ର ।