ସତର୍କ କରାଇଲେ ସରକାର : ଜାଲ ସାର୍ଟିଫିକେଟ ଦେଲେ ହେବ କାର୍ଯ୍ୟାନୁଷ୍ଠାନ

କେବଳ ସ୍ୱୀକୃତିପ୍ରାପ୍ତ ଡାକ୍ତରଙ୍କଠାରୁ ପ୍ରମାଣପତ୍ର ନେଇ କରୋନା ଟିକା ନେବାକୁ ପରାମର୍ଶ ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ

332

କନକ ବ୍ୟୁରୋ : ଜାଲ ସାର୍ଟିଫିକେଟ ଦେଇ ଟିକା ନେଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ଜଟିଳ ରୋଗ ଥିବା ୪୫ବର୍ଷରୁ ଅଧିକ ଓ ୬୦ବର୍ଷରୁ କମ୍ ବ୍ୟକ୍ତିଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ କରୋନା ଟିକା ଦିଆଯାଉଛି । ହେଲେ ତାଲିକାରେ ଥିବା ରୋଗ ସମ୍ପର୍କରେ ସ୍ୱିକୃତିପ୍ରାପ୍ତ ଡାକ୍ତରଙ୍କଠାରୁ ପ୍ରମାଣ ଦେବା ବାଧ୍ୟତାମୂଳକ କରାଯାଇଛି । ତେଣୁ ସ୍ୱିକୃତିପ୍ରାପ୍ତ ଡାକ୍ତରଙ୍କ ପ୍ରମାଣ ପତ୍ରକୁ ଜାଲି କରି ଟିକା ନେବାକୁ ପ୍ରୟାସ କରି ଧରାପଡିଲେ କଡା ପରିଣାମ ଭୋଗିବେ ବୋଲି ସରକାର ଚେତାଇ ଦେଇଛନ୍ତି । ସେପଟେ ରାଜ୍ୟରେ ୨୪ଘଂଟିଆ ଟିକାକରଣ ପାଇଁ ସରକାର ପ୍ରସ୍ତୁତି କରୁଛନ୍ତି ।

ସେପଟେ, ଏଣିକି ଦିନର ଯେକୌଣସି ସମୟରେ କରୋନା ଟିକା ନେଇପାରିବେ । ପୂର୍ବରୁ ସକାଳ ୯ଟାରୁ ସଂଧ୍ୟା ୫ଟା ମଧ୍ୟରେ ଟିକାକରଣ ହେବ ବୋଲି ସମୟ ଧାର୍ଯ୍ୟ କରିଥିଲେ କେନ୍ଦ୍ର ସରକାର । ହେଲେ ଟିକାକେନ୍ଦ୍ରରେ ଲୋକଙ୍କ ଭିଡ କମାଇବାକୁ ଏବଂ ବୟସ୍କ ନାଗରିକଙ୍କୁ ସୁବିଧାରେ ଟିକାଦାନ ପାଇଁ ଏହି କଟକଣାକୁ କୋହଳ କରାଯାଇଛି । ଏଣିକି ହସ୍ପିଟାଲଗୁଡିକ ଯେତେ ସମୟ ପର୍ଯ୍ୟନ୍ତ ଚାହିଁବେ ଟିକାକରଣ କାର୍ଯ୍ୟ କରପାରିବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । ଦେଶବ୍ୟାପୀ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଲୋକମାନେ ଏଣିକି ସପ୍ତାହକ ୭ ଦିନ ଏବଂ ଦିନର ୨୪ ଘଂଟା ଭିତରେ ଯେକୌଣସି ସମୟରେ ଟିକା ନେଇପାରିବେ ବୋଲି ସ୍ପଷ୍ଟ କରାଯାଇଛି ।