ରାସ୍ତାକଡ଼ ଦୋକାନୀ ସାବଧାନ : ଲୋକ ଖାଉଥିଲେ ସିଲ୍‌ ହେବ ଦୋକାନ, କେବଳ ପାର୍ସଲ ବିକିବାକୁ ଦୋକାନଗୁଡ଼ିକୁ ଦିଆଯାଇଛି ଅନୁମତି

578

କନକ ବ୍ୟୁରୋ : ରାଜଧାନୀର କୌଣସି ହୋଟେଲ, ଠେଲା, ଷ୍ଟଲ୍‌ ନିକଟରେ ଛିଡ଼ା ହୋଇ ଖାଇବାକୁ ବିଏମ୍‌ସି ଅନୁମତି ଦେଇନି । କେବଳ ସେମାନେ ପାର୍ସଲ ଦେଇପାରିବେ । ଯଦି କେହି ଠେଲା ବା ରାସ୍ତା କଡ଼ ଦୋକାନରେ ଛିଡ଼ା ହୋଇ ଖାଉଥିବା ଦେଖାଯିବ ତେବେ ଉକ୍ତ ଦୋକାନୀଙ୍କ ଠାରୁ ଜରିମାନା ଆଦାୟ ସହ ସିଲ୍‌ କରାଯିବ । ଏନେଇ ବିଏମ୍‌ସି ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଚାଲିଛି । ଖୁବ୍‌ ଶୀଘ୍ର ଜୋନାଲ ଡେପୁଟି କମିସନରମାନେ ଏନେଇ ପଦକ୍ଷେପ ନେବେ। ବିଏମ୍‌ସି କମିସନର କହିଛନ୍ତି ଯେ, ଚାଟ୍‌ ଦୋକାନ, ଗୁପଚୁପ୍‌ ଦୋକାନ, ଜଳଖିଆ ଦୋକାନଗୁଡ଼ିକୁ କେବଳ ପାର୍ସଲ ବିକିବାକୁ ଅନୁମତି ଦିଆଯାଇଛି । ଲୋକମାନେ ଏଠାରେ ଛିଡ଼ା ହୋଇ ଖାଇବାକୁ ମନା କରାଯାଇଛି ।

କିନ୍ତୁ କେହି ଏହି ନିୟମ ମାନୁନାହାନ୍ତି। ସେମାନଙ୍କ ଜୀବନ ଜୀବିକାକୁ ଦେଖି ଆମେ ଦୋକାନ ଖୋଲିବାକୁ ଅନୁମତି ଦେଇଛୁ । ହେଲେ ନିୟମ ଉଲ୍ଲଂଘନ କଲେ ଦୋକାନ ସିଲ୍‌ କରାଯିବ । କୌଣସି ବ୍ୟବସାୟୀ ଦୋକାନ ନିକଟରେ ଖାଇବାକୁ ପ୍ରଶ୍ରୟ ଦିଅନ୍ତୁନି । ସାଧାରଣ ଲୋକ ବି ଏଠାରୁ ପାର୍ସଲ ନେଇ ଘରେ ଖାଆନ୍ତୁ । ସେହିପରି କୌଣସି ଚା’ ଦୋକାନରେ ଛିଡ଼ା ହୋଇ ଚା’ ପିଇବାକୁ ଅନୁମତି ଦିଆଯାଇନି । ଏଠାରେ ଲୋକ ଖଟି କରି, ଏକାଠି ଛିଡ଼ା ହୋଇ ଚା’ ପିଉଛନ୍ତି । ତେଣୁ ଏହିଭଳି ସ୍ଥିତି ଯେଉଁଠି ଦେଖାଯିବ ସେଠାରେ ଦୋକାନୀ ଓ ଗ୍ରାହକଙ୍କ ଠାରୁ ଜରିମାନା ଆଦାୟ କରାଯିବ। ଆବଶ୍ୟକସ୍ଥଳେ ଦୋକାନ ବନ୍ଦ କରିଦିଆଯିବ ।