କନକ ବ୍ୟୁରୋ: ରାସ୍ତାରୁ ହଟିବେ ବୁଲା କୁକୁର । ବୁଲା କୁକୁରଙ୍କୁ ହଟାଇବା ନେଇ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ୩୦ଟି ଜିଲ୍ଲାର ସିଡିଭିଓମାନଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ରାଜ୍ୟରେ ବୁଲା କୁକୁର ବନ୍ଧ୍ୟାକରଣକୁ ମଧ୍ୟ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହାକୁ ନେଇ ପଶୁପ୍ରେମୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପ୍ରଥମେ କୁକୁରଙ୍କୁ ଥଇଥାନ କରିବାକୁ ଦାବି କରିଛନ୍ତି । ଏହାସହ ସୋସିଆଲ ମିଡିଆରେ ‘ସେଭ୍ ଡଗ’ ନାଁରେ କ୍ୟାମ୍ପେନ ଆରମ୍ଭ କରିଛନ୍ତି ।
ହାଇଦ୍ରାବାଦରେ ବୁଲା କୁକୁର ଆକ୍ରମଣରେ ଜଣେ ଶିଶୁର ମୃତ୍ୟୁକୁ ସାରା ଦେଶକୁ ଦୋହଲାଇ ଦେଇଥିଲା । ଏହାକୁ ନେଇ ବିଭିନ୍ନ ସ୍ଥାନରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ବଢ଼ିଛି । କିଛି ଦିନ ତଳେ ପଟିଆରେ କୁକୁର ଆକ୍ରମଣରେ ଜଣେ ଶିଶୁ ଗୁରୁତର ଆହତ ହୋଇଥିଲା । ଏହାବ୍ୟତୀତ ଗାଡ଼ି ଆଗକୁ କୁକୁର ଆସିବା ଦ୍ୱାରା ଗାଡ଼ି ଚାଳକ ଦୁର୍ଘଟଣାର ଶିକାର ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି ।
Follow Us