ନିୟମଗିରି ପାହାଡ଼ରେ ଫଳିଛି ଷ୍ଟ୍ରବେରୀ । ପାହାଡ ଉପରେ ଏକ ଏକର ସମତଳ ଜାଗାରେ ଷ୍ଟ୍ରବେରୀ ଚାଷ କରିଛନ୍ତି ରାୟଗଡ଼ା କୁର୍ଲି ଗାଁର ଲାକୁନୁ ଜାକେସିକା

104

କନକ ବ୍ୟୁରୋ: ନିୟମଗିରିର ବଣ ପାହାଡରୁ ନିଜର ଜୀବିକା ନିର୍ବାହ କରୁଥିବା ଡଙ୍ଗରିଆ ଏବେ ଆରମ୍ଭ କରିଛନ୍ତି ଷ୍ଟ୍ରବେରୀ ଚାଷ । ସମୁଦ୍ର ପତ୍ତନ ଠାରୁ ପ୍ରାୟ ୧୫୦୦ ଫୁଟ ଉଚ୍ଚ ପାହାଡରେ ପ୍ରଥମ ଥର ପାଇଁ ଆରମ୍ଭହୋଇଛି ଏହି ଚାଷ । ଏଥିପାଇଁ ସହାୟତାର ହାତ ବଢାଇଛନ୍ତି ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଓ ଓପିଲିପି । ଚାଷ ଉପଯୋଗୀ ଜଳବାୟୁ ଓ ପରିବେଶ ଏହି ଷ୍ଟ୍ରବେରୀ ଚାଷ ପାଇଁ ଅନୁକୁଳ ଥିବାରୁ ଲକ୍ଷାଧିକ ଟଙ୍କା ଲାଭ ପାଇବା ପାଇ ଆଶା ରଖିଛନ୍ତି ଡଙ୍ଗରିଆ ।

ରାୟଗଡା ଜିଲ୍ଲାର ଡ଼ଙ୍ଗରିଆଙ୍କ ଆବାସସ୍ଥଳୀ ନିୟମଗିରି ବେଶ ପରିଚିତ । ଏଠାରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆଙ୍କ ଜୀବନ ଜୀବିକା ନିୟମଗିରି ପାହାଡରୁ ହିଁ ମିଳିଥାଏ । ଏହି ପାହାଡରେ ସେମାନେ ସପୁରୀ, କମଳା, ପଣସ ଭଳି ବିଭିନ୍ନ ଫଳ, ଅଦା, ହଳଦୀ ଭଳି ବିଭିନ୍ନ ପ୍ରକାରର ଚାଷ କରି ଜୀବିକା ନିର୍ବାହ କରିଥାନ୍ତି । ସାଧାରଣତଃ ଏମାନେ ପାହାଡର ଢାଲ ଅଞ୍ଚଳରେ ଏହିସବୁ ଚାଷ କରିବାରେ ସମର୍ଥ ହୋଇଥାନ୍ତି । ତେବେ କୁର୍ଲି ଗାଁର ଲାକୁନୁ ଜାକେସିକା ଦୀର୍ଘ ବର୍ଷଧରି ପରିବା ଚାଷ ପାଇଁ ପାହାଡ଼ ଉପରେ ପଥର ହୁଡ଼ା କରି ଏକ ଏକର ପରିମିତ ସମତଳ ଜାଗା ପ୍ରସ୍ତୁତ କରିଥିଲେ ।

ଝରଣାରୁ ପାଣି ଆଣି ଜଳସେଚନ କରି ଚାଷ କରୁଥିଲେ ଲାକୁନୁ । ନିୟମଗିରିର ଅନୁକୁଳ ଜଳବାୟୁ ଷ୍ଟ୍ରବେରୀ ଚାଷ ପାଇଁ ଉପଯୁକ୍ତ ଓ ଏକ ଏକର ସମତଳ ଜାଗା ଥିବାରୁ ଲାକୁନୁଙ୍କୁ ଷ୍ଟ୍ରବେରୀ ଚାଷ ପାଇଁ ସହାୟତାର ହାତ ବଢାଇଛି ଡିକେଡିଏ ଓ ଓପିଲିପି । ଏବେ ଅମଳ ସମୟ ହୋଇଥିବା ବେଳେ ଡିକେଡିଏ ଓ ଓପିଲିପି ଅଧିକାରୀଙ୍କ ଉପସ୍ଥିତିରେ ପ୍ରଥମ ଫଳ ତୋଳାଯାଇଛି । ଏହି ଷ୍ଟ୍ରବେରୀ ଚାଷ କରି ବେଶ ଦି ପଇସା ଲାଭ ପଇବାକୁ ଆଶା ରଖିଛନ୍ତି ଏହି ଡଙ୍ଗରିଆ ଯୁବକ । ତେବେ ଅଞ୍ଚଳରେ ପ୍ରଥମ ଥର ଏଭଳି ଚାଷ ହୋଇଥିବାରୁ ଡିକେଡିଏ ଓ ଓପିଲିପିକୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ଡ଼ଙ୍ଗରିଆ ।

ଷ୍ଟ୍ରବେରୀ ଚାଷ ଭାରତର ସିମଲା, ହିମାଚଳ ପ୍ରଦେଶ ଓ ବେଙ୍ଗାଳୁରୁ ଭଳି ଶୀତ ପ୍ରଧାନ ଅଞ୍ଚଳରେ ଅଧିକ ପରିମାଣରେ ହୋଇଥାଏ । ସମୁଦ୍ର ପତନ ଠାରୁ ପ୍ରାୟ ୧୫୦୦ ଫୁଟ ଉଚ୍ଚରେ ରହିଥିବା ନିୟମଗିରି ପାର୍ବତ୍ୟାଞ୍ଚଳର ତାପମାତ୍ରା ସର୍ବାଧିକ ୨୦ ଡିଗ୍ରି ରହିଥିବା ଯୋଗୁଁ ଷ୍ଟ୍ରବେରୀ ଚାଷ ପାଇଁ ଏହା ବେଶ ଅନୁକୁଳ । ତେଣୁ ଡଙ୍ଗରିଆଙ୍କୁ ଆର୍ଥିକ ଓ ଉନ୍ନତ ଜ୍ଞାନ କୌଶଳ ଯୋଗାଇ ଏକ ଏକର ଜାଗାରେ ୨୦ ହଜାର ଷ୍ଟ୍ରବେରୀ ଚାରା ଲଗାଇବାରେ ସହାୟତା କରିଛି ଡିକେଡିଏ ଓ ଓପିଲିପି ସଂସ୍ଥା । ଚାରାରୋପଣର ୪୫ ଦିନ ପରେ ଫଳ ଉତ୍ପାଦନ ଆରମ୍ଭ ହୋଇଛି । ପ୍ରାୟ ୭୦ କି୍ୱଂଟାଲ ଷ୍ଟ୍ରବେରୀ ଅମଳ ହେବା ନେଇ ଆଶା ରଖିଛନ୍ତି ସଂସ୍ଥା କର୍ତୃପକ୍ଷ । ଏଥିରୁ ପାଖାପାଖି ୧୨ ରୁ ୧୫ଲକ୍ଷ ଟଙ୍କା ଲାଭ ମିଳିବାର ଆଶା ରହିଛି ।