ବ୍ରହ୍ମପୁର ସାଂସଦଙ୍କ ଚାପୁଡା ମାରିବା ଘଟଣାକୁ ଖଣ୍ଡନ କଲେ ସମର୍ଥକ। କହିଲେ, ମୋତେ ବାଡେଇ ନାହାନ୍ତି ସାଂସଦ, ସେ ମୋତେ ଭାଇ ଭଳି ଦେଖନ୍ତି

996

କନକ ବ୍ୟୁରୋ: ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଚାପୁଡା ମାରିବା ଘଟଣାକୁ ଖଣ୍ଡନ କରିଛନ୍ତି କର୍ମୀ ସଂଗ୍ରାମ ସାହୁ । ସେ କହିଛନ୍ତି ସାଂସଦ ତାଙ୍କୁ ଚାପୁଡା ମାରି ନାହାନ୍ତି । ବରଂ ସାଂସଦ ତାଙ୍କୁ ଭାଇ ଭଳି ଦେଖନ୍ତି । ତାଙ୍କ ସହ ସେ ୨୦ ବର୍ଷ ହେଲା କାମ କରି ଆସୁଛନ୍ତି । ବିଜେଡିରେ ଯୋଗ ଦେବାକୁ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକକୁ ଯାଇଥିଲେ । ତେବେ ବୈଠକରେ ପର୍ଯ୍ୟବେକ୍ଷକ ନୁହେଁ ସାଂସଦଙ୍କ ଠାରୁ ଉତ୍ତରୀୟ ନେବାକୁ ଚାହୁଁଥିଲେ ବୋଲି କହିଛନ୍ତି ସଂଗ୍ରାମ ସାହୁ ।

 

ସଂଗ୍ରାମ କହିଛନ୍ତି , ସେ ଚାହୁଁଥିଲେ କି ସେ ସାଂସଦଙ୍କଠାରୁ ଉତ୍ତରୀୟ ଗ୍ରହଣ କରିବାକୁ କିନ୍ତୁ ସାଂସଦ ମୋତେ ଚାପୁଡା ମାରି ନାହାଁନ୍ତି ବରଂ ବିଧାୟକଙ୍କଠାରୁ ଉତ୍ତରୀୟ ନେବାକୁ ଇଙ୍ଗିତ କରିଥିବା ସଫେଇ ରଖିଛନ୍ତି ସମର୍ଥକ । ତେବେ ବିରୋଧୀମାନଙ୍କର କାମ ହେଲା ତିଳକୁ ତାଳ କରି ଦେଖାଇବା । ଯେ ହେତୁ ମୁଁ ଦୀର୍ଘଦିନ ଧରି କଂଗ୍ରେସରେ ଥିଲି ତେଣୁ ସେଥିପାଇଁ ବିରୋଧୀ ଏଭଳି ଚାଲ୍ ଚଳାଇଥିବା କହିଛନ୍ତି ସଂଗ୍ରାମ ସାହୁ ।

କର୍ମୀଙ୍କୁ ବ୍ରହ୍ମପୁର ସାଂସଦ ଚାପୁଡା ମାରିବା ଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ । ଘଟଣା ଘଟିବା ବେଳେ ସ୍ଥାନୀୟ ବିଜେଡି ନେତା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏହି ଦୃଶ୍ୟ । ଯେଉଁଥିରେ ମଂଚ ଉପରେ ବିଜେଡିର କିଛି ନେତାଙ୍କ ଗହଳରେ ଉପସ୍ଥିତ ଥିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ଆଉ ଏହି ପ୍ରଶଂସକଙ୍କୁ ସାଂସଦଙ୍କ ପାଖରେ ଥିବା ବ୍ୟକ୍ତି ଜଣଙ୍କ ବେକରେ ଏକ ଗାମୁଛା ପକାଇବାକୁ ଦେଉଥିଲେ । ହେଲେ ପ୍ରଶଂସକ ଜଣଙ୍କ ଗାମୁଛାକୁ ନିଜ ବେକରେ ନ ପକାଇ ସାଂସଦଙ୍କ ହାତକୁ ବଢାଇ ଦେଇଥିଲେ । ଆଉ ସାଂସଦ ହଠାତ୍ ଏହି ପ୍ରଶଂସକଙ୍କୁ ସର୍ବସମ୍ମୁଖରେ ଏକ ଶକ୍ତ ଚାପୁଡା ମାରିଥିଲେ । ଯାହାକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ଆରମ୍ଭ ହୋଇଛି ।