ସାମ୍ନାକୁ ଆସିଲା ଆମେରିକା କ୍ୟାପିଟଲ ଆକ୍ରମଣ ପଛର ଅଜବ କାହାଣୀ । ୪୨ବର୍ଷର ତଳ ଏକ ଉପନ୍ୟାସରୁ ପ୍ରେରଣା ପାଇଥିଲେ ବିଦ୍ରୋହୀ ।

90

କନକ ବ୍ୟୁରୋ : ଆମେରିକାର କ୍ୟାପିଟଲ ହିଲରେ ଆକ୍ରମଣ ପାଇଁ ଏକ ଉପନ୍ୟାସରୁ ପ୍ରେରଣା ମିଳିଥିଲା । ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ କିନ୍ତୁ ଏହା ଏକ ସତ କଥା । ଉପନ୍ୟାସ ‘ଦି ଟର୍ଣ୍ଣର ଡାଏରୀଜ’ । ୧୯୭୮ ମସିହାରେ ଲେଖାଯାଇଥିବା ଏହି ଉପନ୍ୟାସ ୪୨ବର୍ଷ ପରେ ଆମେରିକାର ଗଣତନ୍ତ୍ର ଇତିହାସ ଉପରେ ଏତେ ବଡ ପ୍ରଭାବ ପକାଇବ, ଏହା ହୁଏତ କେହି କେବେ ଭାବିନଥିଲେ ।

୪୨ବର୍ଷ ପୂର୍ବରୁ ୱିଲିୟମ ଲୁଥର ନାମକ ଜଣେ ଆମେରିକୀୟ ଲେଖକ ଏହି ଉପନ୍ୟାସ ଲେଖିଥିଲେ । କିନ୍ତୁ ଉପନ୍ୟାସରେ ନିଜର ନାମକୁ ବଦଳାଇ ଆଣ୍ଡ୍ରିୟୁ ମାକଡୋନାଲ୍ଡ ରଖିଥିଲେ । ଆମେରିକାର ସଂସଦ କୁହାଯାଉଥିବା କ୍ୟାପିଟାଲ ହିଲରେ ଏହି ଆକ୍ରମଣ ପୃଥିବୀର ସବୁଠାରୁ ପୁରୁଣା ଗଣତନ୍ତ୍ରର ମଳୂଦୁଆକୁ ଦୋହଲାଇ ଦେଲା । କିନ୍ତୁ ଏହି ଘଟଣା ଠିକ୍ ସେହି ଉପନ୍ୟାସରେ ଲେଖାଯାଇଥିବା କାହାଣୀ ଭଳି ।

ଲେଖକ ସେଥିରେ ଲେଖିଥିଲେ, ସ୍ଥାନୀୟ ଗୋରା ଅଧିବାସୀ ଧରି ନେଇଥିଲେ ଯେ କେନ୍ଦ୍ର ସରକାର କିଛି ପୁଂଜିପତିଙ୍କୁ ନେଇ ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ଆଉ ଏହି ଧାରଣାରୁ ଉପନ୍ୟାସର କାହାଣୀରେ ଜନ୍ମ ନେଇଥିଲା ବିଦ୍ରୋହ । ଜଣେ ଲେଖକ ତଥା ଐତିହାସିକ କହିଛନ୍ତି, ଜାନୁଆରୀ ୬ ତାରିଖରେ ଯେତେବେଳେ ଆମେରିକାର କ୍ୟାପିଟଲରେ ଆକ୍ରମଣ ହେଲା, ସେତେବେଳେ ତାଙ୍କର ଏହି ଉପନ୍ୟାସ କଥା ମନେପଡିଗଲା । କେବଳ ତାଙ୍କୁ ନୁହେଁ ଅନେକ ଜଣଙ୍କୁ ଏହି ଉପନ୍ୟାସର କାହାଣୀ ଜଳଜଳ କରି ଦେଖାଗଲା ।

ଏହି ଉପନ୍ୟାସ ଦ ଟର୍ଣ୍ଣର ଡାଏରିଜ୍ରୁ ଆଉ ଏକ ବିଦ୍ରୋହ ବି ଜନ୍ମ ନେଇଥିଲା ଆମେରିକାର ଓକାଲହମା ସହରରେ ୧୯୯୫ରେ ଏକ ରକ୍ତାକ୍ତ ବିଦ୍ରୋହ ଦେଖିବାକୁ ମିଳିଥିଲା । ପ୍ରଶାସନ ଓ ସରକାର ବିରୋଧରେ ଏହି ରକ୍ତାକ୍ତ ବିଦ୍ରୋହରେ ୧୬୮ ଜଣ ପ୍ରାଣ ହରାଇଥିଲେ । କୁହାଯାଏ, ଓକାଲହମା ସହରର ଏହି ଘଟଣା, ‘ଦ ଟର୍ଣ୍ଣର ଡାଏରିଜ୍’ ଉପନ୍ୟାସର କାହାଣୀ ସହ ମେଳ ଖାଏ ।

କ୍ୟାପିଟଲ ହିଲ୍ ଆକ୍ରମଣ ପରେ ଆମାଜନ୍ ଅନଲାଇନ୍ ସପିଂ ସାଇଟ୍ ଏହି ବହିର ବିକ୍ରିକୁ ବନ୍ଦ କରି ଦେଇଛି । ଜାନୁଆରୀ ୬ ପୂର୍ବ ପର୍ଯ୍ୟନ୍ତ ଏହି ବିକ୍ରି ହେଉଥିଲା । କୁହାଯାଏ, ୪୦ ବର୍ଷ ଧରି ଏହି ଉପନ୍ୟାସ ଆମେରିକା ଏବଂ ବାହାରେ ଅନେକ ଆତଙ୍କବାଦୀ ସଦୃଶ ଆକ୍ରମଣକୁ ପ୍ରେରଣା ଦେଇଛି ।