ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ! ପଥରକୁ ପଥରରେ ପିଟିଲେ ଶୁଭୁଛି ଘଣ୍ଟି ଶଦ୍ଦ…ପ୍ରକୃତିର ଚମତ୍କାରିତା ଦେଖିବାକୁ ବାଣପୁର ଘଣ୍ଟଶୀଳା ପାହାଡରେ ଜମୁଛି ଦର୍ଶକଙ୍କ ଭିଡ

ପଥରରୁ କେମିତି ଆସୁଛି ଘଣ୍ଟି ଶଦ୍ଦ ଏବେବି ଅଜଣା

853

କନକ ବ୍ୟୁରୋ: ପଥରକୁ ପଥରରେ ପିଟିଲେ ଆସୁଛି ଘଂଟି ଶବ୍ଦ ! ପ୍ରକୃତିର ଏପରି ଏକ ବିସ୍ମୟକର ଘଟଣା ଦେଖିବାକୁ ମିଳିଛି ବାଣପୁରର ଘଂଟଶିଳା ପାହାଡରେ । ତଳୁ ପ୍ରାୟ ୨ ହଜାର ଫୁଟ ଉଚ୍ଚତାରେ ଥିବା ଏହି ପାହାଡ ଶୀର୍ଷରେ ରହିଛି ଏକ ବଡ ପଥର ଖଣ୍ଡ ଆଉ ଏହି ପଥରକୁ ପଥରରେ ବାଡେଇଲେ ଶୁଭୁଛି ଘଂଟି ଶବ୍ଦ । ଆଶ୍ଚର୍ଯ୍ୟର କଥା ହେଲା, ପାହାଡର ଏହି ପଥର ନିକଟରେ ଥିବା ଅନ୍ୟ କିଛି ପଥରରେ ଆଘାତ କଲେ କିନ୍ତୁ ଏଭଳି କୌଣସି ଶବ୍ଦ ଆସୁନାହିଁ । ତେବେ ପଥରରୁ କିପରି ଆସୁଛି ଘଂଟି ଶବ୍ଦ, ତାକୁ ନେଇ ସୃଷ୍ଟି ହୋଇଛି ବଡ ପ୍ରଶ୍ନ । ସେପଟେ ଏହି ଅଲୌକିକ ଘଟଣାଟି ପ୍ରଘଟ ହେବା ପରେ ଘଂଟଶିଳା ପାହାଡରେ ପ୍ରତିଦିନ ଛୁଟୁଛୁ ଲୋକଙ୍କ ଭିଡ ।

ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ ବାଇପାସଠାରୁ ପ୍ରାୟ ୧୦ କିଲୋମିଟର ଦୂର ବାଣପୁର ସହରରେ ଥିବା ଘଂଟଶିଳା ପାହାଡରୁ ଶୁଭୁଛି ଘଂଟି ଶଦ୍ଦ । ସୂଚନା ମୁତାବକ, ନୂଆବର୍ଷରେ କିଛି ଯୁବକ ବଣଭୋଜି ନିମନ୍ତେ ଏହି ପାହାଡକୁ ଯାଇଥିଲେ । ଏହି ସମୟରେ ଜଣେ ଯୁବକ ପାହାଡ ଉପରେ ଥିବା ଏହି ପଥରକୁ ଅନ୍ୟ ପଥରରେ ବାଡେଇବା ଦ୍ୱାରା ଶୁଭିଥିଲା ଘଂଟିର ଶଦ୍ଦ ।

ଲୋକବାଣୀ ଅନୁସାରେ, ବାଣପୁରରେ ବାଣସୁର ରାଜା ରାଜୁତି ସମୟରେ ବାଣାସୁର ସେହି ସ୍ଥାନରେ ବସି ତପସ୍ୟା କରୁଥିଲା । ମାତ୍ର ଠାକୁରଙ୍କୁ ପୂଜା କରିବା ସମୟରେ ସେତେବେଳେ ଘଂଟ ନଥିବାରୁ ଏହି ପଥରକୁ ଘଂଟ ରୂପେ ବ୍ୟବହାର କରିଥିଲା ବାଣାସୁର । ଏହା ପରେ ବାଣାସୁର ତପସ୍ୟା ସାରି ପ୍ରଥମେ ଘୁମୁଷର ଓ ପରବର୍ତ୍ତୀ ସମୟରେ ପୁରୀ ଅଭିମୁଖେ ଯାତ୍ରା କରିଥିଲା । ତେବେ ଏହି ଅଲୌକିକ ଘଟଣାକୁ ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଦର୍ଶକଙ୍କ ସୁଅ ଛୁଟିବାରେ ଲାଗିଛି ।