ବାରମ୍ବାର ପାୱାରକଟ୍ କରୁଥିବା ବିତରଣକାରୀ ସଂସ୍ଥାର ବିଚିତ୍ର ବିଲ୍। ଗୋଟିଏ ମାସରେ ଆସିଲା ୭ ହଜାର ଟଙ୍କାର ଦେୟ

225

କନକ ବ୍ୟୁରୋ: ବିଦ୍ୟୁତ ବିଲରେ ମହାତ୍ରୁଟି । ଘରେ ଜଳୁଛି ଦୁଇଟି ବଲବ୍ । ହେଲେ ବିଲ୍ ଆସୁଛି ୭ ହଜାର ଟଙ୍କା । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବଡକର୍ଲ୍ଲାକୋଟ ଗାଁରେ। ବଡ଼କର୍ଲ୍ଲାକୋଟ ଗାଁର ଘଷେନ ମାଝି । ବିପିଏଲ୍ ହିତାଧିକାରୀ ହୋଇଥିବାରୁ ତାଙ୍କୁ ମିଳିଥିଲା ବିଦ୍ୟୁତ ସଂଯୋଗ । ପରିବାର କହିଲେ ସେ ନିଜେ । ବାର୍ଦ୍ଧକ୍ୟ ଭତ୍ତା ଟଙ୍କାରେ ନିଜେ ଚଳିବା ସହ ବିଜୁଳି ବିଲ୍ ଭରିଥାନ୍ତି । ଘରେ ମାତ୍ର ୨ଟି ବଲବ ଲାଗିଛି । ହେଲେ ଚଳିତ ମାସରେ ତାଙ୍କ ବିଦ୍ୟୁତ୍ ବିଲ୍ ଆସିଛି ୭ ହଜାର ଟଙ୍କା ।

ପ୍ରତି ମାସରେ ତାଙ୍କର ୨ ଶହରୁ ୩ଶହ ଟଙ୍କା ଆସିଥାଏ । ହେଲେ ଗୋଟିଏ ମାସରେ ଏତେ ଅଧିକ ବିଲ୍ କେମିତି ଆସିଲା ସେନେଇ ଚିନ୍ତାରେ ପଡିଯାଇଛନ୍ତି । ସେହିଭଳି ଗାଁର ସକୁନ୍ତଳା ପୁଝାରୀ ମଧ୍ୟ ମାସକୁ ୨ ଶହରୁ ୩ ଶହ ଟଙ୍କା ବିଜୁଳି ବିଲ୍ ଆସୁଥିବା ବେଳ ଗତମାସରେ ଆସିଛି ୩ ହଜାର ଟଙ୍କା । ଏ ସମ୍ପର୍କରେ ଜୟପାଟଣା ସେକ୍ସନର କନିଷ୍ଠ ଯନ୍ତ୍ରୀ କହିଛନ୍ତି ମିଟର ରିଡିଂରେ ତ୍ରୁଟି ଯୋଗୁଁ ଏମିତି ଅଧିକ ବିଲ୍ ଆସିଥିବା ଅନୁମାନ କରୁଛୁ। ହେଲେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି ।